ବିଶାଖାପାଟଣା ପୁଲିସ ପାସ୍, କମିସନରେଟ୍‌ ଫେଲ୍! ମିଳିଲାନି ଲୁଟ୍ ଟଙ୍କାର ସନ୍ଧାନ

କେବଳ ଡେମୋ, ଟିଆଇ ପରେଡରେ ପୁଲିସ ସନ୍ତୁଷ୍ଟ, ରିମାଣ୍ଡ ସରିବା ପରେ ଫେରିଲେ ଦୁଇ ଲୁଟେରା

ଭୁବନେଶ୍ବର: ପଟିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ଏଟିଏମ୍ ମେସିନ୍ କାଟି ଟଙ୍କା ଲୁଟ୍ ଘଟଣାରେ ଦୁଇ ଅନ୍ତଃରାଜ୍ୟ ଲୁଟେରାଙ୍କ ରିମାଣ୍ଡ ଶେଷ ହେବା ପରେ ଆଜି କୋର୍ଟରେ ହାଜର କରାଯାଇଛି। ଭୁବନେଶ୍ବର ଏସଡିଜେଏମଙ୍କ କୋର୍ଟରେ ହାଜର ପରେ ସେମାନଙ୍କୁ ପୁଣି ବିଶାଖାପାଟଣା ଜେଲକୁ ପଠାଇ ଦିଆଯାଇଛି। ରିମାଣ୍ଡ ସମୟରେ କେବଳ ଡେମୋ ଦେଖାଇଛନ୍ତି ଲୁଟେରା। ଯେଉଁ ହୋଟେଲରେ ରହୁଥିଲେ ତାହାର କର୍ତ୍ତୃପକ୍ଷ, ଭଡ଼ାରେ ଆଣିଥିବା ବାଇକ୍ ଓ ଗ୍ୟାସ୍ ଦୋକାନୀ ଦୁଇ ଲୁଟେରା ସମରଜ୍ୟୋତ ସିଂ ଓ ଜାଫର ସାଦ୍ଦିକଙ୍କୁ ଟିଆଇ ପରେଡରେ ଚିହ୍ନଟ କରିଛନ୍ତି। କିନ୍ତୁ ଲୁଟ୍ ଟଙ୍କା ସମ୍ପର୍କରେ କାଣିଚାଏ ବି ସୁରାକ୍ ପାଇ ପାରି ନାହିଁ ପୁଲିସ। କେବଳ ଲୁଟେରା ଲୁଟ୍ ଟଙ୍କା ସମ୍ପର୍କରେ ଜେରା ବେଳେ ଯେଉଁ ଗପ ଶୁଣାଇଛନ୍ତି ସେଥିରେ ତଦନ୍ତକାରୀ ଟିମ୍‌କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଅକ୍ଟୋବର ୧୦ରେ ଏଟିଏମ୍ କାଉଣ୍ଟରରୁ ୨୮ ଲକ୍ଷ ଟଙ୍କା ଲୁଟିବା ପରେ ଦୁଇ ଲୁଟେରା ସମରଜ୍ୟୋତ ଓ ଜାଫର ଇଣ୍ଡିଗୋ ବିମାନରେ ଦିଲ୍ଲୀ ପଳାଇଥିଲେ। ସେହିମାସ ୨୬ ତାରିଖରେ ବିଶାଖାପାଟଣାରେ ଏକ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ମେସିନ୍ କାଟି ୯ ଲକ୍ଷ ୫୯ ହଜାର ଟଙ୍କା ଲୁଟି ନେଇଥିଲେ। ବିଶାଖାପାଟଣା ପୁଲିସ ଘଟଣାର ତଦନ୍ତ କରି ନଭେମ୍ବର ୬ ତାରିଖରେ ବେଙ୍ଗାଲୁରୁରୁ ଉଭୟଙ୍କୁ ଗିରଫ କରିଥିଲା। ମାରାଥନ୍ ଜେରା ପରେ ସେମାନଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରା ଯାଇଥିଲା। ଲୁଟେରାଙ୍କୁ ଗିରଫ କରିବା ଓ ସେମାନଙ୍କ ଠାରୁ ଲୁଟ୍ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା।

ବିଶାଖାପାଟଣା ପୁଲିସ ହାତରେ ଲୁଟେରା ଧରାପଡ଼ିବା ପରେ ସେମାନେ ଭୁବନେଶ୍ବର ଏଟିଏମ୍ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା କମିସନରେଟ ପୁଲିସ କହିଥିଲା। ଲୁଟେରାଙ୍କ ସମ୍ପର୍କରେ ସୁରାକ୍ ପାଇ ସ୍ବତନ୍ତ୍ର ସ୍କ୍ବାଡ୍ ପିଛା କରୁଥିବା ସମୟରେ ସେମାନେ ବିଶାଖାପାଟଣା ପୁଲିସ ହାତରେ ଧରା ପଡ଼ି ଯାଇଥିଲେ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହା ଯାଇଥିଲା। କିନ୍ତୁ ଲୁଟେରାଙ୍କ ଠାରୁ ଲୁଟ ଟଙ୍କା ସମ୍ପର୍କରେ ତଥ୍ୟ ହାସଲ ନ କରି ପାରିବା ତଦନ୍ତକାରୀ ଟିମ୍ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ପେସାଦାର ଲୁଟେରା ହୋଇଥିବାରୁ ଲୁଟ୍ ଟଙ୍କା ସମ୍ପର୍କରେ ସାମାନ୍ୟ ସୂଚନା ଦେଉ ନ ଥିବା ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୫ରେ ଉଭୟ କୋଲକାତାରୁ ଏକ କାରରେ ଭୁବନେଶ୍ବର ଆସିଥିଲେ। ପଟିଆରେ ଥିବା ଦୁଇଟି ହୋଟେଲରେ ରହିଥିଲେ। ପଟିଆରୁ ଏକ ଦୋକାନରୁ ଗାଡ଼ି ଏବଂ ରସୁଲଗଡ଼ ଅଞ୍ଚଳରୁ ଏକ ଦୋକାନରୁ ଗ୍ୟାସ ସିଲିଣ୍ଡର ଭଡ଼ାରେ ନେଇଥିଲେ। ଏଭଳି ଘଟଣାର ପର୍ଦ୍ଦାଫାସ୍ ପାଇଁ ତଦନ୍ତକାରୀ ଟିମ୍‌କୁ ପ୍ରଶଂସା ମିଳିଥିଲା। ଗତ ୧୧ତାରିଖରେ କମିସନରେଟ ପୁଲିସ ଅଭିଯୁକ୍ତଙ୍କୁ ବିଶାଖାପାଟଣା ଜେଲ୍‌ରୁ ଆଣିଥିଲା। ଏହାପରେ ୧୨ତାରିଖରେ ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା।

ସମ୍ବନ୍ଧିତ ଖବର