ଖଣ୍ଡଗିରିରେ ଟ୍ରାଫିକ୍ ନିୟମକୁ ଫୁ’: ଭୁଲ୍‌ ପାର୍ଶ୍ବରେ ବେଧଡ଼କ ଗାଡ଼ିଚାଳନା

ଖଣ୍ଡଗିରି: ଖଣ୍ଡଗିରି ଅଞ୍ଚଳରେ ନାହିଁ ଟ୍ରାଫିକ୍‌ ନିୟମ। ପାତ୍ରପଡ଼ାରୁ ଆରମ୍ଭ କରି କସ୍‌ମୋପଲିସ୍‌ ଛକ, ରାଜଧାନୀ କଲେଜ ଛକ, ସିଟି ମହିଳା ମହାବିଦ୍ୟାଳୟ ଛକ, ଜାଗମରା ଛକ, ଗଣ୍ଡମୁଣ୍ଡା ଛକ ସବୁଠି ଗାଡ଼ିଚାଳକମାନେ ବେଧଡ଼କ ରଙ୍ଗରୁଟ୍‌ରେ ଯା‌’ଆସ କରୁଛନ୍ତି। ବର୍ଷ ବର୍ଷ ଧରି ଟ୍ରାଫିକ୍‌ ନିୟମକୁ ଫୁ’ କରି ବେପରୁଆ ଭାବେ ଦୁଇ ଚକିଆ ଓ ଚାରିଚକିଆ ଗାଡ଼ିଚାଳକମାନେ ରଙ୍ଗରୁଟ୍‌ରେ ଯାତାୟାତ କରୁଛନ୍ତି। ସୌଭାଗ୍ୟକୁ ମୁଣ୍ଡଗଡ଼ିବା ଭଳି ବଡ଼ ଦୁର୍ଘଟଣା ଘଟିନାହିଁ, କିନ୍ତୁ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। କିଛି ଛକରେ ଟ୍ରାଫିକ୍‌ କର୍ମଚାରୀ ନଥିବାର ମଉକାରେ ଲୋକେ ଏଭଳି ବିପଜ୍ଜନକ କାମ କରୁଥିବା ବେଳେ ଆଉ କିଛି ଛକରେ ଟ୍ରାଫିକ୍‌ କର୍ମଚାରୀ ଥାଇ ବି ଲୋକେ ମାନୁନାହାନ୍ତି କି ପୁଲିସ ସେମାନଙ୍କୁ ବାରଣ କରୁନାହିଁ। ଟ୍ରାଫିକ୍ ନିୟମକୁ ମାନୁନଥିବା ଲୋକେ ନିଜ ପାଇଁ ତ ବିପଦକୁ ଆମନ୍ତ୍ରଣ କରୁଛନ୍ତି, ବରିଷ୍ଠ ନାଗରିକ ଓ ମହିଳାଙ୍କ ଭଳି ଅନ୍ୟ ଗାଡ଼ିଚାଳକଙ୍କ ପାଇଁ ବେଶି ବିପଦର କାରଣ ହେଉଛନ୍ତି।

କଳିଙ୍ଗବିହାର ଛକରେ ଡିଏନ୍‌ ରେଗାଲିଆ ନିକଟରେ ୧୬ ନମ୍ବର ଜାତୀୟ ରାଜପଥର ଏକ ଅଣ୍ଡରପାସ୍ ରହିଛି। କଳିଙ୍ଗବିହାରରୁ ପାତ୍ରପଡ଼ା ପଟକୁ ଯିବାକୁ ହେଲେ ଶନି ମନ୍ଦିର ଅଣ୍ଡରପାସ୍‌ ଦେଇ ଯିବା କଥା। ହେଲେ ଏହି ରାସ୍ତା ଗଲେ ପ୍ରାୟ ୨ କିମି ଅଧିକ ବୁଲିବାକୁ ପଡ଼ୁଥିବାରୁ ବହୁ ଲୋକ କଳିଙ୍ଗବିହାର ଅଣ୍ଡରପାସ୍‌ ଦେଇ ରଙ୍ଗ୍‌ରୁଟ୍‌ରେ ଅପରପାର୍ଶ୍ବ ବଜାରକୁ ଯାଉଛନ୍ତି। ପାତ୍ରପଡ଼ା ପାର୍ଶ୍ବରେ ପେଟ୍ରୋଲ ପମ୍ପ୍, ଏଟିଏମ୍, ମଲ୍, ବ୍ୟାଙ୍କ୍, ରେସ୍ତୋଁରା, କଳିଙ୍ଗବିହାର-୯(ଏ), (ବି) ପ୍ରଭୃତି ଅଞ୍ଚଳ ରହୁଥିବାରୁ ପ୍ରତ୍ୟେକ ଦିନ କଳିଙ୍ଗବିହାର ପଟୁ ଶହ ଶହ ଲୋକ ଏହି ରଙ୍ଗ୍‌ରୁଟ୍‌ରେ ଯାଆନ୍ତି। ଫଳରେ ଏହି ରାସ୍ତାରେ ଛୋଟମୋଟ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହୋଇଛି।

ତେଣୁ କଳିଙ୍ଗବିହାର ରେଗାଲିଆ ଅଣ୍ଡରପାସ୍‌ରେ ନିୟମିତ ଟ୍ରାଫିକ୍ ପୁଲିସ ନିୟୋଜିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିଭଳି ଡୁମୁଡୁମା, ହାଉସିଂବୋର୍ଡ କଲୋନି, ଯଦୁପୁର, କସ୍‌ମୋପଲିସ୍ ଓ ୱେଲ୍‌କମ୍‌ ହୋଟେଲ ପଟୁ ଖଣ୍ଡଗିରି ଟ୍ରାଫିକ୍‌ ଛକକୁ ପ୍ରତିଦିନ ଲୋକେ ରଙ୍ଗ୍‌ରୁଟ୍‌ ଦେଇ ଯାତାୟାତ କରୁଛନ୍ତି। ଏହି ଅଞ୍ଚଳର ଲୋକେ ଖଣ୍ଡଗିରି ଛକକୁ ଆସିବାକୁ ହେଲେ ଏମ୍‌ସ ଅଣ୍ଡର୍‌ପାସ ବ୍ୟବହାର କରିବା କଥା। କିନ୍ତୁ ବୁଲିବାକୁ କିଛି ଦୂର ଅଧିକ ହେଉଥିବା ଆଳରେ ଲୋକମାନେ ରଙ୍ଗ୍‌ରୁଟ୍‌ରେ ଆସି ଖଣ୍ଡଗିରି ଫ୍ଲାଏଓଭର ତଳେ ଆରପଟକୁ ବାହାରୁଛନ୍ତି। ଫଳରେ ପ୍ରାୟ ସବୁଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ଏନେଇ କିଛି ସ୍ଥାନୀୟ ଲୋକଙ୍କ କହିବା କଥା ଏମ୍‌ସ ଅଣ୍ଡରପାସ୍‌ରେ ବି ପ୍ରବଳ ଭିଡ଼ ହେଉଛି ଓ ବହୁ ସମୟ ପର୍ଯ୍ୟନ୍ତ ଗାଡ଼ି ଫସି ରହୁଛି। ସେଠାରେ ଟ୍ରାଫିକ୍ ପୁଲିସ ଥିଲେ ବି ଭିଡ଼ ନିୟନ୍ତ୍ରଣ ହେଉନାହିଁ। ତେଣୁ ଲୋକମାନେ ବାଧ୍ୟ ହୋଇ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଯିବାକୁ ରଙ୍ଗରୁଟ୍‌କୁ ପସନ୍ଦ କରୁଛନ୍ତି।

ରାଜଧାନୀ କଲେଜ ସାମ୍ନାରେ ଏକ ଅଣ୍ଡରପାସ୍‌ ରହିଛି। ଏହି ଅଣ୍ଡରପାସ୍ ଦେଇ ବରମୁଣ୍ଡା ଗାଁ ଲୋକ ଓ କଲେଜ ପିଲାମାନେ ଅପରପାର୍ଶ୍ବକୁ ଯାଆନ୍ତି। ଅପରପାର୍ଶ୍ବରେ ରହିଛି ରୁଚିକା ମାର୍କେଟ୍‌, ପେଟ୍ରୋଲ ପମ୍ପ୍, ଏଟିଏମ୍, ବ୍ୟାଙ୍କ୍ ଓ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ। ତେବେ ବରମୁଣ୍ଡା ପଟୁ ଅପରପାର୍ଶ୍ବକୁ ଯିବାକୁ ହେଲେ ବସ୍‌ଷ୍ଟାଣ୍ଡ ଅଣ୍ଡରପାସ୍‌ ବାଟରେ ଯିବା କଥା। ମାତ୍ର କିଛି ଦୂର ଅଧିକ ପଡ଼ୁଥିବାରୁ ବହୁ ଲୋକେ ରାଜଧାନୀ କଲେଜ ଅଣ୍ଡରପାସ୍‌ ଦେଇ ରଙ୍ଗରୁଟ୍‌ରେ ଯାଇ ରୁଚିକା ମାର୍କେଟ୍‌ ଓ ସଂଲଗ୍ନ ବଜାରକୁ ଯାଉଛନ୍ତି। ଫଳରେ ଏହି ଅଣ୍ଡରପାସ୍‌ ନିକଟରେ ସବୁବେଳେ ଟ୍ରାଫିକ୍‌ ଜାମ୍‌ ହେଉଛି। ତେଣୁ ସ୍ଥାନୀୟ ଲୋକେ ରାଜଧାନୀ କଲେଜ ଅଣ୍ଡରପାସ୍‌ରେ ଲୁହା ବାଡ଼ ଲଗାଇ କେବଳ ଚଲାବାଟ ରଖିବାକୁ ଦାବି କରୁଛନ୍ତି। ନଚେତ ଏଠାରେ ଟ୍ରାଫିକ କର୍ମଚାରି ନିୟୋଜିତ କରାଯାଉ ବୋଲି ଦାବି ହେଉଛି।

ତେବେ ସବୁଠୁ ବଡ଼ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଉଛି ବରମୁଣ୍ଡା ନୂଆ ସଡ଼କର ଜାଗମରା ଟ୍ରାଫିକ୍‌ ଛକରେ। ସିଟି ଓମେନ୍ସ କଲେଜରୁ ଜାଗମରା ଛକ ଦେଇ ଆଇଟିଇଆର କଲେଜ, ପଞ୍ଚସଖାନଗର. ଡୁମୁଡୁମା ଓ ଜଗମୋହନନଗରକୁ ଯାଉଥିବା ବହୁ ଗାଡ଼ିଚାଳକ ରଙ୍ଗ୍‌ରୁଟ୍‌ ବ୍ୟବହାର କରୁଛନ୍ତି। ନିୟମାନୁସାରେ ବରମୁଣ୍ଡା ପଟୁ ଏହି ସବୁ ଅଞ୍ଚଳକୁ ଯିବାକୁ ହେଲେ ଜାଗମରା ଟ୍ରାଫିକ୍‌ ଛକରୁ ସିଧାଯାଇ ଗଣ୍ଡମୁଣ୍ଡା ଛକଠାରେ ୟୁ-ଟର୍ନ ନେବାକୁ ହୁଏ। ମାତ୍ର ଏଥିପାଇଁ ପ୍ରାୟ ୨ କିଲୋମିଟର ବାଟ ବୁଲିବାକୁ ପଡ଼ୁଥିବାରୁ ପ୍ରାୟ ସବୁ ଲୋକେ ରଙ୍ଗରୁଟ୍‌ରେ ଯାଇ ଆଇଟିଇଆର୍‌ ଛକ ଦେଇ ଯାତାୟାତ କରୁଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଏହି ରାସ୍ତାରେ ପ୍ରବଳ ସମସ୍ୟା ହୁଏ।

ପ୍ରଥମତଃ ଅଣଓସାରିଆ ରାସ୍ତା। ସେଥିରେ ପୁଣି ରଙ୍ଗରୁଟ୍‌ରେ ଯାଉଥିବା ଲୋକେ ରାସ୍ତାର ଅଧା ଅଂଶ ମାଡ଼ିବସନ୍ତି। ଫଳରେ ଜାଗମରା ଟ୍ରାଫିକ୍‌ ଛକରୁ ଆଇଟିଇଆର୍‌ ଛକ ପର୍ଯ୍ୟନ୍ତ ସବୁବେଳେ ଟ୍ରାଫିକ୍ ଜାମ୍‌ ହୁଏ। ପରିତାପର କଥା, ଏଠାରେ ଟ୍ରାଫିକ୍‌ ପୁଲିସ ଥାଇ ମଧ୍ୟ ନିୟମକୁ ଲୋକେ ବାଏଁବାଏଁ ଉଡ଼ାଇ ଦିଅନ୍ତି। ଟ୍ରାଫିକ୍‌ ପୁଲିସ ନିରବରେ ଜଳଜଳ ଅନେଇ ଥାଆନ୍ତି। ଅବଶ୍ୟ ବେଳେବେଳେ କାଁଭାଁ ଚଢ଼ଉ ହୁଏ, କିନ୍ତୁ ପରିସ୍ଥିତି ବଦଳ‌େ ନାହିଁ।

ଏନେଇ ଟ୍ରାଫିକ୍‌ ଏସିପି ସ୍ବସ୍ତିକ୍‌ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଏସବୁ ଛକରେ ଲୋକେ ରଙ୍ଗ୍‌ରୁଟ୍‌ ଗାଡ଼ି ଯାତାୟାତ କଥାକୁ ସ୍ବୀକାର କରିଥିଲେ। ଜାଗମରା ଛକରେ ବହୁ ସମୟରେ ଚଢ଼ାଉ କରାଯାଉଛି, ଜରିମାନା କରାଯାଉଛି, ତଥାପି ଲୋକେ ନିୟମ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତେବେ ବିଧାନସଭା ସରିବା ପରେ ଅମାନିଆଁଙ୍କୁ ପୁଣି ସାବାଡ୍‌ କରିବା ପାଇଁ ଚଢ଼ଉ ଜୋର୍‌ଦାର୍ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର