ହାଇକୋର୍ଟଙ୍କ ଆଦେଶ ଉଲ୍ଲଂଘନ, ସତ୍ୟପାଠ ମାଧ୍ୟମରେ ବିଏମସି ଦେବ ସ୍ପଷ୍ଟୀକରଣ

କଟକ: ଲିଙ୍ଗରାଜ ଥାନା ଅଧୀନ ଅଞ୍ଚଳରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ପୁଣି ବିବାଦ ଦେଖା ଦେଇଛି। ନିୟମ ଉଲ୍ଲଂଘନ କରି ତଥ‌ା ଆବେଦନକାରୀଙ୍କ ବିନା ଅନୁମତିରେ ତାଙ୍କ ଘର ଭାଙ୍ଗାଯିବା ଓ ଜମିରୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ବିଏମସି ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। କରୋନା ମହାମାରୀ ସମୟରେ ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ନିର୍ମାଣ ଭଙ୍ଗା ଓ ଉଚ୍ଛେଦ କାର୍ଯ୍ୟ କରାଯିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଏହା ଉଲ୍ଲଂଘନ କରାଯାଇ ତାଙ୍କ ଘର ଆଂଶିକ ଭାଙ୍ଗି ଦିଆଯାଇଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କାହିଁକି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରାଯାଇଛି ଓ କେଉଁ ପରିସ୍ଥିତିରେ ଏପରି ପଦକ୍ଷେପ ନିଆଯାଇଥିଲା ସେ ନେଇ ସତ୍ୟାପାଠ ମାଧ୍ୟମରେ ସ୍ପଷ୍ଟ କରିବାକୁ ବିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରୀଙ୍କ ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୭ରେ ଏ ସଂପର୍କତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ନିୟମ ପାଳନ ନ କରି ଆବେଦନକାରୀଙ୍କ ଜମି ଉପରେ ଥିବା ଘର ଅଂଶିକ ଭାବେ ଭାଙ୍ଗି ଦିଆଯାଇଛି ବୋଲି ଦର୍ଶାଇ ଏହି ମାମଲା ରୁଜୁ ହୋଇଛି। ଶୁଣାଣି ସମୟରେ ବିଏମସି ପକ୍ଷରୁ ଦର୍ଶାଯାଇଥିଲା ଯେ କ୍ଷତିପୂରଣ ପ୍ରଦାନ ସହିତ ଏହି ସ୍ଥାନରେ ରହୁଥିବା ବ୍ୟକ୍ତିଙ୍କ ଅନୁମତି ନେବା ପରେ ୨୦୨୦, ଡିସେମ୍ବର ୫ରେ ଘରର ଅଂଶିକ ଦଖଲ ବିଏମସି ନେଇଥିଲା। ଅନ୍ୟପକ୍ଷରେ ଆବେଦନକାରୀ ଦର୍ଶାଇଥିଲେ ଯେ ଆଇନରେ ଥିବା ପ୍ରକ୍ରିୟା ଅନୁସରଣ ନ କରି ତାଙ୍କ ଘର ଆଂଶିକ ଭାଙ୍ଗି ଦିଆଯାଇଛି। ମାମଲାରେ ରାଜ୍ୟ ସରକାର, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର, ବିଏମସି, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ, ଲିଙ୍ଗରାଜ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର