ବାଇକ୍‌ରେ ବୁଲି ଭୂତାଣୁର ବାହକ ସାଜୁଛନ୍ତି ଅମାନିଆ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ କରୋନା କାୟା ବିସ୍ତାର କରି ଚାଲିଛି। କୋଭିଡ୍‌ ପରୀକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରତିଦିନ ମୋଟ ନମୁନାର ୧୦ ପ୍ରତିଶତ ଲୋକ ସଂକ୍ରମିତ ହେଉଛନ୍ତି। ବାଲିଅନ୍ତା ବ୍ଲକ ଅଧୀନ ୧୬ଟିଯାକ ପଞ୍ଚାୟତରେ ଊଣା ଅଧିକେ ସଂକ୍ରମଣ ହାର ଦିନକୁ ଦିନ ବଢ଼ୁଛି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି କୋଭିଡ୍‌ କେନ୍ଦ୍ରରେ ୭୭ ଜଣଙ୍କର ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣ ପୁରୁଷ ଏବଂ ଜଣେ ମହିଳା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ବ୍ୟକ୍ତିମାନଙ୍କୁ ସଂଗରୋଧରେ ରହିବା ପାଇଁ ବିଡିଓ ଆଦିକନ୍ଦ ବେହେରା ପରାମର୍ଶ ଦେଇଛନ୍ତି।

ଶ୍ରୀ ବେହେରା ପ୍ରତ୍ୟକ୍ଷ ଭାବେ ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ କୋଭିଡ୍‌ ସତର୍କତା କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି। ଏହା ସତ୍ବେ ମଧ୍ୟ ସଂକ୍ରମିତ ବ୍ୟକ୍ତି କୋଭିଡ୍‌ ଗାଇଡ୍‌ଲାଇନ ମାନୁନାହାନ୍ତି। ବ୍ଲକ ଓ ପୁଲିସ ପ୍ରଶାସନର ସଚେତନତା ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଉନଥିବା ଦେଖିବାକୁ ମିଳିଛି। ବାଳକାଟି (ପ୍ରତାପଶାସନ) ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅନେକ ଲୋକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ସଂଗରୋଧରେ ରହିବା ପାଇଁ ଡାକ୍ତର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପଜିଟିଭ ଚିହ୍ନଟ ଅସୁସ୍ଥ ମାନଙ୍କ ମଧ୍ୟରୁ କିଛି ଅମାନିଆ ଆଦୌ ସଂଗରୋଧ ନିୟମ ପାଳନ କରୁ ନାହାନ୍ତି। ଏମିତିକି କିଛି ଅମାନିଆ ବାଇକ୍‌ ଧରି ଗାଁ ଗଳି ରାସ୍ତା ଓ ଛକ ବଜାରରେ ଘୂରି ବୁଲୁଥିବା ଅଭିଯୋଗ ହେଉଛି।

ଏଭଳି ଅଭିଯୋଗ ଆସିଛି ସ୍ଥାନୀୟ ନୂଆପାଟଣା ଗ୍ରାମରୁ। ସଟ୍‌ଡାଉନ ସମୟରେ ଜଣେ ସଂକ୍ରମିତ ସ୍କୁଟି ଧରି ବଜାର ରାସ୍ତାରେ ଘୂରି ବୁଲିବାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ଏ ସଂପର୍କରେ ଜନ ପ୍ରତିନିଧି ଓ ମେଡିକାଲ କର୍ତୃପକ୍ଷଙ୍କୁ ଫୋନ କରି ଜଣାଇଥିଲେ। ଖବର ପାଇ ଦାୟିତ୍ବରେ ଥିବା ଜନ ପ୍ରତିନିଧି ଓ ମେଡିକାଲ ଟିମ୍‌ ତାଙ୍କ ଘରେ ପହଞ୍ଚି ତାଗିଦ କରିଥିଲେ। ହେଲେ ଅଧିକାରୀବୃନ୍ଦଙ୍କ ତାଗିଦ ସତ୍ବେ ସଂକ୍ରମିତ ବ୍ୟକ୍ତି ଗ୍ରାମବାସୀଙ୍କୁ ଗାଳିମନ୍ଦ କରୁଥିବା ସୂଚନା ମିଳିଛି। ଖାଲି ବାଳକାଟି ନୁହେଁ ବିଭିନ୍ନ ପଞ୍ଚାୟତରେ ଆହୁରି ଅନେକ ଅମାନିଆ ସଂଗରୋଧ ନିୟମକୁ ଉଲ୍ଲଂଘନ କରୁଛନ୍ତି। ଫଳରେ ସୁସ୍ଥ ଲୋକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର