ଭିଜିଲା ଭୁବନେଶ୍ବର, ହାଟରେ ଅଭାବନୀୟ ଚିତ୍ର

ଭୁବନେଶ୍ବର: ସାରା ରାଜ୍ୟକୁ ମୌସୁମୀ ଛୁଇଁବା ପରେ ଭୁବନେଶ୍ବରରେ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪ ମିଲିମିଟର ବର୍ଷା ହୋଇଛି। ସକାଳ ସାଢ଼େ ୮ଟା ସୁଦ୍ଧା ମାତ୍ର ୦.୨ ମିମି ବର୍ଷା ହୋଇଥିବା ବେଳେ ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୬ଟା ମଧ୍ୟରେ ୩.୬ ମିମି ବର୍ଷା ହୋଇଛି। ଦିନ ସାରା ମେଘୁଆ ପାଗ ରହିବା ସହ ସହରର ପ୍ରତ୍ୟେକ ଅଞ୍ଚଳ ଭିଜିଛି। ଯଦିଓ ଜଳବନ୍ଦୀ ସମସ୍ୟା ହୋଇ ନାହିଁ ତଥାପି ଜନଜୀବନ ବାଧାପ୍ରାପ୍ତ ହୋଇଛି।

ସହରର ଅଧିକାଂଶ ରାସ୍ତା ଖରାପ ଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। କେତେକ ଜାଗାରେ ରାସ୍ତା କାମ ଚାଲିଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଜନପଥରୁ ବମିଖାଲ ଆରଓବି ପର୍ଯ୍ୟନ୍ତ ରାସ୍ତାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଖୋଳାଯାଇ କାମ ଚାଲିଥିବାରୁ ରାସ୍ତାର ୫୦ ପ୍ରତିଶତ ବନ୍ଦ ରହିଛି। ବାକି ୫୦ ପ୍ରତିଶତ ଓସାର ରାସ୍ତାରେ ଉଭୟ ଯିବା ଓ ଆସିବା ହେଉଛି। ରାସ୍ତା କଡ଼ରେ ଗଦା ହୋଇଥିବା ବାଲିଗୋଡ଼ି ଏହି ଅଧା ରାସ୍ତାକୁ ମଝିରେ ମଝିରେ ଗଡ଼ି ଆସିଥିବାରୁ ଗାଡ଼ିଗୁଡ଼ିକ ଫସି ରହଛନ୍ତି। ଆର୍ଯ୍ୟ ସମାଜ ସମ୍ମୁଖରେ ଆଜି ପ୍ରାୟ ଦେଢ଼ଘଣ୍ଟା କାଳ ଟ୍ରାଫିକ୍‌ ଜାମ୍‌ ହୋଇଛି। ସେହିଭଳି ରାମମନ୍ଦିର ପଛରୁ ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ରାସ୍ତା ତିଆରି ଚାଲିଛି। ଅଧା ରାସ୍ତାରେ ପେଭର ପଡ଼ିନଥିବାରୁ ବର୍ଷା ଯୋଗୁ ବାଲି ସବୁ ବୋହି ଆସି ରାସ୍ତା ଉପରେ ପଡ଼ିଛି। ସବୁଠାରୁ ବଡ଼ ସମସ୍ୟା ବିଭିନ୍ନ ହାଟର ସ୍ଥିତି ଅତି କଦର୍ଯ୍ୟ ଥିଲା। ହାଟରୁ ବାହାରୁଥିବା ଆବର୍ଜନା ଗଦା ହୋଇ ରହିବାର ବହୁ ଦିନ ପରେ ଉଠୁଥିବାରୁ ଆଜି ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଥିଲ। ଆବର୍ଜନା ସବୁ ପାଣିରେ ଭାସି ଆସି ପିଣ୍ଡି ସାମ୍ନାରେ ଗଦା ହୋଇଯାଇଥିଲା। ବିଶେଷକରି ସୁନ୍ଦରପଦା ହାଟରେ ଏଭଳି ସ୍ଥିତି ଦେଖାଯାଇଥିଲା। ରାସ୍ତାର ପ୍ରବେଶ ପଥ ନାଲିଗୋଡ଼ି ରାସ୍ତା ହୋଇଥିବାରୁ ବର୍ଷାରେ କାଦୁଅ ପଚପଚ ହୋଇଥିଲା। ଫଳରେ ଉଭୟ ଗ୍ରାହକ ଓ ବେପାରୀ ଫସି ଯାଇଥିଲେ।

ସମ୍ବନ୍ଧିତ ଖବର