ଅୟିଗିରି ନନ୍ଦିନୀ ନନ୍ଦିତମେଦିନୀ ବିଶ୍ବବିନୋଦିନୀ ନନ୍ଦିନୁତେ
ଗିରିବର ବିନ୍ଧ୍ୟଶିରୋଧିନୀବାସିନୀ ବିଷ୍ଣୁବିଳାସିନୀ ଜିଷ୍ଣୁନୁତେ
ଭଗବତୀ ହେ ଶିତିକଣ୍ଠକୁଟୁମ୍ବିନୀ ଭୁରିକୁଟୁମ୍ବିନୀ ଭୁରିକୃତେ
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟ କପର୍ଦ୍ଦିନୀ ଶୈଳସୂତେ।
(ହେ ହିମାଳୟ ରାଜନନ୍ଦନୀ, ବିଶ୍ବକୁ ଆନନ୍ଦପ୍ରଦାୟିନୀ, ନନ୍ଦିଗଣଙ୍କ ପ୍ରଣମ୍ୟ, ଗିରିବର ବିନ୍ଧ୍ୟାଚଳର ଶିଖରରେ ନିବାସ କରୁଥିବା, ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରୁଥିବା, ଇନ୍ଦ୍ରଦେବଙ୍କ ପ୍ରଣମ୍ୟ, ଭଗବାନ ନୀଳକଣ୍ଠଙ୍କ ପତ୍ନୀ, ବିଶ୍ବର ବିଶାଳ କୁଟୁମ୍ବର ଜନନୀ ଓ ସମସ୍ତ ସମ୍ପଦ ପ୍ରଦାୟିନୀ ତଥା ମହିଷାସୁରମର୍ଦ୍ଦିନୀ ହେ ମା’ ଭଗବତୀ ଶୈଳସୂତା ମା’ ଜଗଜ୍ଜନନୀ ତୁମର ଜୟ ହେଉ, ଜୟ ହେଉ, ଜୟ ହେଉ)
ମୂଳାଷ୍ଟମୀରୁ ଚଳଚଞ୍ଚଳ ହୋଇ ଉଠିଛି ଦେବୀପୀଠ। ଜଗଦ୍ଜନନୀ ମା’ ମହାମାୟାଙ୍କ ଷୋଡ଼ଶ ଉପଚାର ପୂଜା ଓ ବେଦଜ୍ଞ ବ୍ରାହ୍ମଣଙ୍କ ବୈଦିକ ମନ୍ତ୍ରୋଚାରଣର ଗହଗହ ନାଦରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ବିଭିନ୍ନ ଦେବୀପୀଠରେ ଆରମ୍ଭ ହୋଇଛି ଷୋଳପୂଜା। ପୀଠେଶ୍ବରୀ ମା’ ଜଗଦମ୍ବା ବିଭିନ୍ନ ଦେବୀପୀଠରେ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ବିଭିନ୍ନ ଦେବୀପୀଠରେ ହେଉଥିବା ମା’ଙ୍କ ଷୋଳପୂଜାକୁ ନେଇ ‘ସମ୍ବାଦ’ର ବିଶେଷ ଉପସ୍ଥାପନା।
ବାରଭୁଜାଙ୍କ ପୀଠ
ବାଲିପାଟଣା ବ୍ଲକ୍ ଆମଣାକୁଦ ପଞ୍ଚାୟତକୁଦପାଟଣା ଗ୍ରାମର ମା’ ବାରଭୁଜାଙ୍କ ପୀଠ ଷୋଳ ପୂଜାରେ ଚଳଚଞ୍ଚଳ ହୋଇଛି। ଆଜି ଚତୁର୍ଥ ଦିନରେ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି। ସକାଳୁ ଫଳ ମୂଳ ଓ ମଧ୍ୟାହ୍ନରେ ଅନ୍ନ, ଖେଚୁଡ଼ି, ଡାଲମା, ଖଟା, ଖିରି, ପିଠା ଆଦି ପ୍ରସାଦ ଲାଗି ହୋଇଛି। ଷୋଳପୂଜାରେ ଚଣ୍ଡୀ ପାଠ ହୋଇଥିବାବେଳେ ରାତିରେ ପୂଜାର୍ଚ୍ଚନା ବେଳେ ପାରମ୍ପରିକ ବାଦ୍ୟ ଢୋଲ, ମହୁରୀ, ଶଙ୍ଖ ପ୍ରଭୃତିର ତାଳେ ତାଳେ ନୀତିକାନ୍ତି ସମ୍ପନ୍ନ ହୋଇଛି।
ମା’ ଦକ୍ଷିଣକାଳୀଙ୍କ ପୀଠ
ଜଟଣୀ: ଜଟଣୀ ବ୍ଲକ୍ ଅନ୍ତର୍ଗତ ନିରଞ୍ଜନପୁରରେ ମା’ ଦକ୍ଷିଣକାଳୀଙ୍କ ମନ୍ଦିରରେ ଷୋଳପୂଜାର ଆଜି ଚତୁର୍ଥ ଦିବସରେ ସକାଳ ୬ଟା ୩୦ରେ ମା’ଙ୍କ ମହାସ୍ନାନ ପରେ ମହାଲକ୍ଷ୍ମୀ ବେଶ କରାଯାଇ ବିଶେଷ ପୂଜା କରାଯାଇଥିଲା। ପରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଅନ୍ନ ଭୋଗ ପରେ ମା’ ବିଶ୍ରାମ ନେଇଥିଲେ। ସେହିପରି ସନ୍ଧ୍ୟା ସାଢେ଼ ୬ଟାରେ ଷୋଡ଼ଶ ମହା ଉପଚାର ପୂଜା, ସନ୍ଧ୍ୟା ଆଳତି ପଣା ଭୋଗ ହୋଇଥିଲା। ସନ୍ଧ୍ୟାରେ ପଦ୍ମ ବେଶ କରାଯାଇଥିଲା। ଆଜି ମା’ ଙ୍କ ନିକଟରେ କାକରା ଭୋଗ ଲାଗି ହୋଇଥିଲା। ଏଥିରେ ଛେନା, ପଣା ପ୍ରସ୍ତୁତ କରାଯାଇ ସମସ୍ତ ଭକ୍ତଙ୍କୁ ବଣ୍ଟାଯାଇଛି। ରାତି ସାଢ଼େ ୮ଟା ବେଳେ ପହଡ଼ ପଡ଼ିଥିଲା।
ଦୁଲ୍ଲାଦେବୀଙ୍କ ପୀଠ
ବାଲିପାଟଣା: ବନମାଳୀପୁର ଦିୱାନପାଟଣା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ଦୁଲ୍ଲା ଦେବୀଙ୍କ ପୀଠରେ ଷୋଳ ପୂଜା ନିଷ୍ଠାର ସହ ପାଳନ ହେଉଛି। ଏଠାରେ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ, ମାର୍ଜନା, ବେଶ, ଆଳତି, ବାଳ ଭୋଗ ହୁଏ। ମଧ୍ୟାହ୍ନରେ ଖେଚୁଡ଼ି, ଅନ୍ନ, ଡାଲମା ଆଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ମା’ଙ୍କୁ ସଙ୍ଖୁଡ଼ି ଭୋଗ ଲାଗି ହୁଏ। ଅପରାହ୍ଣରେ ପୂଜା ରୀତିନୀତି ଓ ଆଳତି ହୋଇଥାଏ। ବନମାଳୀ ୬ ସାହି ସମେତ ମାନସିକଧାରୀ ଶ୍ରଦ୍ଧାଳୁ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି।
ନାରାୟଣୀ ପୀଠ
ବାଲିପାଟଣା: ବାଲିପାଟଣା ବ୍ଲକ୍ ଦେଉଳିଧରପୁର ଗ୍ରାମର ଆରାଧ୍ୟ୍ୟ ଦେବୀ ମା’ ନାରାୟଣୀଙ୍କ ପୀଠରେ ଷୋଳ ପୂଜା ଧୁମ୍ଧାମରେ ପାଳନ ହେଉଛି। ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ, ମାର୍ଜନା, ବେଶ, ଆଳତି, ବାଳ ଭୋଗ ହୁଏ। ଅପରାହ୍ଣରେ ପୂଜା ରୀତିନୀତି ଓ ଆଳତି ହୋଇଥାଏ। ମା’ଙ୍କ ନିକଟରେ ସଙ୍ଖୁଡି ଭୋଗ ହୁଏ ନାହିଁ ବୋଲି ଜଣାପଡ଼ିଛି। ଷୋଳ ପୂଜା ଅବସରରେ ଚଣ୍ଡୀ ପାଠ ଓ ନାମ ସଂକୀର୍ତ୍ତନ ହୋଇଥାଏ।