ବାଣୀବିହାର ଅଶାନ୍ତ

ଉତ୍କଳରେ ରମାଦେବୀ କ୍ୟାମ୍ପସ୍‌ ପ୍ରତିଷ୍ଠା ପ୍ରସଙ୍ଗ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ପ୍ରସ୍ତାବକୁ ନେଇ ବିରୋଧ ଜାରି ରହିଛି। ତିନି ଦିନ ହେଲା ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇ ଉଠିଛି। କୁଳପତିଙ୍କ ସମେତ ଉଚ୍ଚଶିକ୍ଷା ସଚିବ ଏବଂ ରାଜ୍ୟପାଳଙ୍କ ସଚିବଙ୍କୁ ଛାତ୍ରଛାତ୍ରୀ ଦାବିପତ୍ର ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ। ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତିର ପୁନର୍ବିଚାର କରିବା ନେଇ କୌଣସି ସୂଚନା ଦେଇ ନ ଥିବା ବେଳେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମଧ୍ୟ ଦୁଇ ଦିନ ହେଲା ରାଜ୍ୟ ବାହାରେ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏବେ ଛାତ୍ରଛାତ୍ରୀ ଆଇନକୁ ନିଜ ହାତକୁ ନେବାକୁ ଉଦ୍ୟମ କରିଛନ୍ତି। ଆଜି ମଧ୍ୟାହ୍ନରେ ଉତ୍ତ୍ୟକ୍ତ ଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଅଚଳ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ। ତେବେ ଆମ୍ବୁଲାନ୍ସ ଜଳିବା ଆରମ୍ଭ କରିବା କ୍ଷଣି କେତେଜଣ ଛାତ୍ର ଓ ପୁଲିସ ଉଦ୍ୟମରେ ତାହାକୁ ଲିଭାଯାଇଥିଲା। ଅନ୍ୟପକ୍ଷରେ ଗତକାଲି ପରି ଆଜି ମଧ୍ୟ ବିଶ୍ୱବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ୱାଭାବିକ ହୋଇଥିଲେ ମଧ୍ୟ କର୍ମଚାରୀମାନେ ଆଜି ବି କାର୍ଯ୍ୟ କରିପାରି ନାହାନ୍ତି। ଛାତ୍ରଛାତ୍ରୀଙ୍କ ବିରୋଧ ଯୋଗୁଁ ବାଣୀବିହାରରେ ଏକପ୍ରକାର ଅଚଳ ହୋଇଯାଇଛି। ଗତକାଲି ୩ଟି ଛାତ୍ର ସଙ୍ଗଠନ ମିଳିତ ଭାବେ ଆନ୍ଦୋଳନ କରିବା ସହ ଉଚ୍ଚଶିକ୍ଷା ସଚିବ ଜିଭିଭି ଶର୍ମାଙ୍କ ସହ ଆଲୋଚନା କରିଥିଲେ। ସେଠାରେ ସଚିବ କହିଥିଲେ ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ଭୁବନେଶ୍ୱରରେ ନାହାନ୍ତି। ବାଲେଶ୍ୱରରୁ ଫେରିଲେ ନିଷ୍ପତ୍ତିି ନେଇ ଆଲୋଚନା କରାଯିବ। ଏଭଳି ପ୍ରତିଶ୍ରୁତି ପରେ ଛାତ୍ର ବିଜେଡି ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। କିନ୍ତୁ ଏବିଭିପି ଓ ଛାତ୍ର କଂଗ୍ରେସ ଏବେବି କ୍ୟାମ୍ପସରେ ଆନ୍ଦୋଳନ ଜାରି ରଖିଛନ୍ତି। କ୍ୟାମ୍ପସ ଭିତରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର ନ କରିଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଉଭୟ ସଙ୍ଗଠନ କହିଛନ୍ତି। ଅନ୍ୟପକ୍ଷରେ ଆଜି କ୍ୟାମ୍ପସ୍‌ରେ ଆମ୍ବୁଲାନ୍ସ ଜାଳିବା ଉଦ୍ୟମକୁ ଛାତ୍ର ବିଜେଡି ନିନ୍ଦା କରିଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ବାଣୀବିହାରର ସ୍ୱାର୍ଥ ଓ ସମ୍ମାନ ରକ୍ଷା କରିବା ପାଇଁ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିଲା। ଅଧ୍ୟାପକ, ପ୍ରଫେସର, କର୍ମଚାରୀମାନେ ବି ସମର୍ଥନ ଜଣାଇଛନ୍ତି। ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବିପତ୍ର ଦିଆଯାଇଛି। ଏଭଳି ସମୟରେ କେତେଜଣ ଛାତ୍ର ନିଜର ସ୍ୱାର୍ଥ ହାସଲ ଲାଗି ଆମ୍ବୁଲାନ୍ସରେ ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି। ଏଭଳି ହିଂସା ପରିତ୍ୟାଗ କରି ନ୍ୟାୟ ହାସଲ ଲାଗି ଏକତ୍ର ଲଢ଼ାଇ ଜାରି ରଖିବାକୁ ଆହ୍ଵାନ ଦିଆଯାଇଛି ଅନ୍ୟପକ୍ଷରେ ବାଣୀବିହାର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛି କମିସନରେଟ୍‌ ପୁଲିସ। ୩ ପ୍ଲାଟୁନ୍‌ରୁ ଅଧିକ ପୁଲିସ କ୍ୟାମ୍ପସରେ ମୁତୟନ ହୋଇଛନ୍ତି। ପୁଲିସ କମିସନର ଓ୍ଵାଇବି ଖୁରାନିଆ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ବାଣୀବିହାର ସ୍ଥିତି ଉପରେ ନଜର ରଖାଯାଇଛି। ଆଜି ଆମ୍ବୁଲାନ୍ସ ଜାଳିବାକୁ କେତେଜଣ ଛାତ୍ର ଉଦ୍ୟମ କରିଥିଲେ। ତାହାକୁ ରୋକାଯାଇଛି। ସ୍ଥିତି ନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଉଛି।

କୁଳପତି ପ୍ରଫେସର ପଟ୍ଟନାୟକ ଅନୁପସ୍ଥିତ ଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କ୍ୟାମ୍ପସର ସ୍ଥିତି ନେଇ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ଦେଇଛନ୍ତି। ସ୍ଥିତି ବିଗିଡ଼ି ଯାଉଥିବା ନେଇ ମଧ୍ୟ କୁହାଯାଇଛି। ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପ୍ରଫେସର, କର୍ମଚାରୀମାନେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଉପରେ ଚାପ ପକାଇଛନ୍ତି। କୌଣସି ପରିସ୍ଥିତିରେ ବାଣୀବିହାରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ କରିବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତିି।

ଶିକ୍ଷକଙ୍କ ରହିବା ଲାଗି ଘର ନାହିଁ
ଉତ୍କଳରେ ପଢ଼ାଉଥିବା ପ୍ରଫେସର, ରିଡ଼ର, ଅଧ୍ୟାପକଙ୍କ ରହିବା ଲାଗି ଆଜି ପର୍ଯ୍ୟନ୍ତ କ୍ୟାମ୍ପସରେ ବ୍ୟବସ୍ଥା ହୋଇପାରିନି। ହାତଗଣତି ୨୦ରୁ ୩୦ଟି ଘର ରହିଛି। ଯେଉଁଠାରେ ନିର୍ଧିଷ୍ଟ ସଂଖ୍ୟକ ପ୍ରଫେସର ରହୁଛନ୍ତି। ୧୫ଟି ବିଲଡିଂ ଏବେ ଅସୁରକ୍ଷିତ ହୋଇ ପଡ଼ିଛି। ତାହାର ମରାମତି କରାଯାଉ ନାହିଁ। କ୍ୟାମ୍ପସ ପରିସରରେ ଏବେ ଖାଲି ଥିବା ପ୍ରାୟ ୬୦ ଏକର ଜମି ମଧ୍ୟରୁ ୨୦ ଏକରରେ ପ୍ରଫେସରଙ୍କ ରହିବା ଲାଗି ଘର କରିବାକୁ ଯୋଜନା ହୋଇଛି। କିନ୍ତୁ ଉଚ୍ଚଶିକ୍ଷା ବିଭାଗ ଏକ୍ଷେତ୍ରରେ ସହାୟତା ଦେଉ ନ ଥିବାରୁ କାର୍ଯ୍ୟ ଆଗେଇ ପାରୁନାହିଁ। ଗୋଟିଏ ପଟେ କ୍ୟାମ୍ପସର ସମ୍ପ୍ରସାରଣ ହୋଇପାରୁ ନ ଥିବା ବେଳେ ଅନ୍ୟପଟେ କ୍ୟାମ୍ପସରୁ ଜମି ଦେବାକୁ ବିଭାଗ କିଭଳି ଚିନ୍ତା କରୁଛି ବୋଲି ପ୍ରଫେସରମାନେ ପ୍ରଶ୍ନ କରିଛନ୍ତି।

ପରୀକ୍ଷା ବାତିଲ
କ୍ୟାମ୍ପସରେ ଅଶାନ୍ତି ଲାଗି ରହିଥିବାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାକୁ ବାତିଲ୍‌ କରାଯାଇଛି। ଫେବୃଆରୀ ୧, ୩ ଓ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଏମ୍‌ଏ ପରୀକ୍ଷା ବାତିଲ କରି ଦିଆଯାଇଛି। ଏଥିସହ ଆଜି ପରିବର୍ତିତ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। ବାତିଲ ହୋଇଥିବା ପରୀକ୍ଷା ଯଥାକ୍ରମେ ଫେବ୍ରୁଆରି ୧୦, ୧୧ ଓ ୧୩ ତାରିଖରେ ଅନୁଷ୍ଠିତ ହେବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର