ଶିଖରଚଣ୍ଡୀ ପାହାଡ଼ ନଷ୍ଟ ବିରୋଧରେ ଉଠିଲା ସ୍ବର: ବିକାଶ ହେଉ, ବିନାଶ ନ ହେଉ

ଗଠନ ହେଲା ‘ମା ଶିଖରଚଣ୍ଡୀ ପାହାଡ଼ ବଞ୍ଚାଅ ଅଭିଯାନ’, ଏକାଠି ହେଲେ ୧୦ ଗାଁର ଲୋକ, ୩୦ରେ ସମାବେଶ

ଚନ୍ଦ୍ରଶେଖରପୁର : ଶିଖରଚଣ୍ଡୀ ମନ୍ଦିର ସହ ଆଖପାଖ ଅଞ୍ଚଳର ଉନ୍ନତୀକରଣ ହେଉ। ସୌନ୍ଦର୍ଯ୍ୟୀକରଣ କରାଯାଉ। ବିକାଶକୁ ଆମେ ସବୁବେଳେ ସମର୍ଥନ ଦେଇ ଆସିଛୁ। ଏଥର ବି ଦେବୁ। ମାତ୍ର ବିକାଶ ନାଁରେ ପାହାଡ଼ ବିନାଶକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଜୋରଦାର ଆନ୍ଦୋଳନ ହେବ। ଆଜି ୫୦ଜଣ ସାମିଲ ହୋଇଛନ୍ତି। ସବୁଜିମାରେ ଭରପୂର ଥିବା ଶିଖରଚଣ୍ଡୀ ପାହାଡ଼ର ସୁରକ୍ଷା ଲାଗି ଆଗାମୀ ଦିଗରେ ୫ ହଜାର ଲୋକଙ୍କ ସ୍ବର ଉଠିବ। ଶହଶହ ଗ୍ରାମବାସୀ ଏକାଠି ହୋଇ ଶିଖରଚଣ୍ତୀ ପାହାଡ଼କୁ ସୁରକ୍ଷା ଦେବେ। ଶିଖରଚଣ୍ଡୀ ପାହାଡ଼ ସଂଲଗ୍ନ ହନୁମାନ ପାହାଡ଼ ଉପରେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ବିରୋଧରେ ଏଭଳି ସ୍ବର ଉଠାଇଛନ୍ତି ଆଖାପାଖ ଗାଁ ଲୋକେ। ଆଜି ଶିଖରଚଣ୍ଡୀ ମନ୍ଦିରରେ ଏକାଠି ହୋଇ ଜୈବବିବିଧତା ନଷ୍ଟ ବିରୋଧରେ ସ୍ବର ଉଠାଇଛନ୍ତି। ଏଥିସହ ଆସନ୍ତା ୩୦ ତାରିଖରେ ୧୦ଟି ଗାଁର ଗ୍ରାମବାସୀଙ୍କୁ ନେଇ ମହାସମାବେଶ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

‘ମା ଶିଖରଚଣ୍ଡୀ ପାହାଡ଼ ବଞ୍ଚାଅ ଅଭିଯାନ’ ନାଁରେ ଆଞ୍ଚଳିକ ଶିଖରଚଣ୍ଡୀ ସମିତି ପକ୍ଷରୁ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ପଥରଗାଡ଼ିଆ, ଦାରୁଠେଙ୍ଗ, ଚନ୍ଦକା, କଳାରାହାଙ୍ଗ, ଯୋଗିସାହି ପଟିଆ, ରଘୁନାଥପୁର ଗ୍ରାମର ଅଳ୍ପ କିଛି ବରିଷ୍ଠ ନାଗରିକ ଓ ଯୁବକ ସାମିଲ ହୋଇଥିଲେ। ସମିତି ପକ୍ଷରୁ କୁହାଯାଇଛି ଯେ ଶିଖରଚଣ୍ଡୀ ମନ୍ଦିର ଏକ ପୁରାତନ ଧର୍ମାନୁଷ୍ଠାନ। ଆମ ଅଞ୍ଚଳର ଇଷ୍ଟଦେବୀ। ପାଇକମାନେ ଏଠାରୁ ଇଂରେଜମାନଙ୍କ ବିରୋଧରେ ମହାସଂଗ୍ରାମ ଆରମ୍ଭ କରିଥିଲେ। ଗତ ୧୦ ବର୍ଷ ଭିତରେ ଶିଖରଚଣ୍ଡୀ ପାହାଡ଼ର ବହୁ ପରିମାଣରେ ବିକାଶ ହୋଇଛି। ମାତ୍ର ଏବେ ବିନା ଜନଶୁଣାଣି, ପଲ୍ଲୀସଭାରେ ପାହାଡ଼ କାଟି ନଷ୍ଟ କରାଯାଉଛି। ଗଛ ଶୂନ୍ୟ ହୋଇଯାଇଛି ହନୁମାନ ପାହାଡ଼। ଯୁଆଡ଼େ ଚାହିଁଲେ ଖାଲି ପଥର ଦେଖିବାକୁ ମିଳୁଛି। ପ୍ରାକୃତିକ ସମ୍ପଦକୁ ନଷ୍ଟ କରି ଅଟ୍ଟାଳିକା ଛିଡ଼ା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତପ୍ରକାଶ ପାଇଛି।

ସେମାନେ ଆହୁରି କହିଛନ୍ତି ଯେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଲାଗି ସହରରେ ଜାଗାର ଅଭାବ ନାହିଁ। ହେଲେ ପାହାଡ଼କୁ କାଟି ଦେବା ଦ୍ବାରା ଅଞ୍ଚଳର ପରିବେଶ ଓ ଜୈବ ବିବିଧତା ନଷ୍ଟ ହେବାକୁ ବସିଲାଣି। ପାହାଡ଼ର ସୁରକ୍ଷା ପାଇଁ କିଭଳି ଲଢ଼େଇ କରାଯିବ, ସେନେଇ ଆସନ୍ତା ୩୦ ତାରିଖରେ ନିଷ୍ପତ୍ତି ନିଆଯିବ। ବିକାଶ କାର୍ଯ୍ୟକୁ ଆମେ କେବେ ବି ବିରୋଧ କରିନୁ। ଅନେକ ଶିକ୍ଷାନୁଷ୍ଠାନ, ଆଇଟି କମ୍ପାନି ଏଠାରେ ପ୍ରତିଷ୍ଠା ହୋଇଛି। ଆମେ ସହଯୋଗ କରିଥିଲୁ। ହେଲେ ଆଖି ଆଗରେ ଆମ ମା’କୁ କିଏ କାଟିବ ଆମେ ବରଦାସ୍ତ କରିବୁ ନାହିଁ। ବିକାଶ ହେଉ। ମାତ୍ର ପରିବେଶର ବିନାଶ କରା ନ ଯାଉ।

ସମ୍ବନ୍ଧିତ ଖବର