କୋଭିଡ୍‌ ହସ୍‌ପିଟାଲ ବିରୋଧରେ ବାର୍ତ୍ତାଳାପ ଘଟଣା : ଦୁଇଜଣଙ୍କୁ ଉଠାଇ‌ନେଲା ପୁଲିସ୍‌

ଭୁବନେଶ୍ୱର : କୋଭିଡ୍ ହସ୍ପିଟାଲ୍ ସମ୍ପର୍କରେ ଫୋନ୍‌ରେ କଥା ହେଉଥିବା ଦୁଇ ବନ୍ଧୁଙ୍କ ଅଡିଓ ଭାଇରାଲ ଘଟଣାରେ ନୂଆ ମୋଡ଼ ଆସିଛି। ଉଭୟ ବନ୍ଧୁଙ୍କୁ ଖୋଜି ଉଠାଇ ଆଣିଛି କମିସନରେଟ୍‌ ପୁଲିସ। ପୂର୍ବରୁ ଏହି କଥୋପକଥନକୁ ପ୍ରସାରଣ କରି ଏକ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ହୋଇଥିବା ବେଳେ ଏହି ମାମଲା ସହ ଉଭୟଙ୍କୁ ଯୋଡ଼ା ଯାଇଛି। ଉଭୟଙ୍କୁ ପଚରାଉଚରା ଚାଲିଛି। କାହା ପ୍ରରୋଚନାରେ ପଡ଼ି ଏଭଳି ଯୋଜନାବଦ୍ଧ ଭାବରେ ଅଡିଓ ଭାଇରାଲ କରାଇଥିଲେ ନା ଏହା ପଛରେ ଆଉ କ’ଣ ଷଡ଼ଯନ୍ତ୍ର ରହିଛି, ତାହାର ଖୋଳତାଡ଼ ହେଉଛି। ଏହି ଅଡିଓକୁ ଯେଉଁମାନେ ବିଭିନ୍ନ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ରେ ଭାଇରାଲ କରାଇଥିଲେ, ସେହି ଗ୍ରୁପ୍‌ର ଆଡ୍‌ମିନ୍‌ ମଧ୍ୟ ପୁଲିସ ସ୍କାନରକୁ ଆସିଛନ୍ତି। ଘଟଣା ଜଣାପଡ଼ିବା ପରେ ବିଭିନ୍ନ ଗ୍ରୁପ୍‌ରୁ ଏହି ଅଡିଓକୁ ଆଡ୍‌ମିନ୍‌ ଡିଲିଟ୍‌ କରୁଥିବା ଦେଖାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୬ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଏହି ଅଟକ ଦୁଇଜଣ ଫୋନ୍‌ରେ ହେଉଥିବା ବାର୍ତ୍ତାଳାପର ରେକର୍ଡିଂ ପ୍ରସାରଣ କରିଥିଲା। ଅଡିଓ କ୍ଲିପ୍‌ରେ ଏହି ଦୁଇଜଣ ପଜିଟିଭ୍ ରିପୋର୍ଟ ନ ଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ବିଭିନ୍ନ ହସ୍‌ପିଟାଲକୁ ପଠାଯାଉଛି ବୋଲି କଥା ହୋଇଥିଲେ। ରୋଗୀ ପିଛା କେନ୍ଦ୍ର ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ଆସୁଛି, ସେଥିପାଇଁ ଦିନକୁ ଶହେ ରୋଗୀଙ୍କୁ ଏ ସବୁ ହସ୍‌ପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ଅଛି ବୋଲି ସେମାନେ କହୁଥିଲେ।

ସମ୍ବନ୍ଧିତ ଖବର

Comments are closed.