ନିର୍ଯାତିତା ହେଉଛନ୍ତି ଘରୋଇ ପରିଚାରିକା

ସୁରକ୍ଷା ଓ ଅଧିକାର ପାଇଁ ଡ୍ରାଫ୍ଟ ଶୀତଳ ଭଣ୍ଡାରରେ

ଭୁବନେଶ୍ୱର : ନିର୍ଯାତିତା ହେଉଛନ୍ତି ଘରୋଇ ପରିଚାରିକା। ସହରର ୭୦ ପ୍ରତିଶତଙ୍କ ଘରେ ଶ୍ରମିକଙ୍କ ଭଳି ସମସ୍ତ କାମ କରୁଛନ୍ତି। ହେଲେ ଶ୍ରମିକର ମାନ୍ୟତା ପାଉ ନାହାନ୍ତି। ଅଧିକାର ତ’ ଦୂରର କଥା, ବିଭିନ୍ନ ସମୟରେ ମାଲିକ ଦେଉଛନ୍ତି ମାନସିକ ତଥା ଶାରୀରିକ ନିର୍ଯାତନା। ସେଥିରେ ପୁଣି କାମ ତୁଳନାରେ ଦରମା ନଗଣ୍ୟ। ଅନ୍ୟ କାହାର ଦୋଷକୁ ମୁଣ୍ଡାଇ ଜୀବନ ସାରା କଷ୍ଟ ପାଇବାର ନଜିର ମଧ୍ୟ ରହିଛି। ଅନେକ ସମୟରେ ପରିଚାରିକାଙ୍କ ନାବାଳିକା କନ୍ୟା ମଧ୍ୟ କାମ କରିବା ନାଁରେ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଅଭାବ ଅନଟନ ସହ ସରକାରୀ ବିଧି ବ୍ୟବସ୍ଥାରୁ ଢେର ଦୂରରେ ଥିବା ଏହି ପରିଚାରିକା ବାଧ୍ୟ ହୋଇ ଅତ୍ୟାଚାର ସହି ଯାଉଛନ୍ତି। ଏମାନଙ୍କୁ ଚିହ୍ନଟ ସହ ସୁରକ୍ଷା ଓ ଅଧିକାର ସାବ୍ୟସ୍ତ ପାଇଁ ୨୦୧୭ ମସିହାରେ ଆଇନ ପାଇଁ ସରକାର ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ରାଜ୍ୟ ଘରୋଇ ପରିଚାରିକା ଉନ୍ନୟନ ପରିଷଦ ଗଠନ ପାଇଁ ପ୍ରସ୍ତାବ ରହିଛି। ହେଲେ ଏହା ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ସରକାରଙ୍କ ଶୀତଳ ଭଣ୍ଡାର ରହିଯାଇଛି।

ମହାରାଷ୍ଟ୍ର, କେରଳ ଓ ତାମିଲନାଡ଼ୁରେ ସରକାର ଏଭଳି ବୋର୍ଡ଼ ଗଠନ କରି ଅଧିକାର ସାବ୍ୟସ୍ତ ପାଇଁ ବ୍ୟବସ୍ଥା କରିଥିବା ବେଳେ ରାଜ୍ୟରେ ବୋର୍ଡ ଗଠନ ନହେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସମାବେଶୀ ସହରର କଟକ ପ୍ରକଳ୍ପ ମୁଖ୍ୟ ଶର୍ମିଳା ପଟ୍ଟନାୟକ। ସ୍ୱେଚ୍ଛାସେବୀ ସଂଗଠନ ଆଇଆଇଇସି ଓ ଆଇଜିଏସ୍‌ଏସ୍‌ଏସ୍‌ ଗତକାଲି ମିଳିତଭାବେ ନେହେରୁ ଯୁବ ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଘରୋଇ ପରିଚାରିକାଙ୍କ ଅଧିକାର ସାବ୍ୟସ୍ତ ନେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ଏଭଳି ସଂଗଠନର ଘରୋଇ ସର୍ବେକ୍ଷଣ ମୁତାବକ ୧୦ ପ୍ରତିଶତ ଘରୋଇ ପରିଚାରିକା ଘରେ ରହି କାମ କରୁଥିବା ବେଳେ ୨୦ ପ୍ରତିଶତ ଘର ପାଖରେ ରହି ଘର ଘର ବୁଲି କାମ କରିଥାନ୍ତି। ୧୦ ପ୍ରତିଶତ ଦୂରଦୂରାନ୍ତରୁ ଆସି କାମ କରି ପୁଣି ସନ୍ଧ୍ୟାରେ ଫେରନ୍ତି। ଏଣୁ ଏମାନଙ୍କୁ ବିିଭିନ୍ନ ସମୟରେ ଭିନ୍ନଭିନ୍ନ ବିପଦ ରହିଥାଏ। ଏଭଳି ପରିଚାରିକାଙ୍କ ଉପରେ ନିର୍ଯାତନାକୁ ନେଇ କେବଳ ଭୁବନେଶ୍ୱରର ବିଭିନ୍ନ ଥାନାରେ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଏତଲା ପଡ଼ି ରହିଥିବା ବେଳେ ତଦନ୍ତ ବେଳେ ଏମାନେ ପୁଲିସର ଝାମେଲାରେ ପଡ଼ିବାକୁ ଚାହୁନଥିବା ପରିଲକ୍ଷିତ ହୋଇଛି। ଏମାନଙ୍କୁ ଘରୋଇ ସହାୟିକା ଭାବରେ ସ୍ୱୀକୃତି, ସାମାଜିକ ସୁରକ୍ଷା, କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା, ସ୍ୱାସ୍ଥ୍ୟରକ୍ଷା ଓ ପରିଚ୍ଛନ୍ନତା, ମାଗଣା ଚିକିତ୍ସା ବ୍ୟବସ୍ଥା, କାର୍ଯ୍ୟସ୍ଥଳୀରେ ଶୌଚାଳୟ ବ୍ୟବସ୍ଥା, ଶିଶୁ ପ୍ରଯତ୍ନ କେନ୍ଦ୍ରର ସହାୟତା ସହ ରାଜ୍ୟ ଘରୋଇ ପରିଚାରିକା ଉନ୍ନୟନ ପରିଷଦ ଗଠନ ମୁଖ୍ୟ ଦାବି ନେଇ ଆଗାମୀ ଦିନରେ ସରକାରଙ୍କ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଚାପ ପ୍ରୟୋଗ ହେବ ବୋଲି ଆଇଆଇଇସି ନିର୍ଦ୍ଦେଶକ ଡ. ଶିଶିର ଦାସ, ଯୁବା ସଂଗଠନର ସଚ୍ଚିକାନ୍ତ ପଟ୍ଟନାୟକ, ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦର ସଭାନେତ୍ରୀ ରଞ୍ଜୁଲତା ମହାପାତ୍ର, ନିଖିଳ ଓଡ଼ିଶା ଘରୋଇ ପରିଚାରିକା ସଂଘ ଓ ବସ୍ତି ସଂଘର୍ଷ ସମିତିର ସଦସ୍ୟ ରଜନୀ ଦାସ, ପ୍ରଭାସିନୀ କର ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର