ରାଜଧାନୀରେ ଅଣ-କୋଭିଡ୍‌ ହସ୍ପିଟାଲଙ୍କ ଦୌରାତ୍ମ୍ୟ, ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର

ଭୁବନେଶ୍ୱର : ରାଜଧାନୀରେ ଘରୋଇ ହସ୍ପିଟାଲଙ୍କ ମନମାନି। ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ତ ଦୂରର କଥା, ନିଜ ଫାଇଦା ପାଇଁ ସରକାରୀ ନିର୍ଦ୍ଦେଶକୁ ମୋଡ଼ି ମକଚି ରୋଗୀଙ୍କୁ ଶୋଷଣ କରୁଛନ୍ତି। ଫଳରେ ପରିବାର ସଦସ୍ୟ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ସର୍ବସ୍ବାନ୍ତ ହେଉଛନ୍ତି। ଅନେକ କ୍ଷେତ୍ରରେ ରୋଗୀଙ୍କ ଜୀବନ ମଧ୍ୟ ଯାଉଛି। ଏଭଳି ଅଭିଯୋଗ ରାଜଧାନୀର କିଛି ଘରୋଇ ହସ୍ପିଟାଲ ବିରୋଧରେ ଆସିଛି।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଚିକିତ୍ସା ସମୟରେ ଯଦି କୌଣସି ରୋଗୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ି‌‌ବେ, ତେବେ ସଂପୃକ୍ତ ହସ୍ପିଟାଲ ଏ ବାବଦରେ ପ୍ରଶାସନକୁ ଖବର ଦେବ। କିନ୍ତୁ ରାଜଧାନୀର ଏକ ନାମକରା ଘରୋଇ ହସ୍ପିଟାଲ ପଇସା ଲୋଭରେ ଜଣେ କରୋନା ଆକ୍ରାନ୍ତଙ୍କୁ ଜୋରଜବରଦସ୍ତ ରଖି ଚିକିତ୍ସା ଜାରି ରଖିଲା। ପରିବାରଲୋକେ ଏ ବାବଦରେ ବିଏମ୍‌ସିକୁ ଜଣାଇବାରୁ ଉକ୍ତ ହସ୍ପିଟାଲକୁ ବିଏମ୍‌ସି ଆମ୍ବୁଲାନ୍ସ ମଧ୍ୟ ପଠାଇଲା। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ନା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କିଛି ତଥ୍ୟ ଦେଲେ ନା ରୋଗୀଙ୍କୁ ସ୍ଥାନାନ୍ତର କଲେ। ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଗଲା। ସେହିପରି ସରକାର ନିର୍ଦ୍ଦେଶ ଦେଇଥିଲେ ଯେ କରୋନା ସମୟରେ ଘରୋଇ ହସ୍ପିଟାଲଗୁଡ଼ିକ କୌଣସି ରୋଗୀଙ୍କୁ ଫେରାଇ ପାରିବେ ନାହିଁ। ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେବା ଯାଏ ଚିକିତ୍ସା କରିବେ ଓ ଆବଶ୍ୟକ ପଡ଼ିଲେ ଅନ୍ୟତ୍ର ସ୍ଥାନାନ୍ତର କରିବେ। କିନ୍ତୁ ଜଣେ ଗୁରୁତର ରୋଗୀଙ୍କୁ ଦୁଇ ଦୁଇଟି ଘରୋଇ ହସ୍ପିଟାଲ ସର୍ବନିମ୍ନ ଚିକିତ୍ସା ସେବା ଯୋଗାଇ ଦେଲେ ନାହିଁ। କରୋନା ସନ୍ଦେହରେ ତାଙ୍କୁ ହସ୍ପିଟାଲ ଛାଡ଼ି ଚାଲିଯିବା ପାଇଁ ବାଧ୍ୟ କଲେ। ଫଳରେ ରୋଗୀଜଣଙ୍କ ଶେଷରେ ଏକ ସରକାରୀ ହସ୍ପିଟାଲରେ ଅବହେଳା ଯୋଗୁଁ ପ୍ରାଣ ହରାଇଲେ। ଏହି ଦୁଇଟି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜଧାନୀର କିଛି ଘରୋଇ ହସ୍ପିଟାଲ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରି ଚାଲିଛନ୍ତି।

ସମ୍ବନ୍ଧିତ ଖବର