ଭୁବନେଶ୍ୱର: ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଖୋଲି ଦେଇଯାଇଥିବା ଗଳାବାଟରେ ବିଏମ୍‌ସି ନିଯୁକ୍ତି ଦେଇଚାଲିଛି। ନାମକୁ ମାତ୍ର ଠିକାସଂସ୍ଥା ଜରିଆରେ ନିଯୁକ୍ତି, କିନ୍ତୁ ନେତା ଓ ଅଧିକାରୀଙ୍କ ସମ୍ପର୍କୀୟ ହିଁ ଥଇଥାନ ହେଉଛନ୍ତି। ସରକାରୀ ଅର୍ଥ, ଅର୍ଥାତ୍‌ କରଦାତାଙ୍କ ଅର୍ଥରେ ସେମାନଙ୍କୁ ଦରମା ଦିଆ ଯାଉଛି। କିନ୍ତୁ ନା ଲିଖିତ ପରୀକ୍ଷା ହେଉଛି ନା ମୌଖିକ, ନା ବିଜ୍ଞାପନ ପ୍ରକାଶ ପାଉଛି। ଏପରିକି ଚାକିରି ପାଉଥିବା ଲୋକଙ୍କର ଶିକ୍ଷାଗତ ଯୋଗ୍ୟତା ବା ବୈଷୟିକ ଜ୍ଞାନ ବାବଦରେ ବିଏମ୍‌ସି ପାଖରେ ସୂଚନା ରହୁଛି। ଯାହା ନାଁ ସୁପାରିସ ହେଲା, ସେ ପାଉଛି ଚାକିରି। ଯିଏ ପ୍ରଶ୍ନ କଲା, ତା’ ପାଟି ଚୁପ୍‌ କରିବା ପାଇଁ ଯୋଜନା ହେଉଛି। ତା’ ଲୋକକୁ ଚାକିରି ମିଳିଗଲେ ସେ ମଧ୍ୟ ଚୁପ୍‌। ଏଭଳି ଏକ ନିରାପଦ ରାସ୍ତାରେ ଏହି କାରବାର ଚାଲିଛି। ସମସ୍ତେ ଜାଣିଛନ୍ତି, ହେଲେ କେହି କିଛି କହୁନାହାନ୍ତି। ଚଳିତ ବର୍ଷ ୧୦ ମାସରେ ବିଏମ୍‌ସିରେ ଏଭଳି ୫୫୩ ଜଣ ନିଯୁକ୍ତି ପାଇ ସାରିଲେଣି। ଏହି ନିଯୁକ୍ତିରେ ଜଣେ ଜଣେ କର୍ମଚାରୀଙ୍କର ମାସିକ ଦରମା ୧୫ ହଜାରରୁ ଆରମ୍ଭ କରି ୧ ଲକ୍ଷ ୬୯ ହଜାର ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ରଥମେ କମ୍‌ ଦରମାରେ ନିଯୁକ୍ତି ମିଳୁଛି। ପରେ ବିଭିନ୍ନ ଆଲାୱାନ୍ସ କହି ଦରମା ବାଦ୍‌ ଅର୍ଥ ପ୍ରଦାନ କରାଯାଉଛି।

Advertisment

ଏବେ ଅଲ୍‌ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲୋକାଲ୍‌ ସେଲ୍ଫ ଗଭର୍ଣ୍ଣମେଣ୍ଟ (ଏଆଇଆଇଏଲ୍‌ଏସ୍‌ଜି) ଠିକା ସଂସ୍ଥା ଜରିଆରେ ୧୬୪ ଜଣଙ୍କୁ ନିଯୁକ୍ତି ମିଳିଛି। ୬୮ ଜଣ ଏସ୍‌ଏମ୍‌ଟିଏ (ସାନିଟାରି ମଲ୍ଟି ଟାସ୍କିଂ ଆସିଷ୍ଟାଣ୍ଟ), ୩୧ ଜଣ ଏକ୍ସପର୍ଟ ଓ ୬୫ ଜଣ ସାନିଟାରି ଇନ୍‌ସ୍‌ପେକ୍ଟର ନିଯୁକ୍ତ ପାଇଛନ୍ତି। ଏହି ସଂସ୍ଥା ୯ ଜଣ ଆକାଉଣ୍ଟାଣ୍ଟଙ୍କୁ ମଧ୍ୟ ନିଯୁକ୍ତି ଦେଇଛି। ଏହି ସରକାରୀ ସ୍ବୀକୃତିପ୍ରାପ୍ତ ସଂସ୍ଥା ଜରିଆରେ ନିୟମିତ ନିଯୁକ୍ତି ଦିଆଚାଲିଛି। ଆସିସ ଏଜେନ୍‌ସି ଦ୍ବାରା ଗତବର୍ଷ ଜଣେ ଉଦ୍ୟାନବିତ୍‌ ଓ ୫ ଜଣ ଉଦ୍ୟାନ ସୁପରଭାଇଜର ନିଯୁକ୍ତି ପାଇଥିଲେ। ଚୁକ୍ତି ଅବଧି ସରିବା ପରେ ଚଳିତ ବର୍ଷ ଏଆଇଆଇଏଲ୍‌ଏସ୍‌ଜି ଜରିଆରେ ଜଣେ ପରିବେଶ ଅଧିକାରୀ ଓ ହର୍ଟିକଲଚର୍‌ ଅଫିସରଙ୍କୁ ନିଯୁକ୍ତ ଦିଆଯାଇଛି। ଇଞ୍ଜିନିୟରିଂ ସେକ୍ସନକୁ ମଜବୁତ କରିବା ପାଇଁ ୩ ଜଣ ଇଞ୍ଜିନିୟର, ୩ ଜଣ ଅମିନ, ୨ ଜଣ ମଲ୍ଟି ଟାସ୍କିଂ ଆସିଷ୍ଟାଣ୍ଟ ଓ ୧୨ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି। ଏହି ୨୦ ଜଣଙ୍କ ପିଛା ଦରମା ବାବଦରେ ମାସିକ ବିଏମ୍‌ସି ପାଣ୍ଠିରୁ ୫ ଲକ୍ଷରୁ ଅଧିକ ଖର୍ଚ୍ଚ ହେଉଛି। ଏସବୁ ସତ୍ବେ ଯନ୍ତ୍ରୀ ଫିଲ୍ଡକୁ ଯାଉ ନାହାନ୍ତି। ଯାହା ଫଳରେ ଅଧାରୁ ଅଧିକ ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ ରହିଛି। ଏଣେ ମେୟରଙ୍କ ପରିଦର୍ଶନ ସମୟରେ ବିଭିନ୍ନ ପ୍ରକଳ୍ପ ବାବଦରେ ବୁଝାଇବା ପାଇଁ ଆଉ ଜଣେ ଯନ୍ତ୍ରୀଙ୍କ ନିଯୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି।

ସେହିଭଳି ସୈନିକ ଇଣ୍ଟିଲିଜେନ୍ସ ଆଣ୍ଡ ସିକ୍ୟୁରିଟି ପ୍ରାଃ ଲିଃ ସଂସ୍ଥା ୪ ଜଣ ପ୍ଲାନିଂ ଆସିଷ୍ଟାଣ୍ଟ, ଜଣେ ଅମିନ ଓ ଜଣେ ଫିଲ୍ଡ ଇନ୍‌ସ୍‌ପେକ୍ଟର ନିଯୁକ୍ତି ଦେଇଛି। ସେହିଭଳି ବିଏମ୍‌ସିରେ ଥିବା ପିଏମ୍‌ୟୁରେ ୧୨ ଜଣ ପ୍ରଫେସନାଲ୍‌ ନିଯୁକ୍ତ ହୋଇଛନ୍ତି। ଏଥିରେ ନିଯୁକ୍ତି ପାଇଥିବା ପ୍ଲାନରଙ୍କ ଦରମା ୧ ଲକ୍ଷ ୬୯ ହଜାର ୭ଶହ ଥିବା ବେଳେ ସିଭିଲ୍‌ ଓ ସିଭିଲ୍‌ ଇଞ୍ଜିନିୟର ଏକ୍ସପର୍ଟଙ୍କ ଦରମା ୧ ଲକ୍ଷ ୨୭ ହଜାର ୨୭୫ ଲେଖାଏଁ ରହିଛି। ବିଏମ୍‌ସିର ବିଭିନ୍ନ ଜାଗାରେ ୩୦୦ ସିକ୍ୟୁରିଟି ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି। ଓରିଏଣ୍ଟାଲ୍‌ ସିକ୍ୟୁରିଟି ସର୍ଭିସ୍‌ ଲିମିଟେଡ୍‌ ଜରିଆରେ ୩ ଜଣ ଆଇଟି ପରାମର୍ଶଦାତା ନିଯୁକ୍ତି ପାଇଛନ୍ତି। ଏହି ଉପବିଭାଗରେ କମ୍ପ୍ୟୁଟର ଲ୍ୟାବ୍‌ ସଂସ୍ଥା ଜରିଆରେ ୩୦ ଜଣ ବ୍ୟାକ୍‌ ଅଫିସ୍‌ ଏକ୍ସିକ୍ୟୁଟିଭ୍‌-କମ୍‌-ଡିଇଓ ନିଯୁକ୍ତି ପାଇଛନ୍ତି। ଅର୍ଥାତ୍‌ ଗୋଟିଏ ଉପବିଭାଗରେ ଦୁଇଟି ଠିକା ସଂସ୍ଥା ଜରିଆରେ ନିଯୁକ୍ତି ଦିଆଯାଇଛି। ଓଡିଏ କୋର୍ଟରେ ମାମଲା ଗଦା ହୋଇଥିବାରୁ ଏହାର ସୁପରିଚାଳନା ପାଇଁ ଜଣେ ଲିଗାଲ୍‌ କାଉନ୍‌ସେଲ୍‌ ନିଯୁକ୍ତି ପାଇବାକୁ ଯାଉଛନ୍ତି।

ଏଠାରେ ନେତା ଓ ସମ୍ପର୍କୀୟଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଏମ୍‌ସି। ବିଏମ୍‌ସି କହିଛି କି ସରକାରୀ ନିୟମ ଆବଶ୍ୟକ ଅନୁସାରେ ନିଯୁକ୍ତି ଦିଆଯାଉଛି। କିନ୍ତୁ କୌଣସି ସରକାରୀ ବିଭାଗରେ ସ୍ଥାୟୀ ହେଉକି ଅସ୍ଥାୟୀ, ଠିକାରେ ହେଉକି ଠିକାସଂସ୍ଥା ଦ୍ବାରା, ଏତେ ସଂଖ୍ୟକ ନିଯୁକ୍ତିରେ ବିଧିବଦ୍ଧ ବିଜ୍ଞାପନ ବାହାରକରି ପ୍ରତିଯୋଗିତାକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରଖାଯିବା ଉଚିତ। ଏ ପ୍ରସଙ୍ଗରେ ‘ଠିକା’ ଶବ୍ଦକୁ ବାହାନା କରି ବିଏମ୍‌ସି ବାବୁମାନେ ନିଜ ସ୍ବାର୍ଥ ସାଧନ ହିଁ କରୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।