ଭୁବନେଶ୍ୱର: ନୟାପଲ୍ଲୀ ଭିଆଇପି ଏରିଆ ସ୍ଥିତ ବିଡିଏ ପାର୍କ ଅସାମାଜିକ ତଥା ଅପରାଧୀଙ୍କ ଅମରାବତୀ ପାଲଟିଛି। ସଂଧ୍ୟା ନଇଁଲେ ପାର୍କଟି ମଦ ବାର୍ରେ ପରିବର୍ତନ ହୋଇଯାଉଛି। ଦଳଦଳ ହୋଇ ଯୁବକମାନେ ପାର୍କର ବିଭିନ୍ନ ସ୍ଥାନରେ ଥିବା ସିମେଣ୍ଟ ବେଞ୍ଚରେ ବସି ଖୁଲମଖୁଲା ମଦ ପିଉଛନ୍ତି। ମୋବାଇଲ୍ରେ ବ୍ଲୁ ଫିଲ୍ମ ଦେଖୁଛନ୍ତି। ଗାଳିଗୁଲଜ ହୋ ହଲ୍ଲାରେ ପାର୍କର ପରିବେଶ ନଷ୍ଟ ହୋଇ ପଡ଼ୁଛି। ଖାଲି ମଦ ବୋତଲ, ପ୍ଲାଷ୍ଟିକ୍ ପାଣି ବୋତଲ ସହିତ ପାର୍ସଲ ଖାଦ୍ୟର ଜରି ସକାଳ ପର୍ଯ୍ୟନ୍ତ ଏଣେ ତେଣେ ପଡ଼ି ରହୁଛି। ସୂଚନା ଅନୁଯାୟୀ ତିନି ଦିନ ତଳେ ପାର୍କରେ କିଛି ଯୁବକ ସେମାନଙ୍କ ବନ୍ଧୁଙ୍କ ଜନ୍ମଦିନ ପାଳନ କରିଥିଲେ। ପାର୍କ ଗେଟ୍ ସାମ୍ନାରେ ମଦ ପିଇ, ମାଂସ ଖାଇ ଉତ୍ପାତ କରିଥିଲେ। ପ୍ରାୟ ଅଧରାତି ପର୍ଯ୍ୟନ୍ତ ସେମାନଙ୍କ ଉତ୍ପାତ ଜାରି ରହିଥିଲା। ପରଦିନ ସକାଳ ପର୍ଯ୍ୟନ୍ତ ମଦ ବୋତଲ, ଅଇଁଠା ପତ୍ର ସବୁ ଗେଟ୍ ସାମ୍ନାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଦିନେ ଦୁଇଦିନର କଥା ନୁହେଁ, ଏଭଳି ପରିସ୍ଥିତି ପ୍ରାୟ ସବୁଦିନ ଚାଲୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କେବଳ ସେତିକି ନୁହେଁ ପାର୍କ ମଧ୍ୟରେ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଖେଳ ଉପକରଣଗୁଡ଼ିକର ସଠିକ ରକ୍ଷଣା ବେକ୍ଷଣା ଅଭାବରୁ ତାହା ଭାଙ୍ଗିରୁଜି ଗଲାଣି। କିଛି ଅସାମାଜିକ ଯୁବକ ସେଠାରେ ଥିବା ବ୍ୟାୟାମ ଓ ପିଲାଙ୍କ ଖେଳ ଉପକରଣ ଉପରେ ବିଭିନ୍ନ ଅଶ୍ଳୀଳ କଥା ଲେଖୁଛନ୍ତି। ଏପରିକି ପିଲା ଓ ମହିଳାମାନେ ପାର୍କରେ ବୁଲୁଥିବା ବା ଖେଳୁଥିବା ବେଳେ କିଛି ଅସାମାଜିକ ଯୁବକ ଖରାପ ଭାଷାରେ ଗାଳି ଗୁଲଜ ହେବା, ପାର୍କ ଭିତରେ ଏଣେତେଣେ ପରିସ୍ରା କରିବା ଏକ ନିତିଦିନିଆ ଘଟଣା। ପାର୍କର ଗୋଟିଏ କୋଣରେ ଦୀର୍ଘଦିନ ହେବ କୁଢ଼ କୁଢ଼ ଅଳିଆ ଗଦା ହୋଇଛି। ବର୍ଷା ଯୋଗୁଁ ଅଳିଆ ପଚି ଦୁର୍ଗନ୍ଧ ହେଉଛି। ଫଳରେ ବହୁ ସଂଖ୍ୟାରେ ମହିଳା ଓ ପିଲାମାନେ ପାର୍କକୁ ଆସିବା ବନ୍ଦ କରି ଦେଲେଣି। ପାର୍କର ମୁଖ୍ୟ ଫାଟକ ବନ୍ଦ ଥିଲେ ମଧ୍ୟ ପାଚେରିର ଉଚ୍ଚତା କମ ହୋଇଥିବାରୁ ଅପରାଧୀମାନେ ପାର୍କ ଭିତରେ ନିର୍ଭୟରେ ପଶି ଏଭଳିି କାର୍ଯ୍ୟ କରୁଛନ୍ତି। ଏହି ପାର୍କରେ ପରିସ୍ଥିତି ଓ ପରିବେଶ ଏପରି ହୋଇଛି ଯେ, ଆଇଆର୍ସି ଭିଲେଜ ହାଇସ୍କୁଲ ପଡ଼ିଆରେ ଘଟିଥିବା ହତ୍ୟା ଘଟଣାର ପୁନରାବୃତ୍ତି ଯେ ନ ଘଟିବ ତାହା କେହି କହିପାରିବେ ନାହିଁ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଭିଆଇପି ବିଡିଏ ପାର୍କ ପାଲଟିଛି ବାର୍
/sambad/media/post_attachments/wp-content/uploads/2018/09/rajesh-park.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)