ଦଲାଲ ଝାମ୍ପି ନେଉଛନ୍ତି ଭିଟାମାଟି: ଜମି ମାଲିକ ବାରଦୁଆର, ସରକାରୀ ଅଧିକାରୀ-ଦଲାଲ ମଧୁଚନ୍ଦ୍ରିକା

ଭୁବନେଶ୍ବର: ଭୁବନେଶ୍ବରରେ ଘର କରିବା ସୁଖ କଥା ସମସ୍ତେ ଜାଣନ୍ତି। ଜଣେ ଭୂମିହୀନର ଦୁଃଖ ମଧ୍ୟ ସମସ୍ତେ ହୃଦୟଙ୍ଗମ କରନ୍ତି। ହେଲେ ନିୟମ କାନୁନ୍‌ ଆଖିରେ ଆଙ୍ଗୁଠି ଗେଞ୍ଜି ଭିଟାମାଟିକୁ ଝାମ୍ପି ନେବା ପରେ ମାଲିକ ବାରଦୁଆର ହେବାର ଦୁଃଖ କେବଳ ଅନୁଭବୀକୁ ହିଁ ଜଣା। ଏଭଳି ଶହ ଶହ ଜମି ମାଲିକ ତହସିଲ, କୋର୍ଟ, ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ଚକ୍କର କାଟୁଥିବା ପରିଲକ୍ଷିତ ହୁଏ। କୋର୍ଟରେ ବର୍ଷ ବର୍ଷ ଧରି ମାମଲା ଗଡ଼ୁଥାଏ। ବାପା ପରେ ପୁଅ, ପୁଅ ପରେ ନାତି ମଧ୍ୟ କେସ୍‌ ଲଢ଼ୁଥାଏ। ଏଭଳି ସ୍ଥିତିର ବାସ୍ତବିକତା ପରୀକ୍ଷା କରୁ କରୁ ଆମେ ଏମିତି ଏକାଧିକ ଜମି ମାଲିକଙ୍କୁ ଭେଟିଥିଲୁ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁରୀର ଅଶୋକ ସିଂହ।

ଅଶୋକ ସିଂହଙ୍କ ବାପା ମହେନ୍ଦ୍ର ସିଂହଙ୍କର ବାଲିଅନ୍ତାରେ ଏକ ଜମି ଥିଲା। ଜମିପଟ୍ଟାରେ ମହେନ୍ଦ୍ରଙ୍କ ସମେତ ଅନ୍ୟ ତିନିଭାଇ ସୁରେନ୍ଦ୍ର, ଦେବେନ୍ଦ୍ର ଓ ନରେନ୍ଦ୍ରଙ୍କର ମଧ୍ୟ ନାମ ଥିଲା। ୧୯୮୯ ମସିହାରେ ବନ୍ଦୋବସ୍ତ ବେଳେ ମହେନ୍ଦ୍ରଙ୍କ ନାମ ପଟ୍ଟାରୁ କଟି ଯାଇଥିଲା। ନରେନ୍ଦ୍ର ସିଂହ ତାଙ୍କ ଭାଗ ଜମି ବିକି ସାରିଥିଲେ ମଧ୍ୟ ନରେନ୍ଦ୍ରଙ୍କ ନାମ ପଟ୍ଟାରେ ରହିଥିଲା। ହଠାତ୍‌ ଏଭଳି ନାମ ଉଭାନ୍‌ ହୋଇଯିବା ପରେ ମହେନ୍ଦ୍ର ତହସିଲ ଅଫିସର ଦ୍ବାରସ୍ଥ ହୋଇଥିଲେ। ସେତେବେଳେ ବାଲିଅନ୍ତା ଭୁବନେଶ୍ବର ତହସିଲ ଅଧୀନରେ ଥିଲା। ମହେନ୍ଦ୍ର ତହସିଲରେ ଯୋଗାଯୋଗ କରିଥିଲେ। ତାଙ୍କ ନାମ ଭୁଲ୍‌ରେ କଟି ଯାଇଥିବା ତହସିଲ୍‌ରୁ ଜଣା ପଡ଼ିଥିଲା। କିନ୍ତୁ ବାସ୍ତବରେ ନାମ ଭୁଲ୍‌ରେ କଟିନଥିଲା। ବରଂ ସରକାରୀ ଅଧିକାରୀଙ୍କୁ ହାତ କରି ସରକାରୀ ଦଲିଲ୍‌ରୁ ଦଲାଲ ଏହି ନାମକୁ ଉଡ଼ାଇ ଦେଇଥିଲା।

ମହେନ୍ଦ୍ର ତହସିଲ୍‌ରେ ନାମ ସଂଶୋଧନ ପାଇଁ ଆବେଦନ କରିଥିଲେ ମଧ୍ୟ ଘଟଣାକୁ ୯୦ ଦିନ ବିତି ଯାଇଥିବାରୁ ଏହା ସମ୍ଭବ ହୋଇନଥିଲା। ଏଣୁ ସେ ଭୁବନେଶ୍ବର ମୁନ୍‌ସିବ୍‌ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ୧୯୯୧, ୧୯୯୫ ଓ ୧୯୯୮ ମସିହାରେ କୋର୍ଟ ସମ୍ପୃକ୍ତ ପଟ୍ଟା ସଂଶୋଧନ କରି ମହେନ୍ଦ୍ରଙ୍କ ନାମକୁ ଯୋଗ କରିବାକୁ ଆଦେଶ ଦେଇଥିଲେ। ଇତିମଧ୍ୟରେ ବାଲିଅନ୍ତାରେ ତହସିଲ ସ୍ଥାପନା ହେବା ସହ ଏହି ଅଞ୍ଚଳର ସମସ୍ତ ମାମଲା ଭୁବନେଶ୍ବର ତହସିଲରୁ ସ୍ଥାନାନ୍ତର ହୋଇଥିଲା। ଏଣୁ ମହେନ୍ଦ୍ର ବାଲିଅନ୍ତା ତହସିଲ୍‌ରେ ଆବେଦନ କରିଥିଲେ। ୧୯୯୮ ମସିହାରେ ହିଁ ମହେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା। ବାଲିଅନ୍ତା ତହସିଲ ମଧ୍ୟ ଏହି ନାମକୁ ସଂଶୋଧନ କରିନଥିଲା। ଇତିମଧ୍ୟରେ ମହେନ୍ଦ୍ରଙ୍କ ଭାଇମାନଙ୍କ ଠାରୁ ଜାଗା କିଣିଥିବା ଜଣେ ସ୍ଥାନୀୟ ଲୋକ ଭୁବନେଶ୍ବର ସିଭିଲ ଜଜ୍‌ ସିନିୟର ଡିଭିଜନ୍‌ କୋର୍ଟରେ ମାମଲା ରୁଜୁ କରିଥିଲା। ପିଟିସନରେ ସେ ଲେଖିଥିଲା କି ମହେନ୍ଦ୍ର ସିଂହ ଜମି ମାଲିକ ନୁହନ୍ତି। ଏଣୁ ତାଙ୍କ ନାମ ଆଉ ଥରେ ଯୋଗ କରାନଯାଉ। ୧୯୯୯ ମସିହାରୁ ଏହି ମାମଲା କୋର୍ଟରେ ଗଡ଼ୁଛି। କୋର୍ଟଙ୍କ ଆଦେଶ ସତ୍ତ୍ବେ ତତ୍‌କାଳୀନ ତହସିଲଦାର ପଟ୍ଟା ସଂଶୋଧନ କରିନଥିଲେ। ବର୍ତ୍ତମାନର ବାଲିଅନ୍ତା ତହସିଲଦାର କହୁଛନ୍ତି ମାମଲା କୋର୍ଟରୁ ନ ଉଠିଲେ ପଟ୍ଟା ସଂଶୋଧନ କରି ହେବନି। ବାପାଙ୍କ ପରେ ଏବେ ପୁଅ ‌ଅଶୋକ ସିଂହ କୋର୍ଟ ଦୌଡ଼ୁଛନ୍ତି। ୨୨ ବର୍ଷ ହେଲା ତାରିଖ ପରେ ତାରିଖ ଗଡ଼ି ଚାଲିଛି। ଆଉ କେତେ ଦିନ ଗଡ଼ିବ ତାହାର ହିସାବ ମଧ୍ୟ କାହା ପାଖରେ ନାହିଁ।

ସମଗ୍ର ଭାତ ହାଣ୍ଡିରୁ ଇଏ ଗୋଟିଏ ଭାତ ଭଳି। ଜମି ମାଲିକ କାଗଜପତ୍ର ଧରି ବସିଥିଲେ ମଧ୍ୟ ଦଲାଲ ନକଲି କାଗଜ ବଳରେ ଜମି ଉପରେ କୋଠା ତିଆରି କରିଛି। କେଉଁଠି ଜମି ପାଇଁ ରକ୍ତପାତ ହେଉଛି। କମିସନରେଟ୍‌ ପୁଲିସ କୋର୍ଟରେ ମଧ୍ୟ ଏଭଳି ହଜାର ହଜାର ମାମଲାର ବିଚାର ହେଉଛି। ପୁଲିସ ୧୪୪ ଧାରା ଜାରି କରିଥିଲେ ମଧ୍ୟ ଜମି ଉପରେ ଘର ତିଆରି ହେଉଛି। ଅନ୍ୟ ଜମି ହଡ଼ପ କରିନେବା ଅଭିଯୋଗରେ ଦଲାଲ ବି ବନ୍ଧା ହେଉଛନ୍ତି। ହେଲେ ଠକେଇ ତୁଳନାରେ କାର୍ଯ୍ୟାନୁଷ୍ଠାନ ମାତ୍ରା ଏତେ କମ୍‌ ଯେ, କାହା ଉପରେ କୌଣସି ପ୍ରଭାବ ପଡ଼ୁ ନାହିଁ। ରାଜସ୍ବ ଅଧିକାରୀଙ୍କ କହିବା କଥା ହେଲା ମାମଲା କୋର୍ଟକୁ ଗଲେ ଆମର କିଛି କରିବାର ନାହିଁ। ପୁଲିସର କହିବା କଥା ରାଜସ୍ବ ମାମଲାରେ ଆମର ମଧ୍ୟ କିଛି କରିବାର ନାହିଁ। କେବଳ ଉପାନ୍ତରେ ନୁହେଁ ବରଂ ଭୁବନେଶ୍ବରରେ ଏଭଳି ଏକ ବିଚିତ୍ର ସ୍ଥିତିରେ ଫସି ରହିଛନ୍ତି ହଜାର ହଜାର ଜମି ମାଲିକ।

ସମ୍ବନ୍ଧିତ ଖବର