ଭର୍ଚୁଆଲ୍ ବୈଠକ ‘ମୁଁ ପାରିବି’ ଦିନରେ ଜଣଙ୍କ ମୁହଁରେ ହସ ଫୁଟାଇ ପାରିଲେ ଆମ ଜୀବନ ସାର୍ଥକ ହେବ

ଭୁବନେଶ୍ବର, ୨୬।୬ (ଇମିସ): ଯଦି ଆମେ ଦିନରେ ଜଣେ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିବା, ତାହେଲେ ଆମ ଜୀବନ ସାର୍ଥକ ହେଲା ବୋଲି ଭାବିବା। କନ୍ଧମାଳ ଜିଲ୍ଲା ପ୍ରଶାସନ, ୟୁନିସେଫ୍ ଓ ଆକ୍ସନ-ଏଡ୍‌ର ମିଳିତ ଉଦ୍ୟମରେ ୱେବିନାର୍‌ ମାଧ୍ୟମରେ ଆୟୋଜିତ ‘ମୁଁ ପାରିବି’ (ଆଇ-କ୍ୟାନ୍‌) କାର୍ଯ୍ୟକ୍ରମରେ ଯୋଗ‌ଦେଇ ଓଲିଉଡ୍‌ ଅଭିନେତା ତଥା ସବ୍ୟସାଚ୍ଚୀ ଛାତ୍ରଛାତ୍ରୀମାନଙ୍କୁ ଏପରି ବାର୍ତ୍ତା ଦେଇଛନ୍ତି।

କରୋନା ଯୋଗୁଁ ପ୍ରାୟ ୨ବର୍ଷ ହେବ ଲକ୍‌ଡାଉନ୍/ସଟ୍‌ଡାଉନ୍‌ ଲାଗି ରହିଛି। ଦିନରାତି ଘର ଭିତରେ ରହିବା ଦ୍ବାରା ବିଶେଷକରି କିଶୋର,କିଶୋରୀମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପଡ଼ୁଛି। ଏହି ସମୟରେ କିଛି କିଶୋର,କିଶୋରୀ ଘରୋଇ ହିଂସା, ଯୌନ ଶୋଷଣର ଶିକାର, ଶିଶୁ ଚାଲାଣ ଓ ବାଲ୍ୟ ବିବାହ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେମାନେ ଖୋଲାଖୋଲି ଭାବେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିପାରନ୍ତି ନାହିଁ। ତେଣୁ ଏ ଦିଗରେ ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏପରି ଏକ ୱେବିନାର୍‌ର ଆୟୋଜନ କରାଯାଇଥିଲା। ଓଡ଼ିଶା ୟୁନିସେଫ୍‌ର ମୁଖ୍ୟ ମୋନିକା ନେଲସନ୍ ଯୋଗଦେଇ ପିଲାମାନଙ୍କୁ ଅନ୍‌ଲାଇନ ସୁରକ୍ଷାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ। ଓଡ଼ିଶା ଆକ୍ସନ-ଏଡ୍‌ର ସହକାରୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର କନ୍ଧମାଳର ‘ଅନ୍ତରଙ୍ଗ’ର ଯୁବଗୋଷ୍ଠୀ କରୋନା ସମୟରେ କରିଥିବା ଉଲ୍ଲେଖନୀୟ କାମ ଉପରେ ଆଲୋକପାତ କରିଥିଲେ।

କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. ଆଲୋଚନାରେ ଭାଗ ନେଇଥିବା ସମସ୍ତ ପିଲାଙ୍କୁ ନିଜ ସମସ୍ୟା ସଂପର୍କରେ ଖୋଲା ଆଭିମୁଖ୍ୟ ରଖିବାକୁ କହିଥିଲେ। ସୁପରଭାଇଜର୍ ବୈଜୟନ୍ତୀ ମଲ୍ଲିକ ବୈଠକରେ ଯୋଗ ଦେଇ ପିଲାଙ୍କ ପାଇଁ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡ଼ି ଦିଦି, ଶିଶୁ ଗୃହ ତଥା ସ୍ବଧାର ଗୃହର ଅନ୍ତେବାସୀ, ବାଲ୍ୟ ବିବାହ ନିଷେଧ ଅଧିକାରିଣୀ, ଜିଲ୍ଲା ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଏହିଭଳି ୫୦୦ରୁ ଅଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର