‌‌ମୋତେ ଭୋଟ୍‌ ଦିଅ, ମୁଁ ସେବା କରିବି: ଖୋର୍ଦ୍ଧା ଜିଲ୍ଲା ପରିଷଦ ଜୋନ୍‌-୩୦, ବବିତାଙ୍କ ପାଇଁ ବିଧାୟକ ସୁଶାନ୍ତ ରାଉତଙ୍କ ପ୍ରଚାର

ରଘୁନାଥପୁରରେ ଅନସୂୟାଙ୍କ ପ୍ରଚାର

ବାରଙ୍ଗ: ଖୋର୍ଦ୍ଧା ଜିଲ୍ଲା ୩୦ ନମ୍ବର ଜୋନ୍‌ରେ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ବବିତା ରାଉତଙ୍କ ପାଇଁ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରଚାର କରୁଛନ୍ତି। ବିଜେଡିର ଗଡ଼ କୁହାଯାଉଥିବା ଉତ୍ତର ନିର୍ବାଚନମଣ୍ଡଳୀର ରଘୁନାଥପୁର, ଦାଢ଼ା, କଲ୍ୟାଣପୁର, ବରିମୁଣ୍ଡ ଓ ଇଂଜଣା ପଞ୍ଚାୟତରେ ପ୍ରତି ଗାଁ, ସାହି, ବସ୍ତି ବୁଲି ବବିତାଙ୍କ ପାଇଁ ବିଧାୟକ ଶ୍ରୀ ରାଉତ ଭୋଟ୍‌ ଭିକ୍ଷା କରୁଛନ୍ତି। ଆଜି ବବିତାଙ୍କ ସହ ବିଧାୟକ ବରିମୁଣ୍ଡ ପଞ୍ଚାୟତରେ ‌ବିଶାଳ ଶୋଭାଯାତ୍ରା କରି ପ୍ରଚାର କରିଥିଲେ। ଶୋଭାଯାତ୍ରାରେ ଦଳର ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ନୃସିଂହ ଚରଣ ଖାଡ଼େଙ୍ଗା, ଗାଁ ମରବୀ ପ୍ରମୋଦ ସ୍ବାଇଁ, ପରମାନନ୍ଦ ପଟ୍ଟନାୟକ, ସଚ୍ଚିକାନ୍ତ ପୃଷ୍ଟି, ପବିତ୍ର ନାୟକ, ମନୋଜ ଲେଙ୍କା, ବସନ୍ତ କୁମାର ରଥ, ଗଙ୍ଗାଧର ବାରିକ, ଅନିଳ ଦାସ, ମୁନୁ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ। ଲୋକମା‌ନେ ବିଧାୟକ ଓ ବବିତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରିଥିଲେ।

ବାରଙ୍ଗ: ରାଜଧାନୀ ଉପକଣ୍ଠ ରଘୁନାଥପୁର ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଅନସୂୟା ସାମନ୍ତରାୟ (ଜଟି) ଜୋର୍‌ଦାର ପ୍ରଚାର ଚଳାଇଛନ୍ତି। ପୂର୍ବରୁ ସେ ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରିଥିବା ବେଳେ ଏବେ ଶୋଭାଯାତ୍ରା କରି ଗାଁ ଗାଁ ବୁଲୁଛନ୍ତି। ପଞ୍ଚାୟତର ମୋଟ୍ ୧୧ୱାର୍ଡରେ ତାଙ୍କ ନିର୍ବାଚନ ଶୋଭାଯାତ୍ରା ଚର୍ଚ୍ଚାର ବିଷୟ ହୋଇଛି। ଏହି ଅବସରରେ ସେ ପ୍ରତି ଘରକୁ ଯାଇ ଲିଫଲେଟ୍‌ ବାଣ୍ଟୁଛନ୍ତି। ଲିଫଲେଟ୍‌ରେ ସେ ଅନେକ ପ୍ରତିଶ୍ରୁତି ଉଲ୍ଲେଖ କରିଛନ୍ତି। ସମଗ୍ର ପଞ୍ଚାୟତରେ ଥିବା ସବୁ ସାହିକୁ କଂକ୍ରିଟ୍‌ ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା, ପ୍ରତି ଘରକୁ ପାନୀୟ ଜଳଯୋଗାଣ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି। ବଡ଼ କଥା ହେଉଛି ତାଙ୍କ ସହ ପ୍ରତ୍ୟେକ ୱାର୍ଡର ମହିଳାମାନେ ପ୍ରଚାରରେ ସାମିଲ ହେଉଛନ୍ତି।

କଟକଣା ମାନୁନାହାନ୍ତି ପ୍ରାର୍ଥୀ: ସରକାରୀ କାନ୍ଥବାଡ଼ରେ ଛାଇଗଲାଣି ପୋଷ୍ଟର୍‌, ବ୍ୟାନର୍‌ ଓ ହୋର୍ଡିଂ
ବାଲିଅନ୍ତା: ୨୪ ତାରିଖରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ତେଣୁ ସ୍ଥାନୀୟ ୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ଏବେ ପ୍ରାର୍ଥୀମାନଙ୍କ ପ୍ରଚାର ଖୁବ୍‌ ଜୋରସୋର୍‌ରେ ଚାଲିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ହୃଦ୍‌ସ୍ପନ୍ଦନ ସେତିକି ବଢ଼ି ଚାଲିଛି। ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା ପରେ ଏବେ ପ୍ରାର୍ଥୀମାନେ ବାଇକ୍‌ ଶୋଭାଯାତ୍ରାରେ ଗାଁ ପଞ୍ଚାୟତ ପରିକ୍ରମା କରି ପ୍ରଚାର ଚଳାଇଛନ୍ତି। ହେଲେ ନିର୍ବାଚନ ପ୍ରଚାର ବେଳେ ପ୍ରାର୍ଥୀମାନେ ଆଦର୍ଶ ଆଚରଣବିଧି ପାଳନ କରୁନଥିବା ଅଭିଯୋଗ ହେଉଛି। ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ସ୍ଥାନୀୟ ତହସିଲ ଏବଂ ବ୍ଲକ ପ୍ରଶାସନର ମଧ୍ୟ ସେମାନଙ୍କ ଉପରେ ଅଙ୍କୁଶ ରହୁନାହିଁ। ଫଳରେ ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ପ୍ରାର୍ଥୀମାନେ ଆଇନ ଉଲ୍ଲଂଙ୍ଘନ କରି ପ୍ରଚାର କାର୍ଯ୍ୟ ଚଳାଇଥିବା ଅଭିଯୋଗ ହେଉଛି। ଏହାକୁ ନେଇ କିଛି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜିଛି।

ବଡ଼ କଥା ହେଉଛି, ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଁରେ ପ୍ରଚାର ଗାଡ଼ି ବୁଲୁଥିବା ଅଭିଯୋଗ ହେଉଛି। ନିର୍ଦ୍ଧାରିତ ସମୟ ରାତି ୮ଟା ପରେ ପ୍ରଚାର କରାଯାଇପାରିବ ନାହିଁ। ହେଲେ କିଛି ସ୍ଥାନରେ ପ୍ରଚାର ଗାଡ଼ି ନିର୍ଦ୍ଧାରିତ ସମୟ ପରେ ବୁଲିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ବେଣୁପୁର ଗାଁରେ ଗତ ୧୭ ତାରିଖ ରାତିରେ ଏନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତ ୧୭ ତାରିଖ ରାତିରେ ପ୍ରଚାର ଗାଡ଼ି ପାଇଁ ଜଣେ ସରପଞ୍ଚଙ୍କ ସମର୍ଥିତ ପ୍ରାର୍ଥୀ ଗାଁ ରାସ୍ତାରେ ବାଉଁଶ ଧଡ଼ା ବାନ୍ଧି ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ଜଣେ ଯୁବକଙ୍କୁ ମାଡ଼ ମରା ଯାଇଥିଲା। କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଏନେଇ ଥାନାରେ ଏକାଧିକ ଅଭିଯୁକ୍ତଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସର୍ବସାଧାରଣ ସ୍ଥାନ ଯଥା ମଠ, ମନ୍ଦିର ପରିସର, କ୍ଲବ୍‌ ଘର କାନ୍ଥ, ସ୍କୁଲ, ସରକାରୀ କାର୍ଯ୍ୟାଳୟ , ପ୍ରମୁଖ ରାସ୍ତା, ଛକ ବଜାର ଓ ଗାଁ ଗଳିକନ୍ଦିରେ ପ୍ରାର୍ଥୀଙ୍କ ହୋର୍ଡିଂ, ବ୍ୟାନର୍‌ ଏବଂ ପୋଷ୍ଟର୍‌ ଛାଇ ଗଲାଣି। ହେଲେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏସବୁ ପ୍ରଚାର ସାମଗ୍ରୀ ହଟା ଯାଉନାହିଁ। ଖାଲି ସେତିକି ନୁହେଁ, କିଛି ପ୍ରାର୍ଥୀ ଅଧିକ ଡେସିବିଲ୍‌ ସାଉଣ୍ଡ୍‌ ବ୍ୟବହାର କରିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସ୍କୁଲ, ମେଡିକାଲ, ଚିକିତ୍ସାଳୟ ନିକଟ ରାସ୍ତା ମାଇକ୍‌ ଶବ୍ଦରେ ଫାଟି ପଡ଼ୁଛି। କିଛି ଅଧିକାରୀ ପ୍ରାର୍ଥୀଙ୍କୁ ସୁହାଇବା ଭଳି ପଦକ୍ଷେପ ଗ୍ରହଣ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର