ଭୁବନେଶ୍ୱର : ଭାଲେଣ୍ଟାଇନ୍ ସପ୍ତାହ ଚାଲିଥିବା ବେଳେ ଦୁଇ ଦିନ ଏକ ଭିଡିଓ କ୍ଲିପ୍ ଇଣ୍ଟରନେଟ୍ରେ ହଇଚଇ ସୃଷ୍ଟି କରିଛି। ଆଖିରେ ଆଖିରେ ଜଣେ ପୁଅ ଓ ଝିଅ ନିଜ ପ୍ରେମର ଭାବନାକୁ ପରିପ୍ରକାଶ କରୁଥିବା ଦୃଶ୍ୟ ସମସ୍ତଙ୍କୁ ରୋମାଞ୍ଚିତ କରୁଛି। ଫେସବୁକ୍, ଟ୍ଵିଟର ଓ ଅନ୍ୟ ସୋସିଆଲ ମିଡିଆରେ ୨୯ ସେକେଣ୍ଡର ଏକ ଭିଡିଓ ଭାଇରାଲ ହୋଇଛି। ୨୪ଘଣ୍ଟାରେ ୧୦ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଥିବା ବେଳେ ଏହାକୁ ୫୦ହଜାରରୁ ଅଧିକ ଲାଇକ୍ ମିଳିଛି।
ସମସ୍ତେ ଏହି ଭିଡିଓକୁ ସେୟାର କରିବାରେ ଲାଗିଛନ୍ତି। ଅନେକ ନିଜ ଫେସବୁକ୍ ପ୍ରୋଫାଇଲରେ ଏହି ଭିଡିଓକୁ ରଖୁଥିବା ନଜରକୁ ଆସୁଛି। ଏପରିକି ପ୍ରମୁଖ ଗଣମାଧ୍ୟମ ଏହାକୁ ଖବର ଆକାରରେ ପ୍ରକାଶ କଲେଣି। ଏପରିକି କିଛି ମଜାଦାର ଭିଡିଓ ପ୍ରସ୍ତୁତ କରୁଥିବା ସଂସ୍ଥା ଭିଡିଓରେ ଥିବା ଝିଅଙ୍କ ଫଟୋ ସହିତ ଦେଶର ପ୍ରମୁଖ ନେତା ଓ ଅଭିନେତାଙ୍କ ଅନ୍ୟ କେଉଁ ମୁହୂର୍ତରେ ଥିବା ଫଟୋ ସହିତ ଯୋଡ଼ି ଏହାକୁ ସେୟାର କରୁଛନ୍ତି।
୨୯ ସେକେଣ୍ଡ୍ର ଏହି ଭିଡିଓ ହେଉଛି ଆଗକୁ ମୁକ୍ତିଲାଭ କରିବାକୁ ଯାଉଥିବା ମାଲୟାଲମ୍ ସିନେମା ‘ଓରୁ ଅଦାର ଲଭ୍’ରେ ଥିବା ଗୀତ ‘ମନିକ୍ୟା ମଲରୟା ପୁଭି’ର କିଛି ଅଂଶ। ଏହି ସିନେମାରେ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭେରିଆର୍ ପ୍ରଥମ ଥର ପାଇଁ ପରଦାକୁ ଆସୁଛନ୍ତି। ଏହା ଆସନ୍ତା ମାର୍ଚ ୩ ତାରିଖରେ ମୁକ୍ତିଲାଭ କରିବ। ଏହି ଭିଡିଓରେ ଜଣେ କଲେଜ ଛାତ୍ରୀ ଭାବେ ଅଭିନୟ କରୁଥିବା ପ୍ରିୟାଙ୍କୁ ତାଙ୍କର ଜଣେ ସହପାଠୀ ଆଖିରେ ଇସାରା କରୁଛନ୍ତି। ଏହାର ପ୍ରତ୍ୟୁତ୍ତରରେ ପ୍ରିୟା ମଧ୍ୟ ତାଙ୍କୁ ଏଭଳି ଢଙ୍ଗରେ ଇସାରା କରୁଛନ୍ତି। ଆଉ ପୁଅଟି ଏକପକ୍ରାର ରୋମାଞ୍ଚିତ ହୋଇ ଉଠୁଛି। ଏଥିରେ ପ୍ରିୟାଙ୍କ ଆଖିର ଇସାରା ଓ ଅଙ୍ଗଭଙ୍ଗୀ ଅନେକଙ୍କ ମନକୁ ଛୁଇଁଛି। ନିଜର ଟ୍ଵିଟର ହ୍ୟାଣ୍ଡେଲରେ ପ୍ରିୟା ଏହି ଗୀତର ବିଭିନ୍ନ ଅଂଶକୁ ସେୟାର କରିଛନ୍ତି। ୧୮ ବର୍ଷୀୟା ପ୍ରିୟା କେରଳର ଥ୍ରିସୁର ବିମଲା କଲେଜରେ ବି.କମ୍ ପଡ଼ୁଛନ୍ତି। ଇତିମଧରେ ସେ କୋଟି କୋଟି ହୃଦୟରେ ଘର କରିସାରିଲେଣି। ଗୁଗୁଲ୍ରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ସର୍ଚ କରୁଥିବା ଜଣାପଡ଼ିଛି।