ଭିଆଇପି ଅଞ୍ଚଳରେ ଜମି ମାଫିଆ

ଭୁବନେଶ୍ୱର: ଜମି ମାଫିଆଙ୍କ ନଜର ଏବେ ବସ୍ତି କି ରାଜଧାନୀ ଉପକଣ୍ଠରେ ସୀମିତ ନାହିଁ। ସରକାରୀ କଳର ଅପାରଗତାର ଫାଇଦା ନେଇ ଏବେ ସେମାନେ ଭିଆଇପି ଅଞ୍ଚଳରେ ଜମି ଦଖଲ କରିବାରେ ଲାଗିପଡ଼ିଛନ୍ତି। କୋଟି କୋଟି ଟଙ୍କାର ଜମିରେ କିଏ ଘର କରି ରହିଛନ୍ତି ତ କେତେକ ଏଠାରେ ଦୋକାନ କରି ଭଡ଼ା ଲଗାଇ ଦେଇଛନ୍ତି। ଆଉ କେତେକ ସ୍ଥାନରେ କର୍ପୋରେଟରମାନେ ନିଜର ଆସର ଜମାଇବା ପାଇଁ କିଛି ଜମି ମାଡ଼ି ବସିବା ପରେ ଭୋଟ୍‌ ବ୍ୟାଙ୍କ ପାଇଁ ନୂଆ ବସ୍ତି ଗଢ଼ି ତୋଳିଛନ୍ତି।

ଏହିଭଳି ଶହ ଶହ କୋଟିର ଜମି ଏବେ ଜମି ମାଫିଆଙ୍କ କବ୍‌ଜାରେ। ଜମି ମାଫିଆମାନେ ରାଜଧାନୀର ଭିଆଇପି ଅଞ୍ଚଳ କୁହାଯାଉଥିବା ନୂଆପଲ୍ଲୀ, ଆଇଆରସି ଭିଲେଜ୍‌କୁ ଟାର୍ଗେଟ୍‌ କରିଛନ୍ତି। ଆଉ ବର୍ଷ କେଇଟା ଭିତରେ ପ୍ରାୟ ୧୦୦କୋଟିରୁ ଅଧିକ ମୂଲ୍ୟର ଜମିକୁ ମାଡ଼ି ବସିଲେଣି। କିନ୍ତୁ ସାଧାରଣ ପ୍ରଶାସନ ଓ ବିଡିଏ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏବେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଜମି ହରାଇବାକୁ ବସିଛନ୍ତି। କେବଳ ଝୁମ୍ପୁଡ଼ି, ଉଠା ଦୋକାନୀ, ବସ୍ତି ଅଞ୍ଚଳ ଉଚ୍ଛେଦରେ ବ୍ୟସ୍ତ ଥିବା ମିଳିତ ଉଚ୍ଛେଦକାରୀ ଟିମ୍‌ର ନଜର ଏହା ଉପରେ ପଡ଼ୁନି ନା ଉଚ୍ଛେଦକାରୀ ଟିମ୍‌ ଏହି ଜମି ମାଫିଆଙ୍କ ଦ୍ୱାରା ଆପ୍ୟାୟିତ ହୋଇ ନିରବ ରହିଛି ସେନେଇ ଏବେ ପ୍ରଶ୍ନ ଉଠିଲାଣି। ଆଇଆର୍‌ସି ଭିଲେଜରେ ସାଧାରଣ ପ୍ରଶାସନ ବିଭାଗ ଶହ ଶହ ପ୍ଲଟ୍‌ ଆବଣ୍ଟନ କରିଥିବାବେଳେ ଏଥିରୁ କେତୋଟି ପ୍ଲଟ୍‌ ଖାଲି ପଡ଼ିଥିଲା। ଯାହାକୁ ଏବେ ଜମି ମାଫିଆ ମାଡ଼ି ବସିଛନ୍ତି। ଏପରିକି କେତୋଟି ସ୍ଥାନରେ ସାଧାରଣ ପ୍ରଶାସନ ବିଭାଗ ଜମିକୁ ବେଦଖଲ କରିବାକୁ କିଛି ବର୍ଷ ତଳେ ଉଦ୍ୟମ କରିଥିବାବେଳେ କୋର୍ଟରେ ମାମଲା ପହଞ୍ଚିଛି। ଏହାର ଫାଇଦା ନେଇ ଜବରଦଖଲକାରୀ ଏବେ ଏହି ଜମିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। କିନ୍ତୁ ଉଚ୍ଛେଦ କରିବାକୁ ଅନୁମତି ଆଣିପାରୁନାହାନ୍ତି। ସାଧାରଣ ପ୍ରଶାସନ ବିଭାଗର ଅପାରଗତାକୁ ଦେଖି ଜବରଦଖଲକାରୀମାନେ ବହୁ ବର୍ଷ ହେଲା ଏଠାରେ ଘର କରି ରହିଥିବା ଦେଖାଇ ଡିଗ୍ରି ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଯଦି ବି କୋର୍ଟଙ୍କ ରାୟ ସପକ୍ଷରେ ନଆସେ ତେବେ କ୍ଷତିପୂରଣ ରାଶି ଆଦାୟ କରିବାକୁ ଚକ୍ରାନ୍ତ କରୁଛନ୍ତି। ନିଜ ଜମିରେ ନିଜ ଅଧିକାର ସାବ୍ୟସ୍ତ କରିପାରୁନଥିବା ସାଧାରଣ ପ୍ରଶାସନ ଏବେ କୋଟି କୋଟି ଟଙ୍କା ମୂଲ୍ୟର ଜମି ହରାଇବ ନଚେତ୍‌ କ୍ଷତିିପୂରଣ ଦେବା ଭଳି ସ୍ଥିତି ସୃଷ୍ଟି ହେଲାଣି। ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ଅଞ୍ଚଳର ଏନ୍‌-୫, ଏନ୍‌-୩ ଅଞ୍ଚଳରେ ଯେତେକ ଖାଲି ପ୍ଲଟ୍‌ ଥିଲା ତାହା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। କେତେକ ସ୍ଥାନରେ ଜମି ମାଫିଆମାନେ ଜମିକୁ ଦଖଲ କରି ଦୋକାନ ଘର କରି ଭଡ଼ା ଦେଇଛନ୍ତି। ଏନେଇ ପାଖ ପ୍ଲଟ୍‌ ଲୋକ ସାଧାରଣ ପ୍ରଶାସନ ବିଭାଗରେ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନି।

୧୦୦ କୋଟିରୁ ଅଧିକ ମୂଲ୍ୟର ଜମି ଏବେ ଜବରଦଖଲ
କର୍ପୋରେଟର, ବସ୍ତି ନେତା ମୁଖ୍ୟ କାର୍ପଟଦାର

ଆମ ଅନୁସନ୍ଧାନ ବେଳେ ଜଣାପଡ଼ିଥିଲା ଯେ, ଏନ୍‌-୫ର ପ୍ଲଟ୍‌ ୬ ଏବେ ସ୍ଥାନୀୟ କର୍ପୋରେଟରଙ୍କ କବ୍‌ଜାରେ ରହିଛି। ଏଠାରେ କର୍ପୋରେଟର ପାଚେରି ବୁଲାଇ ଘର କରି ଦେଇଛନ୍ତି। ଏପରିକି ସଂଧ୍ୟା ସମୟରେ ଏଠାରେ ଅସାମାଜିକ ଯୁବକଙ୍କ ଆସର ଜମୁଥିବାରୁ ସ୍ଥାନୀୟ ଲୋକେ ବ୍ୟତିବ୍ୟସ୍ତ ହୋଇଗଲେଣି। ଖୋଦ୍‌ କର୍ପୋରେଟର ଜବରଦଖଲ କରିଥିବାରୁ ପ୍ରଶାସନ ପଦକ୍ଷେପ ନେବା ଦୂର କଥା ପୁଲିସ ବି ସବୁ ଦେଖି ଚୁପ୍‌ ରହୁଛି। ସେହିପରି ଏନ୍‌-୩ ୧୪୦ ପ୍ଲଟରେ ଆଜବେଷ୍ଟସ୍‌ ଘର କରି ଭଡ଼ା ଲଗାଇ ଦିଆଯାଇଛି, ଏନ୍‌-୩ ୨୦୭ ଓ ୨୦୮ରେ କର୍ପୋରେଟର ଭୋଟ୍‌ ବ୍ୟାଙ୍କ ମହଜୁଦ୍‌ ରଖିବା ପାଇଁ ବସ୍ତି ଗଢ଼ି ତୋଳିଛନ୍ତି। ଏଠାରେ କେବଳ କର୍ପୋରେଟରଙ୍କ ସମର୍ଥିତ ଲୋକଙ୍କୁ ରହିବାକୁ ଦିଆଯାଇଛି।
ସେହିପରି ଏନ୍‌-୫ର ୧୫୮ ଓ ୧୫୯ ପ୍ଲଟ୍‌କୁ ଜଣେ ବସ୍ତି ନେତା ମାଡ଼ି ବସିଛନ୍ତି। ସେ ଏଠାରେ ଘର କରିବା ସହ ପାଚେରି ବୁଲାଇ ରହିଛନ୍ତି। ଏହି ବସ୍ତି ନେତାଙ୍କ ସପକ୍ଷରେ ଶହ ଶହ ବସ୍ତି ଲୋକ ରହିଥିବାରୁ ପ୍ରଶାସନ ଏହାକୁ ଉଚ୍ଛେଦ କରିବାକୁ ଡରୁଛି। ଏନ୍‌-୫ର ୫୧୦ ପ୍ଲଟ୍‌ ନିକଟରେ ଦୋକାନ ହୋଇ ଭଡ଼ା ଲାଗିଛି। ଏନ୍‌-୫ର ୨୦୬ ପ୍ଲଟ୍‌ରେ ବି ଅଧା ଅଞ୍ଚଳରେ ଘର କରି ଭଡ଼ା ଲଗାଇ ଦିଆଯାଇଛି। ଏନ୍‌ ୩ର ୨୫୦ ପାର୍କ ପାଖ ପ୍ଲଟ୍‌ରେ ବି ଦୋକାନ କରି ଭଡ଼ାରେ ଲାଗିଛି। ଏଥିରୁ କେତେକ ପ୍ଲଟ୍‌ ଯଦି ଜବରଦଖଲକାରୀଙ୍କ କବ୍ଜାରେ ନଥିବ ଆଉ ମାଲିକମାନେ ଏଠାରେ ଦୋକାନ ଘର କରି ଭଡ଼ାରେ ଲଗାଇଥିବେ ତେବେ ତାହା ବି ବେଆଇନ। କାରଣ ଜମି ଯେଉଁ ଉଦ୍ଦେଶ୍ୟରେ ନେଇଥିଲେ ସେଥିପାଇଁ ବ୍ୟବହାର ହେଉନି। ସାଧାରଣ ପ୍ରଶାସନ ଓ ବିଡିଏର ନିୟମ ଅନୁଯାୟୀ ଯେଉଁ ପ୍ଲଟ୍‌ ଦୀର୍ଘ ବର୍ଷ ଧରି ଅବ୍ୟବହୃତ ହୋଇଥିବ ବା ଏହା ଯେଉଁ ଉଦ୍ଦେଶ୍ୟରେ ଆବଣ୍ଟନ ହୋଇଥିବ ସେଥିପାଇଁ ବ୍ୟବହୃତ ନହେଲେ ବାତିଲ୍‌ ହୋଇଯିବ। କିନ୍ତୁ ତାହା ଏଠାରେ ଲାଗୁ ହୋଇନି। କୋଟି କୋଟି ଟଙ୍କାର ଜମି ଜବରଦଖଲକାରୀଙ୍କ କବ୍ଜାରେ ଥିବାବେଳେ ଏହା ଉଚ୍ଛେଦ ନହେବା ନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଉଚ୍ଛେଦ ନେଇ ଆମକୁ କିଏ ଅନୁରୋଧ କଲେ ଆମେ ଏହାର ଯାଞ୍ଚ କରି ଉଚ୍ଛେଦ କରୁ। ଯଦି ଉକ୍ତ ଅଞ୍ଚଳରୁ ଅଭିଯୋଗ ନ ଆସିଥିବ ଆମେ ଉଚ୍ଛେଦ କରିନଥିବୁ।

ସମ୍ବନ୍ଧିତ ଖବର