‌‌ମୋତେ ଭୋଟ୍‌ ଦିଅ, ମୁଁ ସେବା କରିବି: ଏଥର ଅନୁସୂଚିତ ଜାତି ହାତରେ ବ୍ଲକ୍‌ ଅଧ୍ୟକ୍ଷ

ବିଜେଡି ଭିତରେ ବଳ କଷାକଷି, ୫ ପଞ୍ଚାୟତରେ ପ୍ରଚାର ଜୋର୍‌

ବାଲିପାଟଣା: ଦୀର୍ଘ ଦୁଇ ଦଶନ୍ଧି ପରେ ବାଲିପାଟଣା ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ହାତକୁ ଯାଉଛି। ଶେଷଥର ପାଇଁ ୧୯୯୭ ମସିହାରେ ଅନୁସୂଚିତ ଜାତି ମହିଳା ଏହି ପଦରେ ଅଧିଷ୍ଠିତ ହୋଇଥିଲେ। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ଭିତରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି। ସେମାନେ ପ୍ରାର୍ଥୀ ହୋଇଥିବା ପଞ୍ଚାୟତରେ ପ୍ରଚାର ଜୋର୍‌ଦାର୍‌ ହେଉଥିବା ଦେଖିବାକୁ ମିଳୁଛି। ଏଣେ ବ୍ଲକ ଦଖଲ ପାଇଁ ଶାସକ ବିଜେଡି ଦଳରେ ଚାଲିଛି ବଳ କଷାକଷି। ଜିଲ୍ଲା ପରିଷଦ ସଭ୍ୟ ଟିକେଟ୍‌ ବଣ୍ଟନ ପରଠାରୁ ଦଳ ଭିତରେ ସୃଷ୍ଟି ହୋଇଥିବା ଦୁଇ ଗୋଷ୍ଠୀଙ୍କ ଭିତରେ ଚାଲିଛି ଛକାପଞ୍ଝା‌। ଟିକେଟ୍‌ ବଣ୍ଟନ ପରଠାରୁ ଏକପ୍ରକାର ଏକଘରକିଆ ହୋଇ ପଡ଼ିଥିବା ବିଧାୟକ ଅରବିନ୍ଦ ଢାଲିଙ୍କ ସମର୍ଥକ କୁହାଯାଉଥିବା ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଲାଗି ପଡ଼ିଥିବା ବେଳେ ପ୍ରତିପକ୍ଷ ମଧ୍ୟ ପଛରେ ପଡ଼ିନାହିଁ। ତେବେ ରୋଚକ କଥା ହେଉଛି କଂଗ୍ରେସ ବା ବିଜେପି କୌଣସି ଦଳ ବିଜେଡିର ଏହି ଫାଟରୁ ଫାଇଦା ଉଠାଇବା ପାଇଁ ରଣକୌଶଳ ପ୍ରସ୍ତୁତ କରୁଥିବା ଦେଖାଯାଉନାହିଁ। ଏହି ଦୁଇ ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ବିଜୟକୁ ଯେତିକି ଗୁରୁତ୍ବ ଦେଉଛନ୍ତି, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଚର୍ଚ୍ଚା ହେଉଛି।

ସୂଚନାନୁସାରେ ବାଲିପାଟଣା ବ୍ଲକ୍‌ରେ ରହିଛି ୧୭ ପଞ୍ଚାୟତ। ବ୍ଲକ ଅଧ୍ୟକ୍ଷ ଆସନଟି ଅନୁସୂଚିତ ଜାତି ଲାଗି ସଂରକ୍ଷିତ ଅଛି। ୧୭ ପଞ୍ଚାୟତରୁ ୫ ପଞ୍ଚାୟତରେ ସମିତି ସଭ୍ୟ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। କୁରୁଞ୍ଜିପୁର, ଦେଉଳିଧରପୁର, ତୁରିନ୍ତିରା, ପମ୍ପାଲୋ ଓ ନରିଶୋ ପଞ୍ଚାୟତରେ ସମିତି ସଭ୍ୟ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ତୁରିନ୍ତିରା ପଞ୍ଚାୟତରେ ୪ ଜଣ, ଦେଉଳିଧରପୁରରେ ୨ ଜଣ, ପମ୍ପାଲୋରେ ୩, ନରିଶୋରେ ୩, କୁରୁଞ୍ଜିପୁରରେ ୩ ସମିତି ସଭ୍ୟ ପ୍ରାର୍ଥୀ ଅଛନ୍ତି। ତେଣୁ ଏଥର ଏହି ସବୁ ପଞ୍ଚାୟତରୁ କେହି ଜଣେ ବ୍ଲକ୍‌ ଅଧ୍ୟକ୍ଷ ହେବେ। ତେଣୁ ପ୍ରଚାର ଆରମ୍ଭରୁ ଏହି ପାଞ୍ଚ ପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଛି। ସବୁଆଡ଼େ ସରପଞ୍ଚ ପଦ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ଏହି ୫ ପଞ୍ଚାୟତରେ ସମିତି ସଭ୍ୟ ପଦ ପାଇଁ ପ୍ରଚାର ଭିନ୍ନ ରୂପ ନେଇଛି। ପ୍ରାର୍ଥୀମାନେ ଘରଘର ବୁଲି ନିଜକୁ ବ୍ଲକ୍‌ ଅଧ୍ୟକ୍ଷ ବୋଲି ଦାବିଦାର୍‌ କରି ଭୋଟ ଭିକ୍ଷା କରୁଛନ୍ତି। ବ୍ଲକ ଅଧ୍ୟକ୍ଷ ହେଲେ, ସେମାନେ ଲୋକଙ୍କ ପାଇଁ ଭଲ କାମ କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ତେବେ କୌଣସି ଦଳର ଦଳୀୟ ନେତାଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେବେ ଏହି ଦୌଡ଼ରେ ଆଗରେ ରହିଛି ବିଜେଡି। କିନ୍ତୁ ବିଜେଡିରେ ରହିଛି ଦଳୀୟ କନ୍ଦଳ। ବିଧାୟକ ଶ୍ରୀ ଢାଲିଙ୍କ ପ୍ରାର୍ଥୀ ଓ ବିଜେଡି ମଙ୍ଗ ଧରିଥିବା କମଳ ପାତ୍ରଙ୍କ ପ୍ରାର୍ଥୀ ମଧ୍ୟରେ ହେବ କଡ଼ା ଟକ୍କର। ଟିକେଟ୍‌ ବଣ୍ଟନରେ କମଳ ପାତ୍ରଙ୍କ ଦବ୍‌ଦବା କାଏମ୍‌ ରହିଥିବାରୁ ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ତାଙ୍କ ସମର୍ଥିତ ବ୍ୟକ୍ତି ହେବେ ବୋଲି କୁହାଯାଉଛି। ବଡ଼ କଥା ହେଉଛି ଯଦି କୌଣସି କାରଣରୁ ବିଜେଡିର ଗୋଷ୍ଠୀ କନ୍ଦଳ ବିଜେପି ବା କଂଗ୍ରେସକୁ ଫାଇଦା ଦିଏ, ତେବେ ବ୍ଲକ ଦଖଲ ଚିତ୍ର ଭିନ୍ନ ହେବ ବୋଲି କୁହାଯାଉଛି।

ବାଙ୍କୀ ବିଧାୟକ ଧରିଲେ କଟକ ୩୨ ନମ୍ବର ଜୋନ୍‌ ପ୍ରଚାର ମଙ୍ଗ
ବାରଙ୍ଗ: ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କଟକ ଜିଲ୍ଲା ପରିଷଦ ୩୨ ନମ୍ବର ଜୋନ୍‌ରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଛନ୍ତି। ଆଜି ବାରଙ୍ଗ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବିଧାୟକ ଶ୍ରୀ ତ୍ରିପାଠୀ ବିଜେଡି ପ୍ରାର୍ଥୀ ସୁମିନା ପ୍ରଧାନଙ୍କ ସହ ଶୋଭାଯାତ୍ରାରେ ବୁଲିଛନ୍ତି। ରାମଦାଶପୁର ପଞ୍ଚାୟତରୁ ପ୍ରଚାର ଆରମ୍ଭ କରି ବିଧାୟକ ଶ୍ରୀ ତ୍ରିପାଠୀ ବିଜେଡି ସରକାରର ଜନ କଲ୍ୟାଣ ଯୋଜନା ବାବଦରେ ଭୋଟର୍‌ଙ୍କୁ ବୁଝାଇଥିଲେ। ଏହି ଶୋଭାଯାତ୍ରାରେ ରାମଦାଶପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଗୌରୀବାଳ ଦାସ ଓ ସମିତି ସଭ୍ୟ ପ୍ରାର୍ଥୀ ପାର୍ବତୀ ସିଂହ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର