ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଗାଁ ଲୋକେ, ପୁଲିସ ଭକୁଆ

ଭୁବନେଶ୍ବର/ବୋଲଗଡ଼ : ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସି ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୁଲିସ ହଟହଟା ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ଗ୍ରାମର ମହିଳା ଓ ପୁରୁଷ ମେଳି ବାନ୍ଧି ପୁଲିସଠାରୁ ଛଡ଼େଇ ନେଇଛନ୍ତି। ଫଳରେ ପୁଲିସ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି।

ଭୁବନେଶ୍ବର କମିସନରେଟ୍ ପୁଲିସ ଅନ୍ତର୍ଗତ ଏୟାରଫିଲ୍ଡ ଥାନାର କେସ ନଂ ୧୫୭/୧୯ ବଳରେ ଜନୈକ କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ପଦର୍ଶନ, ହତ୍ୟା ଧମକ ଓ ମାଡ ମାରିବା ଘଟଣାରେ ସଂପୃକ୍ତ ସେହିଅ‌ଳର ତାପସ ଚନ୍ଦ୍ର ବରାଳ ଓରଫ ରାଜା (୨୫)ଙ୍କୁ ଗିରଫ କରିବାକୁ ଗୁରୁବାର ଦିନ ରାତି ୭ଟାରେ ବୋଲଗଡ଼ ଥାନା ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମକୁ ଆସି ହଟହଟା ହେବାକୁ ପଡିଛି। ଘଟଣା ସ୍ଥଳରୁ ଆସାମୀକୁ ଗ୍ରାମବାସୀମାନେ ଛଡାଇ ନେବାକୁ ସକ୍ଷମ ହୋଇଛନ୍ତି।

ମିଳିଥିବା ସୂଚନାରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଡ଼ିପଡା ଗ୍ରାମର ସ୍ବର୍ଗତ ପ୍ରହଲାଦ ବରାଳଙ୍କ ପୁଅ ତାପସ ଚନ୍ଦ୍ର ବରାଳ ଓରଫ ରାଜା (୨୫) ଭୁବନେଶ୍ବର ଏୟାରପିଲ୍ଡ ଥାନା ଅଞ୍ଚଳରେ ରହୁଥିଲେ। ଗତ ୨୦୧୯ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ସେଠାରେ ଜଣେ କଲେଜ ଛାତ୍ରୀଙ୍କୁ ସାଙ୍ଗମାନଙ୍କ ସହିତ ମିଶି ଭିଡ଼ାଓଟରା କରିବା ସହିତ ଅଶ୍ଳୀଳ କମେଣ୍ଟ ଓ ହତ୍ୟା ଧମକ ଦେଇଥିଲେ। ଏସଂକ୍ରାନ୍ତରେ ଛାତ୍ରୀଙ୍କ ମା’ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିବାରୁ ପୁଲିସ ଦଫା ୩୪୧,୩୨୩, ୩୫୪(କ), ୩୫୪(ଘ) ,୫୦୬ ,୫୦୯ ଓ ୩୪ରେ ୧୫୭/୧୯ନମ୍ବର ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ମାତ୍ର ଅଭିଯୁକ୍ତ ତାପସ ସେହିଦିନ ଠାରୁ ଫେରାର ହୋଇଯାଇଥିଲେ। ତେବେ ତାପସ ବୋଲଗଡ଼ ଥାନା ଖଙ୍ଗୁରିଆ ଗ୍ରାମରେ ନିଜ ମାମୁଁ ଘରେ ଲୁଚି ରହିଥିବା ସମ୍ପର୍କରେ ସୂଚନା ପାଇ ଆଜି ସନ୍ଧ୍ୟାରେ ଏୟାରଫିଲ୍ଡ ଥାନାର ସବ୍‌ ଇନ୍‌ସପେକ୍ଟର ସୁଭଦ୍ରା କୁମାରୀ ଗିରିଙ୍କ ନେତୃତ୍ବରେଏକ ଟିମ୍‌ ବୋଲଗଡ଼ ଥାନାରେ ପହଞ୍ଚିଥିଲେ। ବୋଲଗଡ଼ ଥାନାର ଏସ୍‌ଆଇ କୁମର ମୁଦୁଲି ଓ ତାଙ୍କ ସହଯୋଗୀମାନଙ୍କ ସହାୟତାରେ ସନ୍ଧ୍ୟା ୭ଟା ବେଳେ ପୁଲିସ ସଦଳବଳେ ଖଙ୍ଗୁରିଆ ଗ୍ରାମରେ ଚଢ଼ଉ କରି ତାପସଙ୍କୁ ତାଙ୍କ ମାମୁ ଘରୁ ଗିରଫ କରିଥିଲେ। ଏହି ସମୟରେ ଗ୍ରାମର ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ମେଳି ହୋଇ ପୁଲିସ ଠାରୁ ତାପସଙ୍କୁ ଛଡ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର