ଉତ୍ପାଦନମୁଖୀ ହେବ ବାରଙ୍ଗସ୍ଥିତ ଧନ୍ଦାମୂଳକ ତାଲିମ୍‌ କେନ୍ଦ୍ର

ଛତୁ ଚାଷ ଆରମ୍ଭ, ଆଗକୁ ମହୁଚାଷ, ମଶାମରା ଅଗରବତି ଉତ୍ପାଦନ ପ୍ରସ୍ତାବ

ଭୁବନେଶ୍ବର : ବାରଙ୍ଗସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରାଯିବ। ଏଥିସହ ସେଠାରେ ଭିନ୍ନକ୍ଷମଙ୍କ ପାଇଁ ତାଲିମ ବ୍ୟବସ୍ଥାକୁ ଦୃଢ଼ କରିବା ଦିଗ‌ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ନିତେନ୍‌ ଚନ୍ଦ୍ର ଏକ ସମୀକ୍ଷା ବୈଠକରେ ଗୁରୁତ୍ବାରୋପ କରିଛନ୍ତି।

୨୦୦୩ଠାରୁ ନିଷ୍କ୍ରିୟ ହୋଇ ପଡ଼ିଥିବା ଏହି ତାଲିମ କେନ୍ଦ୍ରଟି ୨୦୧୭ରେ ପୁନଃକ୍ଷମ କରାଯାଇଛି। ଚଳିତବର୍ଷ ଏହାକୁ ଅଧିକ କ୍ରିୟାଶୀଳ କରାଯିବା ସହ ସେଠାରେ ଭିନ୍ନକ୍ଷମମାନଙ୍କୁ ତାଲିମ ପ୍ରଦାନ ଆରମ୍ଭ ହୋଇଛି। ପ୍ରାୟ ୬ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ତାଲିମ କେନ୍ଦ୍ରରେ ବିଭିନ୍ନ ପ୍ରାକୃତିକ ଚାଷ ତଥା ଆନୁସଙ୍ଗିକ ଜୀବିକା କୌଶଳଭିତ୍ତିକ କାର୍ଯ୍ୟ କରାଯାଇପାରିବ। ଏବେ ଏଠାରେ ଛତୁ ଚାଷ ଆରମ୍ଭ ହୋଇଥିବା ବେଳେ ପରବର୍ତୀ ସମୟରେ ମହୁଚାଷ କରାଯିବ। ଏହାବ୍ୟତୀତ ମଶାମରା ଅଗରବତି ଉତ୍ପାଦନ ସହ ଏକ ଡାଇରି ଫାର୍ମ ଖୋଲାଯିବାର ପ୍ରସ୍ତାବ ରହିଛି।

ଉଦ୍ୟାନକୃଷିକୁ ପୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଠାରେ ଏକ ପ୍ରାକୃତିକ ଉଦ୍ୟାନ ଆରମ୍ଭ କରାଯିବ। ଛତୁ ଚାଷ ବାବଦରେ ଏବେ ତାଲିମ କେନ୍ଦ୍ରରେ ୧୦ ଜଣ ପ୍ରଶିକ୍ଷାର୍ଥୀ ୧୫ ଦିନିଆ ତାଲିମ ନେଉଛନ୍ତି। ପ୍ରତି ୧୫ ଦିନରେ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ ବର୍ଗରେ ତାଲିକା ଦିଆଯିବାର ବ୍ୟବସ୍ଥା କରାଯାଉଛି। ପରବର୍ତୀ ସମୟରେ ତାଲିମ କେନ୍ଦ୍ରରୁ ଉତ୍ପାଦିତ ସାମଗ୍ରୀର ବିପଣନ ସ‌ମେତ ଏକ ୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ଉପରେ ପପକ୍ଷେପ ଗ୍ରହଣ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଚନ୍ଦ୍ର ବୈଠକରେ ପରାମର୍ଶ ଦେଇଛନ୍ତି। ପ୍ରମୁଖ ଶାସନ ସଚିବଙ୍କ ପରିଦର୍ଶନ ଓ ସମୀକ୍ଷା ସମୟରେ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ନିର୍ଦେଶକ ସୁଶାନ୍ତ ମହାପାତ୍ର, ବିଭାଗୀୟ ଉପ ଶାସନ ସଚିବ ଅମ୍ବିକା ପଟ୍ଟନାୟକ, କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ବାରଙ୍ଗ ବିଡିଓ ଆକୁଳ ମଲ୍ଲିକ ଓ ତହସିଲଦାର ରମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନ୍ୟାସନାଲ କ୍ୟାରିଅର ସର୍ଭିସ୍‌ ସେଣ୍ଟର ଫର୍‌ ପିଡବ୍ଲ୍ୟୁଡି ଆନୁକୂଲ୍ୟରେ ଏହି ତାଲିମ କେନ୍ଦ୍ର କାର୍ଯ୍ୟ କରିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କେନ୍ଦ୍ର ପରିଚାଳନା କରିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର