ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଓଡ଼ିଆ ଛାତ୍ର ଶ୍ରେୟସଙ୍କ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଆଜି ବିଶାଖାପାଟଣା ପୁଲିସ ଭୁବନେଶ୍ୱରରେ ପହଞ୍ଚିଛି। ବିଶାଖପାଟଣା ପିଏମ୍ ପାଲମ୍ ଥାନା ଏସ୍ଆଇ କେ ଲକ୍ଷ୍ମଣ ମଣ୍ଟି ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀବିହାର ଫାଣ୍ଡି ପୁଲିସ ସହଯୋଗରେ କେୟାର ହସ୍ପିଟାଲ ଯାଇ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୁଲିସ ସେଠାରେ ଶ୍ରେୟସର ଚିକିତ୍ସା କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଶ୍ରେୟସ ହସ୍ପିଟାଲରେ ଭର୍ତି ହୋଇଥିଲେ, ଭର୍ତିବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଥିଲା ଏ ନେଇ ପଚରାଉଚରା କରିଛି। ଏହା ଛଡ଼ା ଚନ୍ଦ୍ରଶେଖରପୁର ଥାନା ପୁଲିସ ପିଏମ୍ ପାଲମ୍ ପୁଲିସକୁ ଶ୍ରେୟସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପ୍ରଦାନ କରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁର ଗୋବିନ୍ଦପୁର ଥାନା ଅଧୀନ ବରପୋଷର ଶ୍ରେୟସ ବିଶାଖାପାଟଣା ମଧୁରଓ୍ଵାଡ଼ା ଅଞ୍ଚଳରେ ଥିବା ଚୈତନ୍ୟ ସ୍କୁଲର ପ୍ରଥମ ବର୍ଷ ଇିଜିନିୟରିଂ ଛାତ୍ର ଥିଲେ। ତାଙ୍କୁ ଶିକ୍ଷାନୁଷ୍ଠାନର ସିନିଅର ଛାତ୍ରମାନେ ର୍ୟାଗିଂ କରିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ମାଡ଼ରେ ଗୁରୁତର ଆହତ ଶ୍ରେୟସଙ୍କୁ ପ୍ରଥମେ ତାଙ୍କୁ ବିଶାଖାପାଟଣା ଓ ପରେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ଏଠାରେ ତାଙ୍କର ଚିକିତ୍ସା ଚାଲୁଥିବାବେଳେ ୫ ଦିନ ତଳେ ଶ୍ରେୟସଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୩ ଦିନ ତଳେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ରେୟସଙ୍କୁ ମୃତ୍ୟୁ ଶାରୀରିକ ନିର୍ଯାତନା ଯୋଗୁଁ ହୋଇଥିବା ସ୍ପଷ୍ଟ ହୋଇଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନ କ୍ଷତ ଚିହ୍ନ ରହିବା ସହିତ ସମ୍ବେଦନଶୀଳ ସ୍ଥାନରେ ଆଘାତ ଲାଗିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ରେୟସଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ ହେବା ପରେ କମିସନରେଟ୍ ପୁଲିସ ପକ୍ଷରୁ ବିଶାଖପାଟଣା ପୁଲିସକୁ ଖବର ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/visakhapatana-police.jpg)