ବାଲିପାଟଣା: ପବିତ୍ର କୁମାରପୂର୍ଣ୍ଣିମାରେ କୁମାରୀ ବିବାହ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ କୁମାରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ପୁଞ୍ଚି ଖେଳ ଆୟୋଜନ କରାଯିବା ସହ ଫୁଲ ବଉଳବେଣୀ ଗୀତ ଓ କୁମାରୀ ବିବାହ ଭଳି କାର୍ଯ୍ୟକ୍ରମ କେବଳ ଅବିବାହିତା ଯୁବତୀ ମାନେ ପରିବେଷଣ କରିଥିଲେ। ବିଶ୍ୱାସ ରହିଛି ଏଥିରେ ଅଂଶ ଗ୍ରହଣ କରୁଥିବା କୁମାରୀ ମାନଙ୍କର ବିବାହ ସମସ୍ୟା ରହି ନଥାଏ। ବଳଭଦ୍ରପୁର ଗ୍ରାମରେ ବର ମନସ୍ୱିନୀ ସ୍ୱାଇଁ, କନ୍ୟା ସାଇଶ୍ରୁତି ପାଇକରାୟଙ୍କ ବିବାହରେ ଆରାଧ୍ୟା ପାଇଟିଆଳ ବରଧରା ହୋଇଥିଲେ।
ବାଲିପାଟଣା,: କୁମାର ପୂର୍ଣ୍ଣମୀ ଅବସରରେ ବାଲିପାଟଣା ବ୍ଲକ୍ର ବିଭିନ୍ନ ଗ୍ରାମରେ କୁମାରୀ ବିବାହ ଉତ୍ସବ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ବିଶ୍ୱନାଥପୁର ଗ୍ରାମର ମହାଜନ ସାହିରେ ଗ୍ରାମର ସମସ୍ତ ଝିଅ ଏକତ୍ରିତ ହୋଇ ହଳଦି ଓ ମେହେନ୍ଦି ପର୍ବ ପାଳନ କରିଥିଲେ। ଗାଁର ଶେଷ ମୁଣ୍ଡରେ ଥିବା ମା’ଙ୍କ ମନ୍ଦିରରେ ଦିଅଁ ମଙ୍ଗୁଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତ୍ରିଶା ସାହୁ ବର ବେଶରେ ଏକ ସୁସଜ୍ଜିତ କାର୍ରେ ବରଯାତ୍ରୀଙ୍କ ଗହଣରେ କନ୍ୟା ରୂପା ଓଝାଙ୍କ ଘରେ ପହଁଞ୍ଚିଥିଲେ। କନ୍ୟା ପକ୍ଷ ବରକୁ ବରଣୀ କରିବା ସହିତ ବରଯାତ୍ରୀମାନଙ୍କୁ ଫୁଲଚନ୍ଦନ ଲଗାଇ ସ୍ୱାଗତ କରିଥିଲେ। ପରେ ବ୍ରାହ୍ମଣଙ୍କ ମନ୍ତ୍ର ସହ ବିବାହ କାର୍ଯ୍ୟ ସମାପନ ହୋଇଥିଲା।
ବାଲିଅନ୍ତା ବଜାର: ବେଣୁପୁର ଖୁଣ୍ଟିଆ ସାହିରେ କୁମାର ପୂର୍ଣ୍ଣିମା ଅବସରରେ ପରମ୍ପରା ଅନୁଯାୟୀ କୁମାରୀ ବିବାହ ଅନୁଷ୍ଠିତ ହୋଇଛି। ରୀତିନୀତି ଅନୁସାରେ ପ୍ରଥମେ ଉଭୟ ପକ୍ଷଙ୍କ ମଧ୍ୟରେ ନିର୍ବନ୍ଧ କରାଯାଇଥିଲା। ସନ୍ଧ୍ୟାରେ ହଳଦୀ ଓ ମେହେନ୍ଦି ସହ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳୁ ଗ୍ରାମଦେବତୀଙ୍କ ପାଖରେ ଦିଅଁ ମଙ୍ଗୁଳା ହେବା ପରେ ସନ୍ଧ୍ୟାରେ ବାଢ଼ୁଆ ପାଣିରେ ସ୍ନାନ ସମ୍ପୂର୍ଣ ହୋଇଥିଲା। ବର କନ୍ୟା ଉଭୟଙ୍କୁ ସଜ କରାଯାଇ ଥିଲା। ବର କନ୍ୟା ଘରେ ପହଞ୍ଚିବା ପରେ ବନ୍ଦାପନା କରି ଏକ କୋଠରୀରେ ବସାଇବା ସହ ବର ଚର୍ଚ୍ଚା କନ୍ୟା ପକ୍ଷରୁ କରାଯାଇଥିଲା। ବୈଦିକ ରୀତିରେ ବିବାହ କାର୍ଯ୍ୟ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ଓ ହୁଳୁହୁଳି ସହ ସମ୍ପନ୍ନ ହୋଇଥିଲା।