ଭାଇରାଲ୍‌ ହେଉଛି ଅସାମାଜିକଙ୍କ ଭିଡିଓ: ସଉକ ନାଁ’ରେ ଖେଳାଉଛନ୍ତି ଆତଙ୍କ

କେବିଏନ୍ ପରେ କ୍ରାଇମ୍ ବିଏମ୍‌ଏସ୍‌ ଗ୍ୟାଙ୍ଗ୍‌ ଉପରେ ପୁଲିସର ନଜର

ଭୁବନେଶ୍ୱର : ସାମାଜିକ ଗଣମାଧ୍ୟମରେ ଏବେ ମାଳମାଳ ଆତଙ୍କ ସୃଷ୍ଟିକାରୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଚର୍ଚ୍ଚିତ କେବିଏନ୍‌ ଗ୍ରୁପ୍‌ ପରେ ଏବେ ଆହୁରି କିଛି ସଂଗଠନର ଭୟଙ୍କର ଭିଡିଓ ଭାଇରାଲ୍‌ ହେଉଛି। କ୍ରାଇମ୍ ବିଏମ୍‌ଏସ୍‌, ଟାଉନ୍‌ ଟାଇଗର୍ସ, ରିବେଲ୍‌, ଡେଭିଲ୍‌ ଭଳି ଭୟଙ୍କର ନାଁରେ ଗଢ଼ି ଉଠିଛି କିଛି ଅସାମାଜିକ ସଂଗଠନ। ସେମାନେ ନିଜ ନିଜ ଖଟିରୁ ଭିଡିଓ ସୁଟିଂ କରି ଭାଇରାଲ୍ କରୁଥିବା ଜଣାପଡ଼ିଛି। ହାତରେ ଖଣ୍ଡା, ବନ୍ଧୁକ ଭଳି ବିଭିନ୍ନ ମାରଣାସ୍ତ୍ର ଧରି ଚଳଚ୍ଚିତ୍ରର ଖଳନାୟକ ସଂଳାପ କହି ଭିଡିଓ ତିଆରି କରୁଛନ୍ତି। ମାତାଲ୍ ଅବସ୍ଥାରେ ଥିବା ଏହି ଅସାମାଜିକ ତତ୍ତ୍ବମାନଙ୍କୁ ଦେଖିଲେ, ମନରେ ସ୍ବତଃ ଭୟ ସୃଷ୍ଟି ହେଉଛି। ବଡ଼ କଥା ହେଉଛି, ଏଭଳି ଗୋଷ୍ଠୀ ସେମାନଙ୍କ ଭିଡିଓରେ ନିଜ ଅଞ୍ଚଳ ନାଁ ଉଲ୍ଲେଖ କରିବାକୁ ବି ପଛାଉ ନାହାନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ସେମାନେ କୋକୁଆଭୟ ଖେଳାଇ ପାରୁଛନ୍ତି। ଏହା ପରେ ଦାଦାବଟି ଆଦାୟ ସେମାନଙ୍କ ପାଇଁ ସହଜ ହୋଇଯାଉଛି।

ଏଭଳି ଆତଙ୍କ ସୃଷ୍ଟି କଲା ଭଳି ଭିଡିଓ କରିବା ପଛରେ ସେମାନଙ୍କ ଅସଲ ଉଦ୍ଦେଶ୍ୟ ହେଉଛି ନିଜ ସଂଗଠନକୁ ଅନ୍ୟ ଗୋଷ୍ଠୀଠାରୁ ଶକ୍ତିଶାଳୀ ଦେଖେଇବା। କେବିଏନ୍ ଗ୍ରୁପ୍‌ରେ ୫୦ରୁ ଅଧିକ ସଦସ୍ୟ ଥିବା ଜଣାପଡ଼ିଥିଲା। ଏବେ ଭୁବନେଶ୍ବରର କ୍ରାଇମ୍ ବିଏମ୍‌ଏସ୍(ଭୁବନେଶ୍ବର ମହାସଂଗଠନ) ନାମକ ଏକ ଗ୍ୟାଙ୍ଗ୍‌ର ଭିଡିଓ ସମ୍ମୁଖକୁ ଆସିଛି। ଏହି ଗ୍ରୁପ୍‌ର ଲୋଗୋରେ ୨ଟି ବନ୍ଧୁକ ଓ ଗୋଟିଏ ଖପୁରି ଚିତ୍ର ରହିଛି। ଲୋଗୋରୁ ସେମାନେ ସୂଚାଇ ଦେବାକୁ ଚାହୁଛନ୍ତି ଯେ ସେମାନେ କେତେ ଭୟଙ୍କର। ସେହିଭଳି ଟାଉନ୍‌ ଟାଇଗର୍ସ, ଡେଭିଲ୍ ଓ ରିବେଲ୍ ଭଳି ସଂଗଠନଗୁଡ଼ିକର ଭିଡିଓ ବି ବେଶ୍ ଭୟଙ୍କର ଭାବେ ଚିତ୍ରିତ ହୋଇଛି। ଏଥିରେ ସଦସ୍ୟମାନେ ବନ୍ଧୁକ ଫୁଟାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। କମିସନରେଟ୍‌ ପୁଲିସ କେବିଏନ୍‌ ଗ୍ୟାଙ୍ଗ୍‌ ପଛରେ ପଡ଼ିଥିବା ବେଳେ ରାଜଧାନୀର ଗଳିକନ୍ଦିରେ ଗଢ଼ି ଉଠିଥିବା ଅନ୍ୟ ସବୁ ସଂଗଠନ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ସେନେଇ ସାଧାରଣରେ ଆଲୋଚନା ହେଉଛି।

ସେବା ଆଢ଼ୁଆଳରେ ଆତଙ୍କ
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କିଛି ସଂଗଠନ ଗୋଟିଏ ଭିଡିଓରେ ସମାଜସେବାର ଚିତ୍ର ପ୍ରଦର୍ଶନ କରୁଛନ୍ତି। ପଶୁପକ୍ଷୀ ସେବା କରିବା, ଗରିବଙ୍କୁ ଖାଦ୍ୟ ବାଣ୍ଟିବା ଭଳି ଭିଡିଓ ଭାଇରାଲ୍‌ କରୁଛନ୍ତି। ତେବେ ସେହିମାନେ ଭିନ୍ନ ଏକ ସଂଗଠନ ନାଁରେ ଆତଙ୍କ ସୃଷ୍ଟିକାରୀ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି। ତେଣୁ ସେମାନେ ସମାଜସେବା ଆଢ଼ୁଆଳରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାପଡ଼ିଛି। ଭଦ୍ର ଖୋଳପା ଭିତରେ ସେମାନଙ୍କ ଅସଲ ଚରିତ୍ର ଛପି ରହିଥିବା କୁହାଯାଉଛି। ଗୋଟିଏ ଭିଡିଓରେ ସେବା କରୁଥିବା ଯୁବକଟି ଅନ୍ୟ ଭିଡିଓରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ଖେଳାଉଛି। ‘ଆମେ ରିବେଲ୍, ଡ୍ରଗ୍ସମାଫିଆ, ଗ୍ୟାଙ୍ଗଷ୍ଟାର୍’ ବୋଲି ନିଜକୁ ଭିଡିଓରେ ଦର୍ଶାଉଛନ୍ତି। ସାମାଜିକ ଗଣମାଧ୍ୟମରେ ଏଭଳି ପ୍ରଚାର କରିବାର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ମନରେ ଭୟ ସୃଷ୍ଟି କରିବା।

ଓଡ଼ିଶାରେ ବି ଦୁର୍ଲଭ କଶ୍ୟପ ଗ୍ୟାଙ୍ଗ!
ମଧ୍ୟପ୍ରଦେଶ ଉଜ୍ଜୟିନୀର କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ଦୁର୍ଲଭ କଶ୍ୟପ କିଛି ମାସ ତଳେ ଏକ ଗ୍ୟାଙ୍ଗ୍‌ଵାର୍‌ରେ ନିହତ ହୋଇଥିଲା। ନିଜକୁ ଶିବ ଭକ୍ତ ବୋଲି କହୁଥିବା କଶ୍ୟପ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ତା’ ଗୋଷ୍ଠୀରେ ବହୁସଂଖ୍ୟାରେ ନାବାଳକ ଥିଲେ। ତା’ ମୃତ୍ୟୁ ପରେ ସେହି ଗୋଷ୍ଠୀର ପିଲାମାନେ ଏବେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ରାଜ୍ୟରେ ଓ ପ୍ରମୁଖ ସହରଗୁଡ଼ିକରେ ସଂଗଠନ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଫେସ୍‌ବୁକ୍‌ରେ ସିଧାସଳଖ ଦୁର୍ଲଭ କଶ୍ୟପ ଗ୍ୟାଙ୍ଗ୍‌ରେ ସାମିଲ ହେବାକୁ ଆମନ୍ତ୍ରଣ କରୁଛନ୍ତି। ହ୍ବାଟ୍ସଆପ୍ ମାଧ୍ୟମରେ ଗ୍ରୁପ୍ ତିଆରି କରୁଛନ୍ତି। ଏହା ପରେ ସିଧାସଳଖ ଗ୍ରୁପ୍‌ ଜରିଆରେ ସୁପାରି ନେଇ ବିଭିନ୍ନ ଆପରାଧିକ କାଣ୍ଡ ଭିଆଉଛନ୍ତି। ନିକଟରେ ଓଡ଼ିଶାରେ ମଧ୍ୟ ଏହିଭଳି ଗ୍ୟାଙ୍ଗ୍ ଗଠନ ହୋଇଥିବା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି। ଭୁବନେଶ୍ବର, ସୁବର୍ଣ୍ଣପୁର, ନୂଆପଡ଼ା, ସମ୍ବଲପୁର ଭଳି ପ୍ରମୁଖ ଅଞ୍ଚଳରୁ କିଛି ଯୁବଗୋଷ୍ଠୀ ଏହି ଗ୍ୟାଙ୍ଗ୍‌ରେ ସାମିଲ୍ ହୋଇଥିବା ଜଣାପଡ଼ିଛି। ସେମାନେ ଗ୍ୟାଙ୍ଗ୍‌ଷ୍ଟର ଦୁର୍ଲଭ କଶ୍ୟପ ପିନ୍ଧୁଥିବା ଡ୍ରେସ୍‌ ଭଳି ଧଳା ଧୋତିରେ କଳା କୁର୍ତ୍ତା ଓ ମୁଣ୍ଡରେ କଳା ତିଳକ ଲଗାଇ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଭୟଭୀତ କରାଉଛନ୍ତି। ପୁଲିସ ଆରମ୍ଭରୁ ଏହି ଗୋଷ୍ଠୀକୁ ସାବାଡ୍‌ ନକଲେ, ପରେ ପରିସ୍ଥିତି ଅଣାୟତ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

 

ସମ୍ବନ୍ଧିତ ଖବର