ବାଲିଅନ୍ତା/ବାଲିଅନ୍ତା ବଜାର: ଗତକାଲି ରାତିରେ ବିଦ୍ୟୁତ୍ କାଟ୍କୁ ନେଇ ଭିଙ୍ଗାରପୁରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇନ୍ ନ ଆସିବାରୁ ଉପଭୋକ୍ତାମାନେ ମରାମତି କରିବାକୁ ଫଲ୍ଟ ଖୋଜୁଥିବା ଏକ ଟିମ୍କୁ ଘେରିଥିଲେ। କଥା କଟାକଟିରୁ ଉତ୍ତେଜନା ବଢ଼ିଥିଲା ଏବଂ ଭୟରେ ୫ ଲାଇନ୍ମ୍ୟାନ୍ ବୋଲେରୋ ଛାଡ଼ି ଅନ୍ଧାରରେ ଦୌଡ଼ିଥିଲେ। ମାତ୍ର ଚାଳକ ଖସି ପାରିନଥିଲେ। କିନ୍ତୁ ଲୋକେ ତାଙ୍କୁ ମାରଧର ନକରି ବଲେରୋର ସବୁ ଚକାରୁ ପବନ ଖୋଲି ଦେଇଥିଲେ। ଅବଶ୍ୟ ପରେ ସ୍ଥାନୀୟ ଜନପ୍ରତିନିଧି ଓ ବିଦ୍ୟୁତ୍ ବିଭାଗର ବରିଷ୍ଠ କର୍ମଚାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପଳାଇଥିବା ଲାଇନ୍ ମ୍ୟାନ୍ମାନେ ପୁଣି ଆସି ମରାମତି କରଥିଲେ ଏବଂ ବିଳମ୍ବିତ ରାତିରେ ବିଦ୍ୟୁତ୍ ଯୋଗାଣ ହୋଇଥିଲା।
ଗତକାଲି ଅପରାହ୍ଣ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲାଇନ୍ କଟିଥିଲା। ଉପଭୋକ୍ତାମାନେ ବାରମ୍ବାର ଫୁଲନଖରା ବିଦ୍ୟୁତ୍ ସେକ୍ସନ୍କୁ ଫୋନ୍ କରି କରି ହତାଶ ହୋଇପଡ଼ିଥିଲେ। କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଲାଇନ୍ମ୍ୟାନ୍ କାହାଠୁ ବି କିଛି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ପ୍ରବଳ ଗୁଳୁଗୁଳିରେ ଲୋକେ ବଡ଼ କଲବଲ ହୋଇଥିଲେ। ତେଣୁ ସ୍ବାଭାବିକ ଭାବେ ଉପଭୋକ୍ତାମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ରାତି ୧୦ଟା ବେଳେ ଏକ ବଲେରୋ ଗାଡ଼ିରେ ୬ ଜଣିଆ ଟିମ୍ ଫଲ୍ଟ ଯାଞ୍ଚ କରିବା ପାଇଁ ଭିଙ୍ଗାରପୁର ଆସିଥିଲେ। କୁଶଭଦ୍ରା ନଦୀ ଚୌଧୁରୀଗଡ଼ା ନିକଟରେ ଉକ୍ତ ଟିମ୍କୁ କିଛି ଉପଭୋକ୍ତା ଅଟକାଇଥିଲେ। ଦିନଯାକ ଗଲା, ରାତି ଅଧକୁ ଆସି ଲୁଚିଛପି କ’ଣ ଫଲ୍ଟ ଖୋଜୁଛ ବୋଲି ଲୋକେ ପଚାରିଥିଲେ।
କଥା କଟାକଟି ଧୀରେଧୀରେ ଗଣ୍ଡଗୋଳର ରୂପ ନେବାକୁ ଲାଗିଲା। ପାଟିତୁଣ୍ଡ ଶୁଣି ଆଖପାଖ ଗ୍ରାମର ବହୁ ଉପଭୋକ୍ତା ସେଠାକୁ ଧାଇଁ ଆସିଥିଲେ। ପରିସ୍ଥିତି ବିଗିଡ଼ିବା ଦେଖି ଏବଂ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ଭୟରେ ୫ଜଣ ଲାଇନ୍ମ୍ୟାନ୍ ଘଟଣାସ୍ଥଳରୁ ଗହୀର ଦେଇ ଦୌଡ଼ି ପଳାଇଥିଲେ। କିନ୍ତୁ ଲୋକେ ବଲେରୋକୁ ଘେରି ରହିଥିବାରୁ ଚାଳକ ଗାଡ଼ି ଛାଡ଼ି ଯାଇ ପାରିନଥିଲେ। ଲୋକମାନେ ଦୀର୍ଘ ସମୟ ଧରି ଚାଳକଙ୍କୁ ଅଟକ ରଖିଥିଲେ। ଏହା ଭିତରେ ଉତ୍କ୍ଷିପ୍ତ ଲୋକମାନେ ବଲେରୋ ସବୁ ଚକାରୁ ପବନ ଖୋଲି ଦେଇଥିଲେ। ଖବର ପାଇ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ବାରିକାନାଥ ଦାଶ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସେହିଭଳି ସ୍ଥାନୀୟ ଅଞ୍ଚଳର ଜଣାଶୁଣା ବରିଷ୍ଠ ଲାଇନ୍ମ୍ୟାନ୍ ସୁଧାକାନ୍ତ ତରାଇ ଆସି ଲୋକଙ୍କ ସହିତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ଫୁଲନଖରା ବିଦ୍ୟୁତ୍ ସେକ୍ସନର କର୍ମଚାରୀମାନଙ୍କ ଅବହେଳା ପାଇଁ ଭିଙ୍ଗାରପୁର, ବେଣ୍ଟପୁର ଏବଂ ବଇଁଚୁଆ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣରେ ସବୁବେଳେ ସମସ୍ୟା ଦେଖାଯାଉଛି ବୋଲି ଅଭିଯୋଗ ହୋଇ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/55-1.jpg)