ଭୁବନେଶ୍ବର: କୌଣସି ଦୁର୍ଘଟଣାର ଶିକାର ହୋଇ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଉଦ୍ଧାର ହୋଇ ଏମ୍‌ସକୁ ଏମିତି କିଛି ବ୍ୟକ୍ତି ଆସିଥାନ୍ତି, ଯେଉଁମାନଙ୍କ ମାନସିକ ସ୍ଥିତି ଭଲ ନଥାଏ। ନିଜ ନାମ ସୁଦ୍ଧା ସେମାନେ କହିପାରନ୍ତି ନାହିଁ। ସେଭଳି ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏମ୍‌ସ ପକ୍ଷରୁ ଏକ ବେତନପ୍ରାପ୍ତ ସ୍ବେଚ୍ଛାସେବୀ ଦଳ ନିଯୁକ୍ତ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସେବା, ଯତ୍ନ କରିବାଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କୁ ଭେଟ କରାଇବା ପର୍ଯ୍ୟନ୍ତ ସବୁ ଦାୟିତ୍ବ ସେମାନେ ନିର୍ବାହ କରନ୍ତି। ଖାଲି ସେତିକି ନୁହେଁ, ରୋଗୀଙ୍କୁ ତାଙ୍କ ଘର ଠିକଣାରେ ମଧ୍ୟ ପହଞ୍ଚାଇଥା’ନ୍ତି।

Advertisment

ରୋଗୀର ଘର ରାଜ୍ୟ ଭିତରେ କି ବାହାରେ ଯେଉଁଠି ବି ହୋଇଥାଉନା ନାହିଁକି, ସେମାନେ ଠିକଣା ଖୋଜି ବାହାର କରିବା ସହ ତାଙ୍କୁ ଘରଲୋକଙ୍କୁ ହସ୍ତାନ୍ତର କରିଥାଆନ୍ତି। ୨ ବର୍ଷ ତଳୁ ଗଠନ ହୋଇଥିବା ଏହି ଟିମ୍‌ ପାଖାପାଖି ୨୦ ଅଜଣା, ଅସହାୟ ରୋଗୀଙ୍କୁ ଏପରି ସାହାଯ୍ୟ କରିଛନ୍ତି।

କିଛି ଦିନ ପୂର୍ବରୁ ଦୁର୍ଘଟଣାରେ ଶିକାର ଜଣେ ଅଜଣା ବ୍ୟକ୍ତିଙ୍କୁ ଏମ୍ସର ଜରୁରୀକାଳୀନ ବିଭାଗରେ ପୁଲିସ ଭର୍ତ୍ତି କରାଇଥିଲା। ତାଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ଏଭଳି ଥିଲା ଯେ ସେ ନିଜ ସଂପର୍କରେ କିଛି ବି କହିପାରିନଥିଲେ। ତାଙ୍କ ହେପାଜତ ପାଇଁ କେହି ବି ନଥିଲେ। କାଜୁଆଲଟିରୁ ସୂଚନା ପାଇ ରୋଗୀଙ୍କ ଦାୟିତ୍ବ ନେଲେ ସ୍ବେଚ୍ଛାସେବୀ ଦଳର ଜଣେ ସଦସ୍ୟ। ଆହତ ବ୍ୟକ୍ତିଙ୍କ ଅବସ୍ଥାରେ ସୁଧାର ହେବା ପରେ ମଧ୍ୟ ସେ ନିଜ ବିଷୟରେ କିଛି କହିପାରି ନଥିଲେ। ତାଙ୍କ କଥାରୁ ସେ ଝାଡ଼ଖଣ୍ଡର ବୋଲି ଅନୁମାନ କରାଯାଇଥିଲା।

ପୁଲିସ ସହାୟତାରେ ମାତ୍ର ୮ ଦିନ ମଧ୍ୟରେ ତାଙ୍କ ଠିକଣା ଖୋଜି ବାହାର କରାଯାଇଥିଲା। ପରିବାର ଆସି ତାଙ୍କୁ ନେଇଯାଇଥିଲେ। ଗତ ବର୍ଷ ଏହିଭଳି ସ୍ଥିତିରେ ଚେନ୍ନାଇର ଜଣେ ବ୍ୟକ୍ତି ଭର୍ତ୍ତି ହୋଇଥିଲେ। ତାଙ୍କ ପରିବାରରେ କେହି ନଥିଲେ। ଯେଉଁ ଦୂର ସମ୍ପର୍କୀୟ ଥିଲେ, ସେମାନଙ୍କ ଆର୍ଥିକ ଅବସ୍ଥା ଏତେ ଶୋଚନୀୟ ଥିଲା ଯେ ସେମାନେ ଆସିବା ଅବସ୍ଥାରେ ନଥିଲେ। ଏମ୍‌ସ ସ୍ବେଚ୍ଛାସେବୀ ଦଳର ଜଣେ ସଦସ୍ୟ ସେହି ରୋଗୀଙ୍କୁ ଚେନ୍ନାଇସ୍ଥିତ ତାଙ୍କ ଘରେ ଛାଡ଼ି ଆସିଥିଲେ।

ଦଳର ସଦସ୍ୟ ଶୁଭଲକ୍ଷ୍ମୀ ଜେନା କହିଛନ୍ତି, କିଛି ଦିନ ପୂର୍ବରୁ ନୟାଗଡ଼ର ଜଣେ ବ୍ୟକ୍ତି ନିଜ ସମସ୍ତ ସମ୍ପତ୍ତି ପୁତୁରାମାନଙ୍କ ନାମରେ କରିବା ପରେ ପୁତୁରାମାନେ ତାଙ୍କୁ ତଡ଼ି ଦେଇଥିଲେ। ଏପରିକି ସେ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସାଧୀନ ଥିବା ସମ୍ପର୍କରେ ସେମାନଙ୍କୁ ଜଣାଇବା ପରେ ବି କେହି ଆସିନଥିଲେ। ଏଥିଯୋଗୁଁ ତାଙ୍କ ଟିମ୍‌ ସେହି ବୟସ୍କ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଭଳି ସେବା ଯତ୍ନ କରିଥିଲେ। ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କ ଠିକଣା ଖୋଜିବାକୁ ୪ ମାସ ଲାଗିଥିଲା, ଏହି ସମୟରେ ସେ ଏମ୍ସ ସ୍ବେଚ୍ଛାସେବୀ ଦଳଙ୍କ ହେପାଜତରେ ରହିଥିଲେ।

ଶୁଭଲକ୍ଷ୍ମୀ କହିଛନ୍ତି, ତାଙ୍କ ଭଳି ଟିମ୍‌ରେ ଅଶ୍ବିନୀ କୁମାର, ପିଭି ବିଜୟନ, ଗୁରୁ ନାଇଡ଼ୁ, ଏକତା ସିଂ, ଜୟଚନ୍ଦ୍ରନ, ସୁଦେଷ୍ଣା ଶାନ୍ତି ପ୍ରମୁଖ ସଦସ୍ୟ ଅଛନ୍ତି। ଜରୁରୀକାଳୀନ ବିଭାଗକୁ ଅଜଣା ରୋଗୀ ଆସିଲେ, ଏହି ଟିମକୁ ସୂଚନା ଦିଆଯାଇଥାଏ। ସେମାନଙ୍କ ମଧ୍ୟରୁ ଅନ୍ୟୂନ ଜଣେ ରୋଗୀଙ୍କ ପାଖକୁ ଯାଇ ତାଙ୍କ ଭଲ ମନ୍ଦ ବୁଝିଥାଆନ୍ତି। ଏହାପରେ ଡାକ୍ତରଙ୍କ ପରାମର୍ଶରେ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ କିମ୍ବା ଅନ୍ୟ ବ୍ୟବସ୍ଥା କରାଇଥାଆନ୍ତି। ଏଥିପାଇଁ ଅଧୀକ୍ଷକଙ୍କ ଜରିଆରେ ୫୦ ହଜାର ଟଙ୍କା ଅନୁମୋଦନର ବ୍ୟବସ୍ଥା ମଧ୍ୟ ରହିଛି। ଅନେକ ଅଜଣା ରୋଗୀ ବର୍ଷାଧିକ ସମୟ ଧରି ମଧ୍ୟ ଏଠାରେ ରହିଛନ୍ତି।