ସଙ୍ଗରୋଧ ନିୟମ ମାନୁନାହାନ୍ତି : ଘରେ ଷ୍ଟିକର୍‌, ବାହାରେ ଲୋକ ବୁଲୁଛନ୍ତି

ସ୍ଥାନୀୟ ସଂସ୍ପର୍ଶରେ କିପରି ଆସୁଛନ୍ତି
ବିଏମ୍‌ସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉନଥିବା ଅଭିଯୋଗ

ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ଆଜି ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ରାଜଧାନୀରେ ୧୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏଥିରୁ ୫୮ଜଣ ଏବେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୬୦ଜଣ ସୁସ୍ଥ ହେ‌ାଇଛନ୍ତି। ଆଜି ଯେଉଁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିରୁ ୧୪ ଜଣ ଘରେ ସଙ୍ଗରୋଧ ଥିବା ବେଳେ ଦୁଇ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି।

ଚିନ୍ତାର ବିଷୟ ହେଉଛି, କିଛି ଦିନ ମଧ୍ୟରେ ଭୁବନେଶ୍ବରରେ ଯେଉଁ କରୋନା ଆକ୍ରାନ୍ତ ବାହାରୁଛନ୍ତି, ସେଥିରୁ ୯୦%ରୁ ଅଧିକ ଘରେ ସଙ୍ଗରୋଧରେ ରହିଥିବା ଲୋକ। ହେଲେ ବାକି ୧୦%ଙ୍କୁ ବିଏମ୍‌ସି କର୍ତ୍ତୃପକ୍ଷ ସ୍ଥାନୀୟ ସଂସ୍ପର୍ଶରେ ଆସିଥିବା (ଲୋକାଲ କଣ୍ଟାକ୍ଟ କେସେସ୍‌) କହୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ସ୍ଥାନୀୟ ସଂସ୍ପର୍ଶରେ କିପରି ଜଣେ ଆସି କରୋନା ଆକ୍ରାନ୍ତ ହୋଇଗଲା। ଯଦି ସଙ୍ଗରୋଧରେ ଥିବା ବ୍ୟକ୍ତି ବାହାରେ ବୁଲିଛନ୍ତି, ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ନଚେତ୍‌ ଏବେ ବି ବାହାରେ ବହୁ କରୋନା ଆକ୍ରାନ୍ତ ବୁଲୁଛନ୍ତି, ଯାହାଙ୍କୁ ପ୍ରଶାସନ ଚିହ୍ନଟ କରିପାରୁନି।

ନିକଟରେ କିଛି ଘଟିଥିବା ଘଟଣାରୁ ଜଣାପଡ଼ିଛି ଯେ ଘରେ ଯେଉଁମାନଙ୍କୁ ସଙ୍ଗରୋଧ ରହିବାକୁ କୁହାଯାଇଛି, ଅର୍ଥାତ୍‌ ଯେଉଁମାନଙ୍କ ଘର ଆଗରେ ସଙ୍ଗରୋଧ ଷ୍ଟିକର୍‌ ବିଏମ୍‌ସି ଲଗାଇଛି, ସେମାନେ ବାହାରେ ବୁଲୁଛନ୍ତି। ଘରେ ୧୪ ଦିନ ସଙ୍ଗରୋଧ ରହିବା ବାଧ୍ୟତାମୂଳକ କୁହାଯାଇଥିଲେ ହେଁ ସେମାନେ ସଙ୍ଗରୋଧରେ ରହୁନାହାନ୍ତି। ବିଭିନ୍ନ ସାମଗ୍ରୀ କିଣିବା ହେଉ କି କୌଣସି କାର୍ଯ୍ୟ‌େର ସେମାନେ ସର୍ବସାଧାରଣ ସ୍ଥାନକୁ ଆସୁଛନ୍ତି। ଆଉ ସେମାନଙ୍କର କରୋନା ପଜିଟିଭ୍‌ ବାହାରିବା ବେଳକୁ ସେମାନେ ବହୁତ ଲୋକଙ୍କ ସଂସ୍ପର୍ଶରେ ଆସି ଯାଉଛନ୍ତି। ଯେଉଁଥିପାଇଁ ସ୍ଥାନୀୟ ସଂସ୍ପର୍ଶ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଅପରପକ୍ଷେ ସାଲିଆ ସାହିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ପ୍ରାୟ ୪୦ଜଣଙ୍କ ଘରେ ସଙ୍ଗରୋଧ ଷ୍ଟିକର୍‌ ଲଗାଇଛି। କେବଳ ସାଲିଆ ସାହି ନୁହେଁ, ରାଜଧାନୀରେ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କ ଘରେ ବିଏମ୍‌ସି ସଙ୍ଗରୋଧ ଷ୍ଟିକର୍‌ ଲଗାଇଛି। ହେଲେ ସେମାନେ କିପରି ଘରେ ରହିବେ, ବାହାରକୁ ବାହାରିବେନି, ସେ ବ୍ୟବସ୍ଥା ବିଏମ୍‌ସି କରୁନି। ଯେଉଁଥିପାଇଁ ଏବେ ସବୁ ଗଳିକନ୍ଦିରେ ସଙ୍ଗରୋଧ ଥିବା ବ୍ୟକ୍ତି ବୁଲୁଛନ୍ତି।

