ମହିଳାଙ୍କ ମୋବାଇଲ୍‌ରୁ ଗୋପନୀୟ ତଥ୍ୟ ଭାଇରାଲ୍‌ ଧମକ

ବିଶ୍ବାସଘାତକ ପିଅନ ଗିରଫ

ଭୁବନେଶ୍ବର ଜଣେ ମହିଳାଙ୍କ ଫୋନ୍‌ରେ ଥିବା ‌ଗୋପନୀୟ ତଥ୍ୟ ଭାଇରାଲ୍‌ କରିବାକୁ ଧମକ ଦେବ‌ା ଓ ବ୍ଲାକ୍‌ମେଲ୍ କରି ଟଙ୍କା ଆଦାୟ କରିବା ଅଭିଯୋଗରେ କ୍ୟାପିଟାଲ୍‌ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା, ଖୋର୍ଦ୍ଧା କାଇପଦର ଅଞ୍ଚଳର ସତ୍ୟନାରାୟଣ ବାରିକ(୨୪)। ମହିଳାଙ୍କ ସ୍ବାମୀଙ୍କ ଅଫିସ୍‌ରେ ପିଅନ ଭାବେ କାମ କରୁଥିବା ସତ୍ୟନାରାୟଣ ବିଶ୍ବାସଘାତକତା କରି ମହିଳାଙ୍କଠାରୁ ୨ ଲକ୍ଷ ଟଙ୍କା ନେବା ପରେ ବି ପୁଣି ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗ ହୋଇଛି।
ପୁ

ଲିସ ସୂଚନାନୁସାରେ ମ‌ହିଳାଙ୍କ ସ୍ବାମୀ ପୂର୍ବତଟ ରେଳ ବିଭାଗରେ ଚାକିରି କରୁଛନ୍ତି। ସେ ତାଙ୍କ ପରିବାର ସହ ୟୁନିଟ୍‌-୮ରେ ରହୁଛନ୍ତି। ଅଭିଯୁକ୍ତ ସତ୍ୟନାରାୟଣ ତାଙ୍କ ପାଖରେ ପିଅନ ଭାବେ କାମ କରୁଥିଲା। ବେଳେବେଳେ ସେ ଅଫିସରଙ୍କ ଘରକୁ ବୋଲହାକ କରିବାକୁ ଆସୁଥିଲା। ଏହା ଭିତରେ ସତ୍ୟର ମୋବାଇଲ୍‌ ଫୋନ୍‌ ଖରାପ ହୋଇଯାଇଥିଲା। ପଇସାପତ୍ର ଅଭାବରୁ ସେ ନୂଆ ଫୋନ୍‌ କିଣି ପାରିନଥିଲା। ଏହା ଦେଖି ଅଫିସରଙ୍କ ସ୍ତ୍ରୀ ତାକୁ ନିଜର ପୁରୁଣା ମୋବାଇଲ୍‌ ଫୋନ୍‌ ଦେଇଥିଲେ। ମାତ୍ର ସତ୍ୟ ବେଶ୍ ବିଶ୍ବସ୍ତ ହୋଇଥିବାରୁ ମହିଳା ତାଙ୍କ ମୋବାଇଲ୍‌ରୁ କୌଣସି ଡାଟା ଡିଲିଟ୍‌ କରିନଥିଲେ। ମାତ୍ର ସତ୍ୟ ହାତରେ ମୋବାଇଲ୍‌ ପଡ଼ିବା ପରେ ତା’ର ଅସଲ ଚେହେରା ପଦାକୁ ଆସିଥିଲା।

ସେ ‌ମୋବାଇଲ୍‌ ଫୋନ୍‌ ଯାଞ୍ଚ କରି ମହିଳାଙ୍କ କିଛି ଗୋପନୀୟ ତଥ୍ୟ ଦେଖିବାକୁ ପାଇଥିଲା। ଉକ୍ତ ମୋବାଇଲ୍‌ ଫୋନ୍‌ରେ ଥିବା ହ୍ୱାଟସ୍‌ଆପ ଚାଟ୍, ମେସେଞ୍ଜର ଚାଟ୍‌ ଆଦିରୁ ଗୋପନୀୟ ଭିଡିଓ ସଂଗ୍ରହ କରିନେଲା। ଏସବୁକୁ ଦେଖାଇ ସେ ମହିଳାଙ୍କୁ ବ୍ଲାକ୍‌ମେଲ୍ କରିବା ଆରମ୍ଭ କଲା। ଟଙ୍କା ନଦେଲେ ମହିଳାଙ୍କ ଗୋପନୀୟ ତଥ୍ୟ ଭାଇରାଲ୍‌ କରିଦେବ ବୋଲି ମଧ୍ୟ ସେ ଧମକ ଦେଲା। ସତ୍ୟର ଏଭଳି ଭୟଙ୍କର କଥା ମହିଳାଙ୍କ ସ୍ବାମୀଙ୍କ କାନକୁ ଗଲା। ଲୋକଲଜ୍ଜାକୁ ଡରି ସେମାନେ ଅଭିଯୁକ୍ତ ସତ୍ୟକୁ ଫୋନ୍‌-ପେ’ ମାଧ୍ୟମରେ ୨ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ବି ସତ୍ୟର ଲୋଭର ଅନ୍ତ ହେଲା ନାହିଁ। ସେ ଆହୁରି ଟଙ୍କା ଦାବି କରି ଦମ୍ପତିଙ୍କୁ ବ୍ଲାକ୍‌ମେଲ୍ କଲା। ଶେଷରେ ବାଧ୍ୟ ହୋଇ ଦମ୍ପତି କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର