ମଦବେପାରୀଙ୍କୁ ବାନ୍ଧିଲେ ଗାଁ ମହିଳା, ମହିଳା ବେପାରୀଙ୍କ ସମେତ ୩ ଗିରଫ

ମେଣ୍ଢାଶାଳ: ବାରମ୍ବାର ପୁଲିସ ଓ ଅବକାରୀ ବିଭାଗର ଦ୍ବାରସ୍ଥ ହେଲେ। ମାତ୍ର ପୁଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳିଲା ନାହିଁ। ଦିନକୁ ଦିନ ମଦ ବେପାର ବଢ଼ିଲା। ଗାଁରେ ଦେଶୀ ମଦର ବନ୍ୟା ହେଲା। ତେଣୁ ଅସହ୍ୟ ହେଲା ପରେ ମହିଳାମାନେ ଗୋଡ଼ କାଢ଼ିଲେ। ମଦ ବେପାରୀଙ୍କୁ ସାବାଡ୍‌ କରିବା ପାଇଁ ଅଣ୍ଟା ଭିଡ଼ିଲେ। ଆଜି ସେମାନଙ୍କୁ ମିଳିଲା ବଡ଼ ସଫଳତା। ଦେଶୀ ମଦ ଚାଲାଣ କରୁଥିବା ଓ ଘରେ ରଖି ବିକୁଥିବା ଲୋକଙ୍କୁ ଧରି ଗାଁ ଦାଣ୍ଡରେ ବାନ୍ଧି ପକାଇଲେ। ଚନ୍ଦକା ଥାନା ପାଣିଓରା ଗାଁରେ ଆଜି ସକାଳୁ ଘଟିଥିବା ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ପୂର୍ବରୁ ଗାଁର ମହିଳାମାନେ ମଦ ବେପାରୀଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିବା ପାଇଁ ଛକି ରହିଥିଲେ। ତେବେ ବେପାରୀମାନେ କୌଶଳକ୍ରମେ ଖସି ଯାଉଥିଲେ। ଆଜି ସକାଳେ ଡମପଡ଼ା ଦୁଲଣାପୁରର ମୁକେଶ ରାଉତରାୟ ଓରଫ୍ ପପୁନି ଏକ ସ୍କୁଟି(ଓଡି୦୨ଏଇ-୫୮୬୫) ଯୋଗେ ପାଣିଓରା ଗାଁ ରାସ୍ତାରେ ପହଞ୍ଚିଥିଲା। ପାଣିଓରା-ପଳାସପୁର ରାସ୍ତାରେ ଏକ ନିଛାଟିଆ ଜଙ୍ଗଲିଆ ସ୍ଥାନରେ ସ୍କୁଟି ରଖି ଅପେକ୍ଷା କଲା। ତୁରନ୍ତ ଛକି ରହିଥିବା ମହିଳାମାନେ ତାକୁ ଘେରି ଯାଇଥିଲେ। ସେ ମଦ ବେପାରୀ ନୁହେଁ ଓ ପରିସ୍ରା କରିବା ପାଇଁ ସ୍କୁଟି ରଖି ଅପେକ୍ଷା କରିଛି ବୋଲି ବାହାନା କରି ଖସିବାକୁ ଚେଷ୍ଟା କରିଥିଲା। କିନ୍ତୁ ମହିଳାମାନେ ତାକୁ ଟାଣି ଟାଣି ଗାଁ ଭିତରକୁ ନେଇଯାଇଥିଲେ ଓ ଏକ ବିଦ୍ୟୁତ୍ ଖମ୍ବରେ ବାନ୍ଧି ପକାଇଥିଲେ। ପରେ ତା ସ୍କୁଟିରୁ ଏକ ମଦ ଭର୍ତ୍ତି ବ୍ଲାଡର ମିଳିଥିଲା। ସେଥିରେ ୩୦ ଲିଟର ମଦ ଥିଲା। ପପୁନିଠାରୁ ସୂଚନା ପାଇ ମହିଳାମାନେ ଗାଁର ନନ୍ଦ ପ୍ରଧାନ ଓ ପ୍ରବଣୀ ନାଏକ ଘରେ ଚଢ଼ଉ କରିଥିଲେ। ସେମାନଙ୍କୁ ବି ଟାଣି ଟାଣି ପପୁନି ବନ୍ଧା ହୋଇଥିବା ସ୍ଥାନକୁ ଆଣିଥିଲେ। ଖବର ପାଇ ଚନ୍ଦକା ଥାନା ଓ ମେଣ୍ଢାଶାଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ୩ ଜଣଙ୍କୁ ମହିଳାମାନଙ୍କଠାରୁ ଉଦ୍ଧାର କରି ସାଙ୍ଗରେ ନେଇ ଯାଇଥିଲେ। ପ୍ରଥମେ ମହିଳାମାନେ ସେମାନଙ୍କୁ ପୁଲିସ ଜିମା ଦେବାକୁ ନାରାଜ ଥିଲେ ବି ପରେ ବୁଝିଥିଲେ। ସୂଚନାଯୋଗ୍ୟ ଯେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ବ୍ୟାପକ ଦେଶୀ ମଦ ରନ୍ଧା ହେଉଛି ଓ ପପୁନି ଭଳି ବେପାରୀମାନେ ଅଭୟାରଣ୍ୟ ଆଖପାଖ ଗ୍ରାମାଞ୍ଚଳରେ ବିକ୍ରି କରୁଛନ୍ତି।

ସମ୍ବନ୍ଧିତ ଖବର