ଭାଇରାଲ ହେଉଛି ପ୍ରୀତି ସୁଲଗ୍ନାଙ୍କ ୩କ ପଣିକିଆ

ଭୁବନେଶ୍ୱର: ‘୩ କେ ତିନି; ବଜାରେ ପିଲେ ଗିନି…, ୩ ଦୁଗୁଣେ ୬; ନିତି ହାତ ଧୁଅ …, ତିନି ଦଶା ତିରିଶି; ଦୁଃଖ ଆସିଲେ ଦିଅ ହସି…। ‘୩କ’ ପଣିକିଆକୁ ଏପରି ସୁନ୍ଦର ଭାବେ ଆବୃତ୍ତି କରି ସୋସିଆଲ ମିଡିଆରେ ଏବେ ଭାଇରାଲ୍‌-ଗାର୍ଲ ପାଲଟି ଯାଇଛନ୍ତି ନୟାଗଡ଼ ଜିଲ୍ଲାର ୬ ବର୍ଷୀୟା ଝିଅ ପ୍ରୀତିସୁଲଗ୍ନା। ୟୁ-ଟ୍ୟୁବ୍‌ ଓ ଫେସ୍‌ବୁକ୍‌ରେ ତାଙ୍କର ଏହି ‘ପଣିକିଆ ବୋଲା’କୁ ଅଧିକରୁ ଅଧିକ ଦର୍ଶକ ଦେଖିବା ସହ ସେୟାର୍‌ କରୁଛନ୍ତି।

ଲକ୍‌ଡାଉନ୍‌ ସମୟରେ କୁନି କୁନି ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହେଉଥିବାରୁ ସେମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ପାଇଁ ଶୈଳବାଳା ପ୍ରଡକ୍ସନ୍ ଏବଂ ନୟାଗଡ଼ ଫେସବୁକ୍‌ ପେଜ୍‌ ସହାୟତାରେ ଦଶପଲ୍ଲାସ୍ଥିତ ରାଧାମୋହନଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏପରି ପ୍ରଚେଷ୍ଟା କରାଯାଇଛି। ଭିଡିଓଟି ଶୁଭମୁକ୍ତି ହେବାର ୨ଦିନ ମଧ୍ୟରେ ‘ଆମ ନୟାଗଡ଼’ ଫେସବୁକ୍ ପେଜ୍‌ରେ ଏହାକୁ ୧.୩ ମିଲିୟନ୍‌ ଲୋକ ଦେଖିସାରିଲେଣି। ତେବେ ଆଗକୁ ପ୍ରୀତି ନିଜ ବୟସର ପିଲାଙ୍କ ପାଇଁ ଆହୁରି ଶିକ୍ଷାଭିତ୍ତିକ ସଙ୍ଗୀତ ଆଣିବାକୁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ପ୍ରୀତି ପ୍ରଥମେ ସଡ଼କ ସୁରକ୍ଷା ଉପରେ ଏକ ଗୀତ ଗାଇବା ସହ ଅଭିନୟ କରି ରାଜ୍ୟବ୍ୟାପୀ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ପରେ ‘ଝିଅଟିଏ ମୁଁ ଝିଅଟିଏ’, ‘୨କ ପଣିକିଆ’କୁ ଗୀତ ମାଧ୍ୟମରେ ପରିବେଷଣ କରି ସେ ଘରେ ଘରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ।

ସମ୍ବନ୍ଧିତ ଖବର