ବାଲିପାଟଣା: ଧନୁଆ ନଈରେ ବନ୍ୟା ପାଣି ପ୍ରବାହିତ ହେଲେ ବାଲିପାଟଣା ବ୍ଲକ୍‌ର ଗରିଆ ଗାଁ ଜଳାର୍ଣ୍ଣବ ହୁଏ। ଗ୍ରାମର ଚାରିପଟେ ୧୦ ଫୁଟରୁ ଅଧିକ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥାଏ। ପ୍ରଶାସନକୁ ଏହି ଗ୍ରାମକୁ ଯିବାକୁ ହେଲେ ବୋଟ୍‌ କିମ୍ବା ଡ଼ଙ୍ଗା ବ୍ୟବହାର କରିଥାନ୍ତି। ଗ୍ରାମବାସୀଙ୍କ ବହୁ ନିବେଦନ ପରେ ଗରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ହେଲେ ପରିତାପର ବିଷୟ, ଏହା ମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ଯିବାପାଇଁ ଢଳେଇ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ଏପରିକି ବନ୍ୟା ଆସିଲେ ଆଶ୍ରୟସ୍ଥଳୀକୁ ଯିବାକୁ ମଧ୍ୟ ଲୋକଙ୍କୁ ଡ଼ଙ୍ଗା ଆବଶ୍ୟକ ପଡ଼େ। 

Advertisment

ଅନ୍ୟପକ୍ଷରେ ଗରିଆ ପ୍ରାଥମିକ ବିଦ୍ୟାଳୟ ଚାରିପଟେ ପାଚେରି ନିର୍ମାଣ ହୋଇ ନଥିବାରୁ ବର୍ଷା ଦିନେ କିମ୍ବା ଗ୍ରାମକୁ ବନ୍ୟାଜଳ ପ୍ରବେଶ କଲେ ଅନେକ ସରୀସୃପ ଶ୍ରେଣୀଗୃହରେ ପଶିଯିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ପାଚେରି ନଥିବାରୁ ବିଦ୍ୟାଳୟ ପରିସରରେ ଯେଉଁ ଗଛ ଲାଗେ ତାକୁ ବୁଲା ଗାଈ, ଷଣ୍ଢ, ଛେଳି, ମେଣ୍ଢା ଖାଇ ନଷ୍ଟ କରନ୍ତି। ତୁରନ୍ତ ଏହି ବିଦ୍ୟାଳୟ ଚାରିପଟେ ପାଚେରି ନିର୍ମାଣ କରିବା ସହିତ ବନ୍ୟା ଆଶ୍ରୟସ୍ଥଳୀକୁ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି। ନଚେତ୍ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଏ ସଂପର୍କରେ ରାଜସ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ଦାସ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳକୁ ରାସ୍ତାର ଆବଶ୍ୟକତା ଅଛି। ବ୍ଲକ୍‌ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧି ଏହା ଉପରେ ଆଲୋଚନା କରିଛନ୍ତି। ଆଗାମୀ ବର୍ଷ ମନରେଗା ଯୋଜନାରେ ମାଟି କାମ ପାଇଁ ପ୍ରସ୍ତାବ ଦିଆଯିବ। ସ୍କୁଲ ପାଚରି କାମ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ପଞ୍ଚାୟତ ତରଫରୁ ବ୍ୟୟବରାଦ ହୋଇ ପାରୁନାହିଁ। ବ୍ଲକ୍‌ ପ୍ରଶାସନ ତରଫରୁ ଅନୁଦାନ ମିଳିଲେ ପଚେରି ନିର୍ମାଣ ହୋଇପାରିବ।