ଭୁବନେଶ୍ୱର : ରାଜଧାନୀରେ ରହୁଥିବା ମନ୍ତ୍ରୀ, ବିଧାୟକ, ଆଇଏଏସ୍, ଆଇପିଏସ୍ଙ୍କ ପାଇଁ ୟୁନିଟ-୪ସ୍ଥିତ ମଧୁସୂଦନ ନଗରରେ ନିର୍ମାଣ ହେବ ଭିଆଇପି କ୍ୱାର୍ଟର୍ସ। ଏହି କ୍ୱାର୍ଟରରେ ଆଉ ବଗିଚା କରିବା ପାଇଁ ଖାଲି ଜାଗା ରହିବନି କି ମନଇଚ୍ଛା କ୍ୱାର୍ଟର୍ସ ସମ୍ପ୍ରସାରଣ କରିବା ପାଇଁ ସୁବିଧା ରହିବନି। ଫ୍ଲାଟ୍ ଡିଜାଇନ୍ରେ ଘର ନିର୍ମାଣ ହେବ। ପ୍ରତ୍ୟେକ କ୍ୱାର୍ଟର୍ ୬ ବେଡରୁମ୍ ବିଶିଷ୍ଟ ହେବ। ଏହିପରି ୪୨ଟି କ୍ୱାର୍ଟର୍ସକୁ ନେଇ ଭିଆଇପି କ୍ୱାର୍ଟର୍ସ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି।
ମଧୁସୂଦନ ନଗରର ପ୍ଲଟ୍ ନଂ-୯୬୦ରେ ସରକାରୀ କ୍ୱାର୍ଟର୍ସ ନିର୍ମାଣ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଯୋଜନା କରିବା ପରେ ଏହାର ଡିଜାଇନ୍ ଏବଂ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦେଇଥିଲା। ଏହାପରେ ମୁଖ୍ୟ ଯନ୍ତ୍ରୀ (କୋଠା) ଏହି ଭିଆଇପି କ୍ୱାର୍ଟର୍ସର ଡିଜାଇନ୍ ପ୍ରସ୍ତୁତ କରିବା ସହ ଏଥିପାଇଁ ୪୩କୋଟି ୨୭ଲକ୍ଷ ୫୩ହଜାର ୨୦୦ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଇଛନ୍ତି। ପ୍ରସ୍ତୁତ ହୋଇଥିବା ଡିଜାଇନ୍ ଅନୁଯାୟୀ, ୪୩ଲକ୍ଷ ୧୨ହଜାର ୭୮୮ ବର୍ଗଫୁଟରେ ଏହି କ୍ୱାର୍ଟର୍ସ ନିର୍ମାଣ ହେବ। ଦୁଇଟି ବ୍ଲକ୍ରେ ଏହି କ୍ୱାର୍ଟର୍ସ ନିର୍ମାଣ ହେବ। ପ୍ରତ୍ୟେକ ବ୍ଲକ୍ ୮ମହଲା ବିଶିଷ୍ଟ ହେବ। ବ୍ଲକ୍ ଏ ଜି+୭ ଏବଂ ବ୍ଲକ୍ ବି ଏସ୍+୭ର ହେବ। ବ୍ଲକ୍ ଏରେ ୨୮ଟି ୬ ବେଡରୁମ୍ ବିଶିଷ୍ଟ କ୍ୱାର୍ଟର୍ସ ନିର୍ମାଣ ହେବାକୁ ଥିବା ବେଳେ ବ୍ଲକ୍ ବିରେ ୧୪ଟି ୬ ବେଡରୁମ୍ ବିଶିଷ୍ଟ କ୍ୱାର୍ଟର୍ସ ରହିବ। ଏହି ଅଞ୍ଚଳକୁ ସ୍ୱତନ୍ତ୍ର ରେସିଡେନ୍ସିଆଲ୍ ଜୋନ୍ ମଧ୍ୟରେ ରଖାଯିବ। ବାହାରେ ଓ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ପୂରା ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ ଡିଜାଇନ୍ରେ ନିର୍ମାଣ କରାଯିବ। ତଳମହଲା ପାର୍କିଂ ପାଇଁ ରହିବ।
ଏହି କ୍ୱାର୍ଟର୍ସରେ ରହିବାକୁ ଥିବା ଭିଆଇପିଙ୍କ ପାଇଁ ଗୋଟିଏ ପୋଡିୟମ, ଲବି, ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କମ୍ୟୁନିଟି ହଲ୍, ବହୁମୁଖୀ ହଲ୍, ଜିମ୍, ସିକ୍ୟୁରିଟି ଗାର୍ଡ ରୁମ୍, ଡ୍ରାଇଭର୍ ବିଶ୍ରାମ ଘର, ପ୍ରତୀକ୍ଷା ଗୃହ, କମନ୍ ଟଏଲେଟ୍ ଭଳି ସୁବିଧା ଉପଲବ୍ଧ ହେବ। ଆପାର୍ଟମେଣ୍ଟ ଡିଜାଇନ୍ରେ ଏହା ନିର୍ମାଣ ହେବାକୁ ଥିବାରୁ ପ୍ରତ୍ୟେକ ବ୍ଲକର ପ୍ରତ୍ୟେକ ଫ୍ଲୋର୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ୨୪ଘଣ୍ଟିଆ ପାଣି ଯୋଗାଣ, ବିଦ୍ୟୁତ ଯୋଗାଣ, ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯିବ। ପ୍ରତ୍ୟେକ ବ୍ଲକ୍ରେ ଦୁଇଟି ଲେଖାଏଁ ଲିଫ୍ଟ ରହିବ। ଏହିପରି ୪ଟି ୧୩ଜଣ ଲେଖାଏଁ ଯାତାୟାତ କରିପାରିବା ଭଳି ଲିଫ୍ଟ ଲାଗିବ। ସୌରଶକ୍ତିରେ ଘର ବାହାର ଏବଂ କ୍ୟାମ୍ପସ୍ ଲାଇଟ୍ ଜଳିବ ଓ ପାଣି ଗରମ ହୋଇପାରିବ ସେନେଇ ବି ବ୍ୟବସ୍ଥା ରହିବ।
ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ଭିଆଇପି କ୍ୱାର୍ଟର୍ସର ଅଧିକ ଆବଶ୍ୟକତା ହେଲାଣି। ଏହାବାଦ୍ ସ୍ମାର୍ଟ ଜନପଥ ନିର୍ମାଣ ପାଇଁ ପ୍ରାୟ ୨୦ରୁ ଅଧିକ ଭିଆଇପି କ୍ୱାର୍ଟର୍ସ ଉଚ୍ଛେଦ କରିବାକୁ ଯୋଜନା ହୋଇଛି। ତେଣୁ ଏହାକୁ ନଜରରେ ରଖି ମଧୁସୂଦନ ନଗରରେ ଅତ୍ୟାଧୁନିକ ସରକାରୀ କ୍ୱାର୍ଟର୍ସ ନିର୍ମାଣ ହେବ। ଏଥିପାଇଁ ସମସ୍ତ ଡିଜାଇନ୍, ପ୍ଲାନ୍, ଖର୍ଚ୍ଚ ଅଟକଳ ପ୍ରସ୍ତୁତ ହୋଇଛି। ସରକାର ଏହାକୁ ଅନୁମୋଦନ କଲେ ଟେଣ୍ଡର ପ୍ରକ୍ରିୟା ଶେଷ କରି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବର୍ଷକରେ ଏହି ନିର୍ମାଣ ଶେଷ କରିବାକୁ ଯୋଜନା ହୋଇଛି। ପରବର୍ତ୍ତୀ ସମୟରେ ରାଜଧାନୀର ବିଭିନ୍ନ ଜାଗାରେ ଥିବା ଭିଆଇପି କ୍ୱାର୍ଟର୍ସକୁ ଉଚ୍ଛେଦ କରି ଏହିଭଳି ଫ୍ଲାଟ୍ ଡିଜାଇନ୍ରେ କ୍ୱାର୍ଟର୍ସ ନିର୍ମାଣ କରିବାକୁ ଯୋଜନା ଅଛି। ଏହାଦ୍ୱାରା କମ୍ ଜାଗାରେ ଅଧିକ କ୍ୱାର୍ଟର୍ସ ନିର୍ମାଣ କରିହେବ। ବଳକା ଜମିରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କରିବାର ସୁଯୋଗ ରହିବ। ଏହି ସବୁ କ୍ୱାର୍ଟର୍ସ ଯେକୌଣସି ଅତ୍ୟାଧୁନିକ ଆପାର୍ଟମେଣ୍ଟକୁ ବି ପଛରେ ପକାଇ ଦେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/complex.jpg)