ଯୁବକଙ୍କୁ ହତ୍ୟା ଅଭିଯୋଗ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଚାରିଛକ : ଚାରିଛକ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ହତ୍ୟା କରି ନୟାହାଟ ନିକଟସ୍ଥ ନରସିଂହପୁର ମାଇନର କେନାଲ ନିକଟରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ପଦ୍ମନାଭ ଭୋଇ(୪୦)। ସେ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଦେବୀପାଟଣା ଗ୍ରାମର ବାସିନ୍ଦା। ଏ ନେଇ ପଦ୍ମନାଭଙ୍କ ପତ୍ନୀ ନୟାହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ ଓ ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଚାରିଛକ ଡାକ୍ତରଖାନା ସମ୍ମୁଖରେ ନିମାପଡା-କାକଟପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରାୟ ୩ ଘଣ୍ଟା ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନରେ ନୟାହାଟ ନିକଟସ୍ଥ ନରସିଂହପୁର ମାଇନର କେନାଲ ନିକଟରେ ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ନିମାପଡା ଏସ୍‌ଡିପିଓ ଶରତ ଚନ୍ଦ୍ର ମିଶ୍ର ଓ ଗୋପ ଥାନା ଅଧିକାରୀ ସୌମ୍ୟଚିତ୍ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ମୃତ ଯୁବକ ଜଣକ କଟକ ଜିଲ୍ଲା ନିଆଳୀ ଥାନା ଅନ୍ତର୍ଗତ ଦେବୀପାଟଣା ଗ୍ରାମର ପଦ୍ମନାଭ ଭୋଇ(୪୦) ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏ ନେଇ ମୃତକଙ୍କ ଭାଇଙ୍କ ଏତଲା କ୍ରମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ପଦ୍ମନାଭଙ୍କ ପତ୍ନୀ ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି ନୟାହାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ସ୍ଥାନୀୟ ନରସିଂହପୁର ଗ୍ରାମର କୁନା ନାହାକ ଓ ତାଙ୍କ ସାଙ୍ଗମାନେ ମିଶି ପଦ୍ମନାଭଙ୍କୁ ପିଟି ପିଟି ମାରି ଦେଇଥିବା ସେ ଅଭିଯୋଗ କରିଥିଲେ। ହେଲେ ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା। ଫଳରେ ଅଭିଯୁକ୍ତମାନଙ୍କୁ ଗିରଫ ଓ ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି ନେଇ ଆଜି ଶତାଧିକ ଗ୍ରାମବାସୀ ଚାରିଛକ ଡାକ୍ତରଖାନା ସମ୍ମୁଖରେ ରାସ୍ତାରୋକ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ଚାରିଛକ ଫାଣ୍ତି ଅଧିକାରୀ ପ୍ରମୋଦ ସେଠୀ, ନିମାପଡା ଥାନା ଆଇଆଇସି ଜନାର୍ଦ୍ଦନ ପାଢୀ, ଏସ୍‌ଡିପିଓ ଶରତ ଚନ୍ଦ୍ର ମିଶ୍ର, ଗୋପ ଥାନା ଅଧିକାରୀ ସୌମ୍ୟଚିତ୍ ମିଶ୍ର ପହ‌ଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର