ଭୁବନେଶ୍ୱର: କାଟୁ କରୁନି ପୁଲିସ୍ର କଟକଣା। ଘନଘନ ଭାଇରାଲ୍ ହେଉଛି ଯୁବତୀଙ୍କ ଅଶ୍ଳୀଳ ଭିଡିଓ। ଛାତ୍ରୀଙ୍କଠୁ ଆରମ୍ଭ କରି କଣ୍ଠଶିଳ୍ପୀ, ଅଭିନେତ୍ରୀ କେହି ବି ବାଦ୍ ପଡ଼ୁନାହାନ୍ତି ଏଥିରୁ। ଏପରି ଭିଡିଓ ସମ୍ପୃକ୍ତ ମହିଳା/ଛାତ୍ରୀଙ୍କ ଜୀବନକୁ ବିଗାଡ଼ି ଦେଉଛି। ସମାଜରେ ମୁଣ୍ଡ ଟେକି ଚାଲିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଛି। ସୂଚନା ଅନୁଯାୟୀ ୨୦୧୭ରେ ୪ଟି ଭିଡିଓ, ୨୦୧୮ରେ ୬ରୁ ଊର୍ଧ୍ୱ ଭିଡିଓ ଭାଇରାଲ୍ ହୋଇଛି। ପୁଲିସ ମାମଲା ବି ରୁଜୁ କରିଛି। କିପରି ଭାଇରାଲ୍ ଭିଡିଓକୁ ରୋକି ହେବେ ସେ ନେଇ କମିସନରେଟ୍ ପୁଲିସ ପକ୍ଷରୁ ନିର୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ଏହା ସତ୍ତ୍ୱେ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ବନ୍ଦ ହେଉନି। ଯାହା ପୁଲିସ ପାଇଁ ଚିନ୍ତାର କାରଣ ସାଜିଛି।
କେବଳ ୨୦୧୮ରେ ୭ ମାସ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଅଭିନେତ୍ରୀ, ଜଣେ କଣ୍ଠଶିଳ୍ପୀ, ୬ ଜଣ ଛାତ୍ରୀଙ୍କ ଭିଡିଓ ଭାଇରାଲ୍ ହୋଇଛି। ୨ଜଣ ଯୁବତୀଙ୍କ ଫଟୋ ଭାଇରାଲ୍ ନେଇ ଧମକ ହୋଇଛି। ଏଥିରେ ଗୋଟିଏ ଘଟଣାରେ କମିସନରେଟ୍ ପୁଲିସ ନିଜଆଡ଼ୁ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୫ ଘଟଣାରେ ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ୪ଟି ମାମଲାରେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନେ ଫେରାର୍ ଅଛନ୍ତି। ପୁଲିସ ସେମାନଙ୍କ ଟେର୍ ପାଉନାହିଁ।
ରାଜଧାନୀରେ ଘଟିଥିବା କେତେକ ପ୍ରମୁଖ ଘଟଣା
୩୧|୩ : ସହିଦନଗର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ନଗ୍ନ ଫଟୋ ଫେସ୍ବୁକ୍ରେ ପୋଷ୍ଟ କରାଯାଇଥିିଲା। ଯୁବତୀଙ୍କ ଅଭିଯୋଗ ପରେ ସହିଦନଗର ଥାନା ପୁଲିସ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଅଞ୍ଚଳର ସୁଶୀଲ କୁମାର ପଣ୍ଡାକୁ ଗିରଫ କରିଥିଲା। ତେବେ ପ୍ରେମରେ ଧୋକା ଖାଇବା ପରେ ସୁଶୀଲ ଏଭଳି କାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲା।
୧୫|୪: ରାଜଧାନୀର ଏକ ପ୍ରତିଷ୍ଠିତ ମହିଳା ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ୍ ଧମକ ଅଭିଯୋଗ ପରେ ସହିଦନଗର ଥାନା ପୁଲିସ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ନିଶିକାନ୍ତ କରକୁ ଗିରଫ କରିଥିଲା। ତା ମୋବାଇଲ୍ରୁ ପୁଲିସ କେତେକ ଭିଡିଓ ଜବତ କରିଥିଲା। ପ୍ରେମ ସମ୍ପର୍କରେ ଭଟ୍ଟା ଯୋଗୁଁ ନିଶିକାନ୍ତ ପ୍ରତିଶୋଧ ପରାୟଣ ହୋଇ ଭାଇରାଲ ଧମକ ଦେଇଥିଲା।
୧୭|୪: ସିରିଏଲ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ବି ମୋବାଇଲ୍ରୁ ମୋବାଇଲ୍ ଘୂରି ବୁଲୁଛି।
୧୯|୪: ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା। ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହି ସ୍ୱାଧୀନ ବସ୍ତିର ସରୋଜ ଦାସକୁ ଗିରଫ କରିଥିଲା। ପ୍ରେମ ସମ୍ପର୍କକୁ ନେଇ ମତାନ୍ତର ପରେ ସରୋଜ ଯୁବତୀଙ୍କ କେତେକ ନଗ୍ନ ଫଟୋକୁ ହ୍ଵାଟସ୍ଆପ୍ରେ ଭାଇରାଲ୍ କରିଥିଲା।
୨୦|୪: ଜଣେ ଜଣାଶୁଶା କଣ୍ଠଶିଳ୍ପୀଙ୍କ ଭିଡିଓ ଭାଇରାଲ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଙ୍କର ୧.୨୨ମିନିଟ୍ର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲ୍ରୁ ମୋବାଇଲ୍ ସାରା ରାଜ୍ୟରେ ଏବେ ବି ଘୂରି ବୁଲୁଛି।
୧୧|୬: ଫେସ୍ବୁକ୍ରେ ଯୁବତୀଙ୍କ ସହ ବନ୍ଧୁତ୍ୱ। ବନ୍ଧୁତ୍ୱରୁ ପ୍ରେମ। ଆଉ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ଶେଷରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଧମକ। ଏଭଳି ଏକ ଅଭିଯୋଗରେ ସହିଦନଗର ଥାନା ପୁଲିସ ୟୁନିଟ୍-୯ ଫ୍ଲାଟ୍ ଅଞ୍ଚଳର ସୂର୍ଯ୍ୟକାନ୍ତ ପରିଡ଼ା ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା।
୨|୭: ରାଜଧାନୀର ଏକ ସରକାରୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ ପୁଲିସକୁ ଚିନ୍ତାରେ ପକାଇଥିଲା। ଯୁବତୀ ଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ୫ତାରିଖରେ ଶିରିପୁର କଲ୍ୟାଣମଣ୍ଡପ ଅଞ୍ଚଳର ସୁଶାନ୍ତ କୁମାର ବେହେରା ନାମକ ଯୁବକକୁ ଗିରଫ କରିଥିଲା।
୫|୭: ହାସ୍ୟ ଅଭିନେତା ବାଳକୃଷ୍ଣ ନାୟକ ମଧ୍ୟ ବର୍ତି ନ ଥିଲେ ଭାଇରାଲ ଭୂତ କବଳରୁ। ପ୍ରେମରେ ଧୋକା ଖାଇବା ପରେ ହିତାହିତ ଜ୍ଞାନ ହରାଇ ସେ ଜଣେ ଯୁବତୀଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ତେବେ ଏଥିପାଇଁ ସେ ପରେ କ୍ଷମା ବି ମାଗିଥିଲେ।
୫|୭: ଏକ ଘରୋଇ ବିଶ୍ୱ ବିଦ୍ୟାଳୟ ଛାତ୍ରୀଙ୍କ ଭିଡିଓ ଭାଇରାଲ। ଯେଉଁଥିରେ ଅଢ଼େଇ ମିନିଟ୍ର ୩ଟି ଭିଡିଓ ଏବଂ କେତେକ ଫଟୋ ଅଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନି କି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।
ଲୋକମାନେ ସଚେତନ ହେବା ଦରକାର
ଭିଡିଓ ଭାଇରାଲ ରୋକିବା ପାଇଁ ଫେସବୁକ, ହ୍ଵାଟ୍ସ ଆପ୍ ଭଳି ବହୁଳ ବ୍ୟବହାର ସୋସିଆଲ୍ ମିଡିଆ କଟକଣା ଲଗାଇବା ଆବଶ୍ୟକ। ପୁଲିସ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି। ନିର୍ଦେଶାବଳୀ ଜାରି କରାଯାଇଛି। ଅଧିକାଂଶ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିପାଇଁ ଲୋକମାନେ ମଧ୍ୟ ସଚେତନ ହେବା ଆବଶ୍ୟକ।
ଅନୁପ ସାହୁ, ଡିସିପି, ଭୁବନେଶ୍ୱର