ଖଣ୍ଡଗିରି ମାଘମେଳାରେ କୋଭିଡ୍‌ ନିୟମ ଉଲ୍ଲଂଘନ : ନାଗା ସନ୍ନ୍ୟାସୀଙ୍କ ଚିକିତ୍ସା ଉପରେ କଟକଣା

ବାବାଙ୍କ ପାଖରେ ହେଉଥିଲା ପ୍ରବଳ ଭିଡ଼
ବାବା ଓ ଭକ୍ତଙ୍କୁ ରୋକିଲା ବିଏମ୍‌ସି

ଖଣ୍ଡଗିରି : ଖଣ୍ଡଗିରି ମାଘମେଳାକୁ ଆସିଥିବା ଡାକ୍ତର ବାବା ଭାବେ ପରିଚିତ ମହନ୍ତ ମୋହନ ଗିରି ନାଗା ସନ୍ନ୍ୟାସୀଙ୍କ ନିକଟରେ ଭକ୍ତ ଓ ରୋଗୀମାନେ ପ୍ରବଳ ଭିଡ଼ ଜମାଇବାରୁ ଏହା ଉପରେ ବିଏମସି ଆଜି କଟକଣା ଲଗାଇଛି। ବାବାଙ୍କ ନିକଟରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ ଆସିବା ପରେ ଦକ୍ଷିଣ ପଶ୍ଚିମ ଜୋନାଲ୍ ଡେପୁଟି କମିସନର୍ ରବିନାରାୟଣ ଜେଠୀଙ୍କ ନେତୃତ୍ବରେ ବିଏମ୍‌ସିର ଏକ ଏନ‌ଫୋର୍ସମେଣ୍ଟ ଟିମ୍‌ ଭିଡ଼ ହଟାଇବା ସହ ବାବାଙ୍କୁ ଏଠାରେ ଚିକିତ୍ସା କରିବାକୁ ବାରଣ କରିଛନ୍ତି। କେବଳ ସକାଳେ ଓ ସନ୍ଧ୍ୟାବେଳେ ବାବା ପରମ୍ପରା ଓ ରୀତିନୀତି ରକ୍ଷା ପାଇଁ ଖଣ୍ଡଗିରିକୁ ଆସିପ‌ାରିବେ ବୋଲି ନିର୍ଦେଶ ହୋଇଛି।

ଖଣ୍ଡଗିରିକୁ ଆସିଥିବା ମୋହନ ଗିରିର ନାଗା ବାବା ନିଜେ ଆୟୁର୍ବେଦିକ ଡାକ୍ତର ବୋଲି ଜଣାଇବା ପରେ କିଛି ଦିନ ହେଲା ତାଙ୍କ ନିକଟରେ ଲୋକଙ୍କ ଖୁବ୍ ଭିଡ଼ ଲାଗିଥିଲା। ‌ବାବାଙ୍କୁ ଦେଖାଇଲେ ଦୁରାରୋଗ୍ୟ ରୋଗ ଭଲ ହୋଇଯିବ ବୋଲି ବିଶ୍ବାସ କରି ଶହ ଶହ ଲୋକ ବିଭିନ୍ନ ସ୍ଥାନରୁ ତାଙ୍କ ପାଖକୁ ଛୁଟି ଆସୁଥିଲେ। ଭୋର୍ ୪ଟାରୁ ଲମ୍ବା ଧାଡ଼ି ଲାଗୁଥିଲା ଏବଂ ଲୋକେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ରହୁଥିଲେ। ତେବେ ଏହି ସମୟରେ ବାବା କିମ୍ବା ତାଙ୍କ ପାଖକୁ ଆସୁଥିବା କୌଣସି ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରହୁ ନ ଥିଲା। କୋଭିଡ୍‌ ନିୟମ ପାଳନ ନେଇ ମଧ୍ୟ ନିଜେ ବାବା କିମ୍ବା ମେଳା ଆୟୋଜନ କମିଟି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିଲା।

କିଛି ଦିନ ହେଲା ଏହିଭଳି ଭିଡ଼ ଯୋଗୁଁ ମଝିମଝିରେ ପୁଲିସ ଟିମ୍‌ ଆସି ଭିଡ଼ ଜମାଇଥିବା ଲୋକଙ୍କୁ ଘୋଉଡ଼ାଉଥିଲେ। ମାତ୍ର କୋଭିଡ ନିୟମ ଉଲ୍ଲଂଘନ ନେଇ ନିଶ୍ଚିତ ହେବା ପରେ ଆଜି ବିଏମସିର ଏକ ଏନ‌ଫୋର୍ସମେଣ୍ଟ ଟିମ୍ ଏଠାରେ ପହଞ୍ଚି ଭିଡ଼ ହଟାଇବା ସହ ବାବାଙ୍କୁ ଚିକିତ୍ସାରୁ ନିବୃତ୍ତ କରିଥିଲେ।

ସମ୍ବନ୍ଧିତ ଖବର