ବାରଙ୍ଗ: ଭୁବନେଶ୍ୱର ଉପକଣ୍ଠରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ଗାଡ଼ିରେ ଅପହରଣ କରି କିଛି ଯୁବକ ଲୁହା ରଡ୍‌ରେ ରକ୍ତାକ୍ତ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଲୋକ ଦେଖିଦେବା ପରେ ସେମାନେ ଯୁବକଙ୍କୁ ରାସ୍ତାରେ ଫିଙ୍ଗି ଫାଙ୍କା ଗୁଳି ଚାଳନା କରି ଫେରାର ହୋଇ ଯାଇଛନ୍ତି। ଆହତ ଯୁବକ ବରିମୁଣ୍ଡ ଗ୍ରାମର ସନ୍ତୋଷ କୁମାର ପଣ୍ଡା ବୋଲି ଜଣାପଡ଼ିଛି। ଗଣ୍ଡରପୁର ଗ୍ରାମ ପାଖ କୁଆଖାଇ ନଦୀ ପଠାରୁ ତାଙ୍କୁ ନନ୍ଦନକାନନ ଥାନା ପୁଲିସ ଉଦ୍ଧାର କରିଛି। ସନ୍ତୋଷଙ୍କ ବୟାନ ଓ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏଣେ ସନ୍ତୋଷଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଦୁଇଟି ଯାକ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଗଭୀର କ୍ଷତ ହୋଇଛି। ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଆକ୍ରମଣ ପଛରେ ଜମି ବେପାରରୁ ଶତ୍ରୁତା ନେଇ ପୁଲିସ ସନ୍ଦେହ କରୁଛି। 

Advertisment

ସନ୍ତୋଷଙ୍କ ଅଭିଯୋଗ ମୁତାବକ, ସେ ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ ପାଖରେ ସାନ୍ଧ୍ୟ ଭ୍ରମଣ କରୁଥିଲେ। ପାଖରେ ତାଙ୍କ ଗ୍ରାମର ପବିତ୍ର ବେହେରା ଥିଲେ। ଏକ ବୋଲେରୋ ଗାଡ଼ିରେ ୮ ଜଣ ଯୁବକ ଆସି ତାଙ୍କୁ ଟେକି ନେଇଥିଲେ। ଗାଡ଼ି ଭିତରେ ପୁରାଇ ଗଣ୍ଡପୁର ଆଡ଼କୁ ପଳାଇଥିଲେ। ସେଠାରୁ ପାଞ୍ଚ କିଲୋମିଟର ଦୂର ନନ୍ଦନକାନନ ଥାନା ଅଞ୍ଚଳ ଗଣ୍ଡରପୁର ନଦୀ ପଠାରେ ଲୁହା ରଡ୍‌ରେ ପିଟିଥିଲେ। ଗୋଡ଼ ଭାଙ୍ଗିଯିବା ପରେ ପାଟି ଶୁଣି ସ୍ଥାନୀୟ ଲୋକେ ଦଉଡ଼ି ଆସିଥି‌ଲେ। ଯୁବକମାନେ ଫାଙ୍କା ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଏଣେ ପବିତ୍ର ବେହେରା ପାଟି କରିବାରୁ ଅନ୍ୟମାନେ ଆସି ଗାଡ଼ି ପିଛା କରିଥିଲେ। ଖବର ପାଇ ପରିବାର ସଦସ୍ୟ ମଧ୍ୟ ଖୋଜିବା ଆରମ୍ଭ କରିଥିଲେ। ସନ୍ଧ୍ୟା ସାଢେ ସାତଟା ବେଳକୁ ସେମାନେ ତାଙ୍କୁ ପଠାରୁ ପାଇ ପୁଲିସକୁ ଖବର ଦେଇଥିଲେ। ଆକ୍ରମଣର ଶୀକାର ସନ୍ତୋଷ ଜମି ବ୍ୟବସାୟରେ ଲିପ୍ତ ଥିବାରୁ ଏହି କାରଣରୁ ଶତ୍ରୁତା ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।