ଭୁବନେଶ୍ୱର: କୋଲକାତାରେ ଅବସ୍ଥାପିତ ଫ୍ରାନ୍ସ କନସୁଲେଟ୍ ଜେନେରାଲ ତଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଅର୍ବାନ ଆଫାୟାର୍ସର ବରିଷ୍ଠ ଅଧିକାରୀ ଦିଦିଅର୍ ତାଲପେନଙ୍କ ନେତୃତ୍ୱରେ ଆସିଥିବା ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଭୁବନେଶ୍ୱର ସ୍ମାର୍ଟସିଟି ତଥା ସିଟି ଇନ୍‌ଭେଷ୍ଟମେଣ୍ଟ୍‌ସ୍‌ ଟୁ ଇନୋଭେଟ୍, ଇଣ୍ଟିଗ୍ରେଟ୍ ଆଣ୍ଡ ସଷ୍ଟେନ (ସିଟିଜ୍‌) କାର୍ଯ୍ୟକ୍ରମର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏହାସହ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସସିଏଲ୍)ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସଞ୍ଜୟ କୁମାର ସିଂହଙ୍କ ସହ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ।

Advertisment

ସିଟିଜ୍‌ ଅଧୀନରେ ନିକୋପାର୍କରେ ଏକ କୃତ୍ରିମ ଜଳାଶୟ ହେବାକୁ ନିଷ୍ପତ୍ତି ହୋଇଛି। ନିକୋପାର୍କର ଉନ୍ନତୀକରଣ କାର୍ଯ୍ୟକ୍ରମରେ ଏହି ଜଳାଶୟ ହେବା ସହ ଲାଇବ୍ରେରି, ରେସ୍ତୋରାଁ ପ୍ରଭୃତି ହେବ। ଏହା ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ବିଏସ୍‌ସିଏଲ୍‌ ସିଇଓ ଶ୍ରୀ ସିଂହ ସୂଚନା ଦେଇଥିଲେ।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ପ୍ରତିନିଧି ଦଳ ସହରୀ କୃଷି ବ୍ୟବସ୍ଥାର କୁଇକ୍ ୱିନ୍ ପ୍ରୋଜେକ୍ଟ ପରିଦର୍ଶନ କରିଥିଲେ। ସେହିଭଳି ସାଇକେଲ୍‌ ଆରୋହୀ ଓ ପଥଚାରୀଙ୍କୁ ଉତ୍ସାହିତ କରିବା ପାଇଁ ସଚିବାଳୟ ମାର୍ଗ ଓ ବିଦ୍ୟୁତ ମାର୍ଗକୁ ଏନ୍‌ଏମ୍‌ଟି (ନନ୍‌ ମୋଟର ଟ୍ରାନ୍ସପୋର୍ଟ) ପ୍ରାୟରିଟି ନେଟ୍‌ୱର୍କରେ ସାମିଲ କରାଯାଇଛି। ଏହାକୁ ମଧ୍ୟ ସେ ବୁଲି ଦେଖିଥିଲେ। ସେହିଭଳି ସୂର୍ଯ୍ୟନଗରର ମମତାଜ ଅଲ୍ଲୀ ପାର୍କରେ ‘ପାର୍କ ଅନ୍ ଡିମାଣ୍ଡ’ (ପିଓଡି) ପ୍ରସ୍ତାବ ରହିଛି। ଏହି ସ୍ବତନ୍ତ୍ର ପ୍ରତିନିଧି ଦଳ ଏହାର ଭିତ୍ତିଭୂମି ଯାଞ୍ଚ କରିଥିଲା। ପୁରୁଣା ଭୁବନେଶ୍ବରରେ ଐତିହ୍ୟସ୍ଥଳ ଓ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହ ନବୀକରଣ ହେବାକୁ ଥିବା ପାଞ୍ଚଟି ଐତିହ୍ୟ ପୋଖରୀ (ଦେବୀ ପାଦହରା, ଗଙ୍ଗା ଯମୁନା, କୋଟିତୀର୍ଥେଶ୍ୱର, ଗୋଦାବରୀ କୁଣ୍ଡ ଏବଂ ଗୋଡ଼ିପୋଖରୀ)ର ସ୍ଥିତି ପରଖିଥିଲେ।

ଏହି ପ୍ରତିନିଧି ଦଳରେ କନସୁଲେଟ୍ ଜେନେରାଲଙ୍କ ସମେତ ଏଏଫ୍‌ଡି ଆଞ୍ଚଳିକ ନିର୍ଦ୍ଦେଶକ (ଦକ୍ଷିଣ ଏସିଆ) ଜ୍ୟାକି ଆମ୍ପ୍ରୋ, ଏଏଫ୍‌ଡି ଜାତୀୟ ନିର୍ଦ୍ଦେଶକ ବୃନୋ ବୋସ୍‌ଲେ, ଏଏଫ୍‌ଡି ସେକ୍ଟର ପୋର୍ଟଫୋଲିଓ ମ୍ୟାନେଜର ଫନି ରାଗୋଟା, ଫ୍ରାନ୍ସ ଦୂତାବାସର ପ୍ରେସ ଓ ଡିପ୍ଲୋମାଟ୍‌ ଲିଆସନ ଅଫିସର ଅଞ୍ଜିତା ରାୟ ଚୌଧୁରୀ, ସିଟିଜ୍‌ କାର୍ଯ୍ୟକ୍ରମ (ଏନ୍‌ଆଇୟୁଏ) ନିର୍ଦ୍ଦେଶକ ନଇମ କେରୁୱାଲା ସାମିଲ ଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଏସସିଏଲ ଜେନେରାଲ ମ୍ୟାନେଜର୍‌ କମଲଜିତ୍‌ ଦାସ।