ନନ୍ଦନକାନନରେ ରେକର୍ଡ ପର୍ଯ୍ୟଟକ

ସୋମବାର ଖୋଲା, ମଙ୍ଗଳବାର ବନ୍ଦ

ବାରଙ୍ଗ : ୨୦୧୭ର ଶେଷ ଦିନରେ ନନ୍ଦନକାନନ ବୁଲିଥିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ। ରବିବାର ପଡିଥିବାରୁ ନନ୍ଦନକାନନ ପରିସରରେ ଖଚାଖଚ୍‌ ଭିଡ଼ ଜମିଥିଲା। କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ମୋଟ୍‌ ୩୮,୮୩୪ ଜଣ ପର୍ଯ୍ୟଟକ ଆଜି ବୁଲିବାକୁ ଆସିଥିଲେ। ଟିକେଟ ବିକ୍ରି ବାବଦକୁ ରାଜସ୍ୱ ଆଦାୟ ହୋଇଛି ୧୩ ଲକ୍ଷ ୬୭୦ଟଙ୍କା। ୨୦୧୫ ଆଜିର ଦିନରେ ନନ୍ଦନକାନନକୁ ୨୮, ୮୬୭ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୬ର ଆଜିର ଦିନରେ ୨୯, ୧୭୪ ଜଣ ପର୍ଯ୍ୟଟକ ଆସିଥିଲେ। ଚଳିତ ବର୍ଷ ନୂଆ ରେକର୍ଡ ହୋଇଛି। କେବଳ ଏତିକି ନୁହେଁ ବିଗତ ବର୍ଷମାନଙ୍କରେ ଜାନୁଆରିରୁ ଡିସେମ୍ବର ମାସ ମଧ୍ୟରେ ନନ୍ଦନକାନନକୁ ଆସଥିବା ପର୍ଯ୍ୟଟକଙ୍କ ରେକର୍ଡକୁ ମଧ୍ୟ ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛି। ୨୦୧୫ରେ ୨୧, ୬୪, ୭୮୯ ଓ ୨୦୧୬ରେ ୨୧, ୩୭, ୧୧୭ ପର୍ଯ୍ୟଟକ ନନ୍ଦନକାନନକୁ ଆସିଥିଲେ। ତେବେ ୨୦୧୭ରେ ଏହି ରେକର୍ଡ ଭଙ୍ଗ ହୋଇଛି। ଏହି ବର୍ଷ ୨୨ ଲକ୍ଷ ୪୪ ହଜାର ୮୭୧ ପର୍ଯ୍ୟଟକ ଆସିଛନ୍ତି।

ଗତ ୨୦୧୫ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ୪୩ ଲକ୍ଷ ୮୮ ହଜାର ୭୭ ଜଣ ପର୍ଯ୍ୟଟକ ଆସିଥିବା ଓ ୨୦୧୬ ଆର୍ଥିକ ବର୍ଷରେ ୪୧ ଲକ୍ଷ ୪୩ ହଜାର ୭୨୬ ପର୍ଯ୍ୟଟକ ଆସିଥିବା ରେକର୍ଡ ରହିଛି। ଚଳିତ ଆର୍ଥିକ ବର୍ଷର ଆଜି ତାରିଖ ଭିତରେ ନନ୍ଦନକାନନକୁ ୪୩ ଲକ୍ଷ ୭ ହଜାର ୫୨୫ ପର୍ଯ୍ୟଟକ ଆସିଛନ୍ତି। ୩ ମାସ ବାକିଥିବାରୁ ଚଳିତ ଆର୍ଥିକ ବର୍ଷ ସର୍ବ କାଳୀନ ରେକର୍ଡ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି। ୨୦୧୭ର ଶେଷ ଦିନରେ ନନ୍ଦନକାନନ ପରିସର ୧୧୨ ଖୁଆଡ଼ ମଧ୍ୟରେ ରହିଥିବା ମୋଟ ୧୫୬ ପ୍ରଜାତିର ୩୦୦୪ ଜୀବଜନ୍ତୁଙ୍କୁ ପର୍ଯ୍ୟଟକମାନେ ଦେଖିବାକୁ ପାଇଥିଲେ। ଏଥର ନୂଆବର୍ଷ ନନ୍ଦନକାନନର ଛୁଟି ଦିନ(ସୋମବାର)ରେ ପଡ଼ିଥିବାରୁ ଦିନକ ପୂର୍ବରୁ ରବିବାରରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇଛି।

ଗତ ୨୦୧୭ ନୂଆବର୍ଷରେ ନନ୍ଦନକାନନକୁ ୫୦, ୬୪୮ ପର୍ଯ୍ୟଟକଙ୍କ ଆଗମନ ହୋଇ ନୂତନ ରେକର୍ଡ ସୃଷ୍ଟି କରିଥିଲା। ଟିକେଟ ବିକ୍ରି ବାବଦକୁ ୧୧, ୩୨, ୭୪୬ ଟଙ୍କା ଆଦାୟ ରେକର୍ଡ ହୋଇଥିଲା। ଗତ ୨୦୧୫ ନୂଆ ବର୍ଷରେ ୪୩ , ୧୬ ଓ ୨୦୧୬ ନୂଆ ବର୍ଷରେ ୪୯, ୭୮୮ ଜଣ ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ନନ୍ଦନକାନନର ରେକର୍ଡ କହୁଛି। ଏଥର ନୂଆ ବର୍ଷ ସୋମବାରରେ ପଡ଼ିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ଆଶଙ୍କା ରହିଛି। ତଥାପି ପ୍ରାୟ ୩୦ ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲି ନୂଆ ବର୍ଷ ପାଳନ କରିବେ ବୋଲି ଆଶା କରାଯାଇଛି। ନନ୍ଦନକାନନର ନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ ପର୍ଯ୍ୟଟକ ଆଗମନ ବୃଦ୍ଧି ଲାଗି ସ୍ୱତନ୍ତ୍ର ଯୋଜନାମାନ ରଖିଛନ୍ତି।

ସୂଚନା ଅନୁଯାୟୀ ଉଭୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ସୋମବାର ଖୋଲା ରହୁଥିବା ବେଳେ ମଙ୍ଗଳବାର ବନ୍ଦ ରହିବ।

ପର୍ଯ୍ୟଟକଙ୍କଠାରୁ ଲୁଟ: ଆଜି ୪ ମହିଳା ପର୍ଯ୍ୟଟକଙ୍କଠାରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁରର ଜଣେ ମହିଳାଙ୍କ ବେକରୁ ଜଣେ ଲୁଟେରା ସୁନା ଲକେଟ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ୨ ଜଣ ଲୁଟେରା ଯୁବତୀଙ୍କ ପକେଟ୍‌ରୁ ମୋବାଇଲ ଲୁଟିବା ବେଳେ ଧରା ପଡ଼ିଥିଲେ ପରେ ପୁଲିସ ସେମାନଙ୍କୁ ପଚରାଉଚରା କରି ଛାଡ଼ିଦେଇଛି।

ସମ୍ବନ୍ଧିତ ଖବର