ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଚାଇଲଡ୍ ଆଣ୍ଡ ୱିମେନ୍ସ ଡେଭେଲପ୍ମେଣ୍ଟ ସୋସାଇଟି ଓ ଜିନ୍ଦଲ ଫାଉଣ୍ଡେସନ୍ର ସହଯୋଗରେ ‘ଭୋସାପ୍ ଭିଜନ ଡ୍ରାଇଭ୍ ୨୦୨୫’ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଥିବା ବ୍ୟକ୍ତି ହିଁ ସଫଳତା ପାଏ ବୋଲି କହିଥିଲେ। ସମାଜରେ ଏକ ଗୋଷ୍ଠୀ ଅବହେଳିତ ହେବା ଭାରତୀୟ ପରମ୍ପରା ନୁହେଁ ବୋଲି ସେ ମତ ଦେଇଥିଲେ। ଦୃଷ୍ଟିବାଧିତମାନଙ୍କୁ ସଶକ୍ତ କରିବା ପାଇଁ ଏହି ପ୍ରୟାସକୁ ସେ ପ୍ରଂଶସା କରିଥିଲେ। ଅନ୍ୟତମ ଅତିଥି ଭାବେ ‘ଭଏସ୍ ଅଫ୍ ସ୍ପେସିଆଲି ଏବଲଡ୍ ପିପୁଲ’, ଆମେରିକାର ସଂସ୍ଥାପକ ଟ୍ରଷ୍ଟି ପ୍ରଣବ ଦେଶାଇ ଯୋଗଦେଇ କହିଲେ ଯେ, ପ୍ରତ୍ୟେକ ଦିବ୍ୟାଙ୍ଗଙ୍କ ମଧ୍ୟରେ କ୍ଷମତା ରହିଛି।
ସେମାନଙ୍କୁ କେବଳ ଆବଶ୍ୟକ ଉପକରଣ ଓ ମନୋବଳ ପ୍ରଦାନ କରିବାକୁ ପଡ଼ିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡୀଚରଣ ରଥ ଯୋଗଦେଇ ଦିବ୍ୟାଙ୍ଗମାନଙ୍କର ଯତ୍ନ ନେବା ଓ ସହଯୋଗ କରିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଉପସଚିବ ସନ୍ନ୍ୟାସୀ ବେହେରା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବ୍ରତତି ହରିଚନ୍ଦନ, ‘ଜିନ୍ଦଲ ଫାଉଣ୍ଡେସନ୍’ର ଆସିସାଣ୍ଟ ଜେନେରାଲ ସେକ୍ରେଟାରି ମୈତ୍ରୀ ମିଶ୍ର, ବିଶ୍ୱବିଦ୍ୟାଳୟର କୁଳସଚିବ ମନସ୍ୱିନୀ ସାହୁ, ‘ଭଏସ୍ ଅଫ୍ ସ୍ପେସିଆଲି ଏବଲଡ୍ ପିପୁଲ’ର ବରିଷ୍ଠ ସଦସ୍ୟ ଉତ୍ତମ ଓଝା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦୃଷ୍ଟିବାଧିତଙ୍କୁ ସ୍ମାର୍ଟ ଆସିଷ୍ଟିଭ୍ ଗ୍ଲାସ୍ ପ୍ରଦାନ କରାଯାଇଥିଲା। ଏହି ଚଷମା ମୋବାଇଲ ସହିତ ସଂଯୋଗ ହୋଇରହିବ। ଏହା ଦୃଷ୍ଟିବାଧିତମାନଙ୍କୁ ସାମ୍ନାରେ ଥିବା ଲୋକଙ୍କଠାରୁ ଆରମ୍ଭ କରି ସେମାନେ କେତେ ଟଙ୍କା ଧରିଛନ୍ତି ତାହା ଉପରେ ମଧ୍ୟ ଭଏସ ମାଧ୍ୟମରେ ସୂଚନା ଦେବ। କାର୍ଯ୍ୟକ୍ରମରେ ଏହି ଚଷମାର ଡେମୋ ପ୍ରଦର୍ଶନ କରାଯିବା ସହିତ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଚାଇଲଡ୍ ଆଣ୍ଡ ୱିମେନସ ଡେଭେଲପ୍ମେଣ୍ଟ ସୋସାଇଟିର ଚେୟାରପର୍ସନ କଳ୍ପନା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।