ସାଲିଆ ସାହିରେ ସଙ୍ଗରୋଧ ରହୁଥିବା ବ୍ୟକ୍ତି ବାହାରେ ବୁଲିବା ନେଇ ପଚାରିବାରୁ ସେମାନେ କହୁଛନ୍ତି ଯେ ବିଏମ୍‌ସି ସିନା ଆମ ଘରେ ସଙ୍ଗରୋଧ ଷ୍ଟିକର୍‌ ଲଗାଇଦେଲା, ହେଲେ ଆମେ ଡାଲି, ତେଲ, ପରିବା କେମିତି କିଣିବୁ, ସେ ବ୍ୟବସ୍ଥା କରିନି। ‌ଆମେ ତ ଦିନ ମଜୁରିଆ, କାମ ନକଲେ ଟଙ୍କା କିଏ ଦେବ, ଖାଇବୁ କ’ଣ। ତେଣୁ ଆମେ ବାହାରକୁ ଯେମିତି କାମ କରିବାକୁ ଯାଉଥିଲୁ, ଏବେ ସେମିତି ଯାଉଛୁ। ପାଖ ଦୋକାନ, ବଜାରକୁ ଯାଇ ଜିନିଷ କିଣୁଛୁ। ଯଦି ବିଏମ୍‌ସି ଆମକୁ ଘର ପାଖରେ ବିଭିନ୍ନ ସାମଗ୍ରୀ ଯୋଗାଇଦେବ, ଆମକୁ ଘରେ ରହି କାମ କରିବାର ସୁଯୋଗ ଦେବ, ତେବେ ଆମେ କାହିଁକି ବାହାରକୁ ଯିବୁ।

କେବଳ ବସ୍ତିରେ ନୁହେଁ। ବିଭିନ୍ନ ଆପାର୍ଟମେଣ୍ଟ, କଲୋନି, ଗୋଟିକିଆ ଘରେ ବି ସଙ୍ଗରୋଧ ରହୁଥିବା ଲୋକ ବାହାରେ ବୁଲୁଛନ୍ତି। ବିଏମ୍‌ସି ସେମାନଙ୍କୁ ହାତପାହାନ୍ତାରେ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ଯୋଗାଉ ନ ଥିବାରୁ ସେମାନେ ଏହାକୁ କିଣାକିଣି କରିବା ପାଇଁ ବାହାରକୁ ଆସୁଥିବା କହିଛନ୍ତି। ଘରେ ସଙ୍ଗରୋଧ ଷ୍ଟିକର୍‌ ଲାଗିଥିବା ଲୋକ ବାହାରେ ବୁଲୁଥିଲେ ହେଁ ବିଏମ୍‌ସି କି କମିସନରେଟ୍‌ ପୁଲିସ ପକ୍ଷରୁ କିଛି ପଦକ୍ଷେପ ନିଆଯାଉନି। ଫଳରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଲୋକ ପୂର୍ବରୁ ଆଖପାଖ ହାଟ, ବଜାର ବୁଲି ସାରିଥିବାରୁ ଆଗକୁ ଯେ ଆକ୍ରାନ୍ତଙ୍କ ସଂଖ୍ୟା ଅସମ୍ଭାଳ ହେବ, ତାହା ସ୍ପଷ୍ଟ ହୋଇଗଲାଣି।

ସଙ୍ଗରୋଧ ରହୁଥିବା ଲୋକଙ୍କ ପାଇଁ ଦୋକାନ ଚିହ୍ନଟ ହୋଇଛି: ବିଏମ୍‌ସି
ପୂର୍ବରୁ ବିଏମ୍‌ସି ରାଜଧାନୀର ଯେଉଁଠି କଣ୍ଟେନମେଣ୍ଟ ଜୋନ୍‌ (ସଂକ୍ରମଣ ଅବରୋଧ ଅଞ୍ଚଳ) ଘୋଷଣା କରିଥିଲା, ସେଠାରୁ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ପରିବା ଗାଡ଼ି, ସଉଦା ଗାଡ଼ି, କ୍ଷୀର ଗାଡ଼ି ପଠାଉଥିଲା। ତେଣୁ ଲୋକମାନେ ‌ସେମାନଙ୍କ ଅଞ୍ଚଳ ବାହାରକୁ ଆସୁ ନଥିଲେ। ହେଲେ ଏବେ ଯେଉଁଠି ଲୋକ ସଙ୍ଗରୋଧ ରହୁଛନ୍ତି, ସେଠାରେ ଲୋକଙ୍କୁ କିଛି ଯୋଗାଇ ଦିଆଯାଉନି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମେ ସଙ୍ଗରୋଧ ରହୁଥିବା ଲୋକଙ୍କ ପାଇଁ ସେମାନଙ୍କ ୱାର୍ଡରେ ଦୋକାନ ଚିହ୍ନଟ କରିଛୁ। ଦୋକାନ ନମ୍ବର ବି ଦେଇଛୁ। ସେମାନେ ସେମାନଙ୍କର କ’ଣ ସାମଗ୍ରୀ ଦରକାର, ତାହା ଜଣାଇଲେ ଘରେ ଯୋଗାଇ ଦେବାକୁ କୁହାଯାଇଛି। ଏପରିକି ସର୍ଭେଲାନ୍ସ ଟିମ୍‌ ଯେତେବେଳେ ଯାଉଛନ୍ତି, ସେମାନେ ବି ଲୋକଙ୍କୁ ପଚାରି ସାମଗ୍ରୀ ଯୋଗାଇ ଦେବାକୁ କୁହାଯାଇଛି। କେବଳ ଏତିକି ନୁହେଁ, ଆଶା କର୍ମୀମାନେ ସଙ୍ଗରୋଧ ରହୁଥିବା ଲୋକଙ୍କଠାରୁ ଫର୍ମ ପୂରଣ କରି ଆଣିବା ବେଳେ ମୋବାଇଲ୍‌ ନମ୍ବର ଦେଉଛନ୍ତି ଓ ଆଣୁଛନ୍ତି। ୱାର୍ଡ ଅଫିସରଙ୍କ ନମ୍ବର ବି ଦେଉଛନ୍ତି। ଲୋକ ୱାର୍ଡ ଅଫିସରଙ୍କୁ ଫୋନ୍‌ କରି ଜଣାଇଲେ ସେ ‌ସାମଗ୍ରୀ ଯୋଗାଇଦେବେ। କିନ୍ତୁ ଯିଏ ଯେଉଁ ସାମଗ୍ରୀ ନେବେ, ଦୋକାନୀକୁ ସେଥିପାଇଁ ଟଙ୍କା ବି ଦେବେ। ବିଏମ୍‌ସିର ଏଭଳି କଥାକୁ କିନ୍ତୁ ସଙ୍ଗରୋଧ ରହୁଥିବା ଲୋକ ମିଛ କହୁଛନ୍ତି। ସେମାନେ କହିଛନ୍ତି ଯେ ଆମର କ’ଣ ଦରକାର, କେହି ପଚାରୁ ନାହାନ୍ତି।

ସଙ୍ଗରୋଧ ଲୋକଙ୍କୁ ଜଗିବ କିଏ?
ସଙ୍ଗରୋଧରେ ରହୁଥିବା ଲୋକ ବାହାରକୁ ବାହାରିଲେ ତାଙ୍କୁ ଟ୍ରାକ୍‌ କରିବା, ଅଧିକ ଅଞ୍ଚଳ ବୁଲିବା ପୂର୍ବରୁ ଧରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ଟିମ୍‌ ଗଠନ ହୋଇଛି। ଏହି ଟିମ୍‌ ସଙ୍ଗରୋଧରେ ରହୁଥିବା ଲୋକଙ୍କ ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରିବା ସହ ସେମାନଙ୍କ ଉପରେ ନଜର ରଖୁଛି ବୋଲି କହୁଛି। କିନ୍ତୁ ଏବେ ବି ବହୁ ଲୋକ ବାହାରେ ବୁଲୁଛନ୍ତି। ହେଲେ କାହାକୁ ପୁଲିସ ଧରିପାରୁନି। ପୁଲିସ ଫୋନ୍‌ ଟ୍ରାକ୍‌ କରୁଥିବା କହୁଥିଲେ ହେଁ ପ୍ରକୃତରେ ଏହା ହେଉନି। କାରଣ ଗୋଟିଏ ଘରେ ଏକାଧିକ ସଦସ୍ୟ ସଙ୍ଗରୋଧରେ ରହୁଥିବା ବେଳେ ପୁଲିସ ପାଖରେ କେବଳ ଗୋଟିଏ ମୋବାଇଲ ନମ୍ବର ଅଛି। ତେଣୁ ପରିବାରର ଅନ୍ୟ ଲୋକ ଆସିଲେ ପୁଲିସ ପାଖରେ ଖବର ରହୁନି। ଏପଟେ ବିଏମ୍‌ସି କର୍ତ୍ତୃପକ୍ଷ ବି ଜେଡ୍‌ଡିସିମାନଙ୍କ ଦ୍ବାରା ସଙ୍ଗରୋଧରେ ଥିବା ଲୋକଙ୍କ ଉପରେ ନଜର ରଖୁଛନ୍ତି। ହେଲେ କିଛି ସଫଳ ହେଉନି।

ସମ୍ବନ୍ଧିତ ଖବର