ଭୁବନେଶ୍ୱର : କରୋନା ପାଇଁ ସଂଗ୍ରହାଳୟ ପରିଦର୍ଶନ ବନ୍ଦ ରହିଥିବା ବେଳେ ଆଧୁନିକ ଜ୍ଞାନ କୌଶଳ ବଳରେ ‘ଜନଜାତି ସଂଗ୍ରହାଳୟ’ର ଭର୍ଚୁଆଲ ଟୁର୍ ଆରମ୍ଭ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍ସିଏସ୍ଟିଆର୍ଟିଆଇ) ପକ୍ଷରୁ ସିଆର୍ପି ଛକ ନିକଟରେ ଥିବା ଏହି ସଂଗ୍ରହାଳୟକୁ ସୋସିଆଲ ମିଡିଆ ମାଧ୍ୟମରେ ବୁଲିବାର ଅବକାଶ ସୃଷ୍ଟି ହୋଇଛି। ଜନଜାତି ସଂଗ୍ରହାଳୟକୁ ବୁଲିବାର ଆଗ୍ରହ ରଖୁଥିବା ବ୍ୟକ୍ତିବିଶେଷ ଫେସବୁକ୍ ଓ ଟୁଇଟର୍ ଜରିଆରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ଏସ୍ସିଏସ୍ଟିଆର୍ଟିଆଇ @scstrti ଓ ଏସ୍ଟିଆଣ୍ଡ୍ଏସ୍ସି ଡେଭଲପମେଣ୍ଟ୍ ଡିପାର୍ଟମେଣ୍ଟ, ମାଇନରିଟିସ୍ ଆଣ୍ଡ୍ ବ୍ୟାକୱାର୍ଡ କ୍ଲାସ୍ ୱେଲ୍ଫେୟାର ଡିପାର୍ଟମେଣ୍ଟ ଓଡ଼ିଶା @stscdev ପେଜ୍ ଖୋଲି ସଂଗ୍ରହାଳୟ ମଧ୍ୟରେ ବୁଲିବାର ଅନୁଭବ ନେଇପାରିବେ।
୧୯୫୨ରେ ପ୍ରତିଷ୍ଠିତ ଏହି ଜନଜାତି ସଂଗ୍ରହାଳୟରେ ରାଜ୍ୟର ୬୨ଟି ଜନଜାତିର ଜୀବନଶୈଳୀ ଓ ସଂସ୍କୃତିର ନିଦର୍ଶନ ସହ ସେମାନଙ୍କ ଦ୍ବାରା ବ୍ୟବହୃତ ଜିନିଷ ଦେଖିବାକୁ ମିଳୁଛି। ୫-ଟିକୁ ଗୁରୁତ୍ବ ପୂର୍ବକ ଭର୍ଚୁଆଲ ଟୁର୍ ଆରମ୍ଭ କରିଛି ଏସ୍ସିଏସ୍ଟିଆର୍ଟିଆଇ।
ଏହା ଜରିଆରେ ପ୍ରତ୍ୟେକ ସପ୍ତାହରେ ଦର୍ଶକମାନେ ଭିନ୍ନଭିନ୍ନ ଗ୍ୟାଲେରି ଓ ଜନଜାତି ବାସଗୃହ ପରିଦର୍ଶନ କରିବାର ସୁଯୋଗ ପାଇବେ। ଭର୍ଚୁଆଲ ଟୁର୍ ଅଗଷ୍ଟ ୨ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ୧୪ସପ୍ତାହ ଧରି ଚାଲିବ। ଏଥିସହ ପ୍ରତ୍ୟେକ ସପ୍ତାହରେ ଦର୍ଶକମାନେ ଜନଜାତିଙ୍କ ଜୀବନଶୈଳୀର ବିଭିନ୍ନ ଦିଗ ଉପରେ ବୃତ୍ତଚିତ୍ରମାନ ଦେଖି ପାରିବେ। ଅଗଷ୍ଟ ୧୬ ତାରିଖରେ ସଂଗ୍ରହାଳୟରେ ଥିବା ଜୁଆଙ୍ଗ, ସାନ୍ତାଳ, ଗୋଣ୍ଡ ଓ ଲାଞ୍ଜିଆ ସଉରା ଘରକୁ ଭର୍ଚୁଆଲ ଟୁର୍ କରାଯାଇଥିଲା। ଏହାଦ୍ବାରା ପର୍ଯ୍ୟଟକମାନେ ଘରେ ବସି ସଂଗ୍ରହାଳୟ ପରିଦର୍ଶନର ସୁଯୋଗ ପାଇପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର୍ ଅଖିଳ ବିହାରୀ ଓତା କହିଛନ୍ତି।