ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର କାୟା ବଢ଼ିବ। ମିଶିବାକୁ ଆଗ୍ରହୀ ଉପକଣ୍ଠ ଅଞ୍ଚଳର ବହୁ ଗାଁ। ଯଦ୍ଦ୍ବାରା ଏହି ଗାଁଗୁଡ଼ିକରେ ରାଜଧାନୀର ସୁବିଧା ସୁଯୋଗ ମିଳିପାରିବ। ରାସ୍ତାଘାଟ, ନାଳ ଆଦି ସାଙ୍ଗକୁ ବିକାଶ କାମ ପଞ୍ଚାୟତିରାଜ ବିଭାଗ ବଦଳରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ କରିବ। ବିଏମ୍ସିରେ ମିଶିବାକୁ ଆଗ୍ରହ ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ୩ଟି ବ୍ଲକ୍ର ୧୪ଟି ପଞ୍ଚାୟତର ୭୧ ଗାଁ। ଏହି ଗାଁମାନଙ୍କର ତାଲିକା ଓ ଆବେଦନପତ୍ର ସବୁକୁ ବିଏମ୍ସି ନିକଟରେ ୩ ବ୍ଲକ୍ର ବିଡିଓ ଦାଖଲ କରିଛନ୍ତି। ସେଥିରୁ ସର୍ବାଧିକ ପଞ୍ଚାୟତ ଓ ଗାଁ ଏକାମ୍ର ନିର୍ବାଚନମଣ୍ଡଳୀର ବୋଲି ଜଣାପଡ଼ିଛି। ମିଶ୍ରଣ ନେଇ ଏହି ତାଲିକାର ତର୍ଜମା ଚାଲିଛି।
ସରକାରୀ ତଥ୍ୟ ମୁତାବକ, ବିଏମ୍ସିରେ ମିଶିବାକୁ ଆବେଦନ କରିଥିବା ୧୪ଟି ପଞ୍ଚାୟତରୁ ଭୁବନେଶ୍ବର ବ୍ଲକ୍ର ୧୨ଟି ପଞ୍ଚାୟତ ଥିବାବେଳେ ଜଟଣୀ ଓ ବାଲିଅନ୍ତାର ଗୋଟିଏ ଲେଖାଏଁ ପଞ୍ଚାୟତ ରହିଛି। ୨୦୧୧ ଜନଗଣନା ଅନୁସାରେ ମିଶିବାକୁ ଚାହୁଁଥିବା ଏହି ୭୧ ଗାଁର ଜନସଂଖ୍ୟା ୭୩ହଜାର ୪୮୬। ଗାଁଗୁଡ଼ିକ ଉପରେ ନଜର ପକାଇଲେ, ଜଟଣୀ ବ୍ଲକ୍ପ୍ରଧାନସାହି ପଞ୍ଚାୟତର ବୋତଣ୍ଡା, କଣ୍ଟିଲୋ, ଓରକୋଳ ଓ କ୍ଷେତ୍ରପାଳ ଗାଁ ବିଏମ୍ସିରେ ମିଶିବାକୁ ଆବେଦନ କରିଛନ୍ତି। ସେହିଭଳି ବାଲିଅନ୍ତା ବ୍ଲକ୍ଅନ୍ତର୍ଗତ ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ଗାଁ ବିଏମ୍ସିରେ ମିଶିବାକୁ ଆଗ୍ରହ ଦେଖାଇଛି।
ତାଲିକା ଦେଇଛନ୍ତି ୩ ବ୍ଲକ୍ର ବିଡିଓ
ଆବେଦନ କରିଛନ୍ତି ୧୪ ପଞ୍ଚାୟତର ୭୧ ଗାଁ
ଯୋଗ୍ୟ କି ଅଯୋଗ୍ୟ ନେଇ ତାଲିକାର ଚାଲିଛି ତର୍ଜମା
ଏକାମ୍ର ନିର୍ବାଚନମଣ୍ଡଳୀରୁ ସର୍ବାଧିକ
ଭୁବନେଶ୍ବର ବ୍ଲକ୍ର ବିଭିନ୍ନ ପଞ୍ଚାୟତ କଥା ଦେଖିଲେ, ରଣସିଂହପୁରର ଗୋଟିଏ, ତମାଣ୍ଡୋର ୯ଟି, ଶିଶୁପାଳଗଡ଼ର ୩ଟି, ଅନ୍ଧାରୁଆର ୫ଟି, ଧଉଳିର ୧୨ଟି, ଇତିପୁରର ୧୨ଟି, କଣ୍ଟାବାଡ଼ର ୪ଟି, ମେଣ୍ଢାଶାଳର ୫ଟି, ବାସୁଆଘାଇର ୪ଟି, ଦାଢ଼ାର ୫ଟି, ଲିଙ୍ଗିପୁରର ୨ଟି ଓ ଟିକରପଡ଼ାର ୫ଟି ଗାଁ ମହାନଗରରେ ମିଶିବାକୁ ଆବେଦନ କରିଛନ୍ତି। ଗାଁଗୁଡ଼ିକ ଉପରେ ନଜର ପକାଇଲେ, ରଣସିଂହପୁର ପଞ୍ଚାୟତର ସିଜୁଆ, ତମାଣ୍ଡୋର ସିଜୁପୁଟ, ନରଗୋଦା, ସହଜପୁର, ତମାଣ୍ଡୋ, ବିଜିପୁର, ଦଶବାଟିଆ, ବାଲିପଡ଼ା, କାଶୀପୁର ଓ ବେଗୁନିଆବରାହୀ, ଶିଶୁପାଳଗଡ଼ ପଞ୍ଚାୟତର ବଡ଼ଧାନପୁର, ଶିଶୁପାଳଗଡ଼ ଓ ମହାଭୋଇ ଶାସନ, ଅନ୍ଧାରୁଆ ପଞ୍ଚାୟତର ଜଗନ୍ନାଥପ୍ରସାଦ, ଅନ୍ଧାରୁଆ, ଦାସପୁର, ପଡ଼ା(ଚୁନୁକୋଳି), ଗୋଦାବରି, ଧଉଳି ପଞ୍ଚାୟତର ସରଦେଈପୁରପାଟଣା, ସରଦେଈପୁର, ସାମନ୍ତରାପୁରପାଟଣା, ଗେଲପୁର, ନଖୌରପାଟଣା, ଗୋପୀନାଥପୁର, ନଖୌର, କୃଷ୍ଣପୁର, ଜଗନ୍ନାଥପୁରପାଟଣା, ଖଟୁଆପଡ଼ା, ଧଉଳି ଓ କୌଶଲ୍ୟାଗଙ୍ଗ, ଇତିପୁର ପଞ୍ଚାୟତର ଜୟପୁରପାଟଣା, ଜୟପୁର, ବିକିପୁର, ଡିହପୁର, ମୋହନପୁର, ଦଧିବାମନପୁର, ନିସ୍ତାରିଣୀପୁର, ଇତିପୁର, ରାଧାମୋହନପୁର, ଗୋବର୍ଦ୍ଧନପୁର ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍ କଲୋନି ଓ କୁକୁଡ଼ାଖାଇ, କଣ୍ଟାବାଡ଼ ପଞ୍ଚାୟତର ଡାଳୁଅ, ଭୋଳ, କଣ୍ଟାବାଡ଼ ଓ ଭଗବତୀପୁର, ମେଣ୍ଢାଶାଳ ପଞ୍ଚାୟତର ଗିରିଙ୍ଗାପୁଟ, ବାରପିଟା, ହରିଡ଼ାମାଡ଼, ହରିପୁର, ମେଣ୍ଢାଶାଳ; ବାସୁଆଘାଇ ପଞ୍ଚାୟତର ଦୁର୍ଗାପୁରପାଟଣା, ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍ କଲୋନି ଏରିଆ, କେଶୁରା, କୋରଡ଼କଣ୍ଟା ଓ ବାଙ୍କୁଆଳ, ଦାଢ଼ା ପଞ୍ଚାୟତର ପଦାସାହି, ବାଲିପଡ଼ା, କଣ୍ଟୁଣିଆ, ମରିଛିଆ ଓ ଝିଙ୍କରପଡ଼ା, ଲିଙ୍ଗିପୁର ପଞ୍ଚାୟତର ରଘୁନାଥପୁର ଓ ଲିଙ୍ଗିପୁର ଏବଂ ଟିକରପଡ଼ା ପଞ୍ଚାୟତର କଲ୍ୟାଣପୁର ଶାସନ, ଗଙ୍ଗେଶ୍ବରପୁର ଶାସନ, ଟିକରପଡ଼ା, ବସନ୍ତପୁର ଶାସନ ଓ ପଳାସପୁର ଶାସନ ଗାଁ ଏହି ତାଲିକାରେ ରହିଛନ୍ତି।
ବିଏମ୍ସି ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ କହିଛନ୍ତି, କେଉଁ ଗାଁ ମିଶିବ ଓ କେଉଁ ଗାଁ ମିଶିବନି, ତାହା ଅଦ୍ୟାବଧି ଚୂଡ଼ାନ୍ତ ହୋଇନି। ସଂପୃକ୍ତ ବିଡିଓଙ୍କଠାରୁ ବିଏମ୍ସି ପାଖକୁ ଗାଁମାନଙ୍କର ତାଲିକା ଆସିଛି ଓ ଏହି ଗାଁ ସବୁ ମିଶାଇବାକୁ ପ୍ରସ୍ତାବ ବି ଆସିଛି। କେଉଁ ଗାଁ ମିଶିବ, ତାଲିକା ଚୂଡ଼ାନ୍ତ ହେଲେ ବିଏମ୍ସି ପକ୍ଷରୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁମୋଦନ ପାଇଁ ଏକ ପ୍ରସ୍ତାବ ପଠାଯିବ। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ଗାଁ ମିଶିବ ନା ନାହିଁ, ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ବିଭାଗ ବି ଏ ସଂପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ। ଯଦି କେଉଁ କେଉଁ ଗାଁ ବିଏମ୍ସିରେ ମିଶିବ ଚୂଡ଼ାନ୍ତ ହୋଇଯାଏ, ତେବେ ସଂପୃକ୍ତ ଅଞ୍ଚଳବାସୀ ବିଏମ୍ସିର ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି ଶ୍ରୀ ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/21/bmc-2025-06-21-02-15-45.jpg)