ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ପରିଷଦ ୧୮ ନମ୍ବର ଜୋନ୍ର ନିର୍ବାଚନ ଗଣିତ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଜେଡିର ଦୁର୍ଗ ଭାବେ ଜଣାଶୁଣା ଏହି ଜୋନ୍କୁ ହାତେଇବା ପାଇଁ ଏଥର ବିଜେପି ଓ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି। କିନ୍ତୁ ପ୍ରଚାର ମଇଦାନରେ ବିଜେଡି ବେଶ୍ ଆଗରେ ଥିବା ବେଳେ ବିଜେପି ଓ କଂଗ୍ରେସ ଶିବିରରେ ଶିଥିଳତା ପରିଲକ୍ଷିତ ହେଉଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ପ୍ରାର୍ଥୀ ଦିଲ୍ଲୀପ କୁମାର ବେହେରାଙ୍କ ପାଇଁ ପଦଯାତ୍ରା କରି ପ୍ରଚାର କରିଥିଲେ ବି ଦଳୀୟ କନ୍ଦଳ ପାଇଁ ତାହା ବେଶି ସମୟ ପ୍ରଭାବ ପକାଇପାରିନାହିଁ। ବିଜେଡି ପ୍ରାର୍ଥୀ ମଙ୍ଗରାଜ ବେହେରାଙ୍କ ପ୍ରଚାର ମଙ୍ଗ ଦଳୀୟ କର୍ମୀମାନଙ୍କ ହାତରେ ରହିଛି ଓ ସେମାନେ ଘରଘର ବୁଲି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ରଞ୍ଜନ କୁମାର ଭୋଇ ଗାଁ ଗାଁ ବୁଲୁଥିବା ବେଳେ ପ୍ରଚାରଶୈଳୀରେ ସାମାନ୍ୟ ପଛରେ ପଡ଼ିଥିବା କୁହାଯାଉଛି। ତେବେ ବିଜେଡି ଓ ବିଜେପିର ଗୋଷ୍ଠୀ କନ୍ଦଳ ଏଠାରେ ନିର୍ବାଚନ ଗଣିତକୁ ଜଟିଳ କରିଥିବା ଚର୍ଚ୍ଚା ହେଉଛି।
ଏହି ଜୋନ୍ରେ ରହିଛି ୬ଟି ପଞ୍ଚାୟତ। ପ୍ରତାପରୁଦ୍ରପୁର, କାକରୁଦ୍ରପୁର, ଭିଙ୍ଗାରପୁର, ବେଣ୍ଟପୁର, ସରକଣା ଓ ଜୟଦେବ ପଞ୍ଚାୟତକୁ ନେଇ ଏହି ଜୋନ୍ ଗଠିତ। ଏଠାରେ ବିଜେଡି ପ୍ରାର୍ଥୀ ମଙ୍ଗରାଜଙ୍କ ପ୍ରଚାର ଜୋର୍ ଧରିଛି। ଦଳୀୟ ଗୋଷ୍ଠୀ କନ୍ଦଳକୁ ତାଳି ପକାଯାଇଛି। କିନ୍ତୁ ବିଜେପି କ୍ଷେତ୍ରରେ ଏବେ ବି ଗୋଷ୍ଠୀ କନ୍ଦଳ ଲାଗି ରହିଛି। ସ୍ଥାନୀୟ ବିଜେପି ସଂଗଠନରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ବିଦ୍ରୋହ ଚରମ ସୀମାରେ ପହଞ୍ଚିଛି। ବିଭିନ୍ନ ସଭା ସମିତିରେ ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ବାରି ହୋଇପଡ଼ୁଛି। ଗତ ସାଧାରଣ ନିର୍ବାଚନ ସମୟରୁ ଥିବା ଗୋଷ୍ଠୀ ବିବାଦ ଏଥର ଜିଲ୍ଲା ପରିଷଦ ଟିକେଟ୍ ବଣ୍ଟନକୁ ନେଇ ବଢ଼ିଛି। ଏହା ଦିଲ୍ଲୀପଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଏବେ ଭିତିରିଆ ବିଜେଡି ଶିବିର ମୁହାଁ ହୋଇଥିବା ଜଳଜଳ ହୋଇ ଦେଖାଯାଉଛି। ବିଜେପିର ଏହି ଅନ୍ତର୍ଦ୍ବନ୍ଦ୍ବରୁ ଏଥର ପୁଣି ବିଜେଡି ଫାଇଦା ଉଠାଇବ ବୋଲି ଚର୍ଚ୍ଚା ହେଉଛି। ତେବେ କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ ବୋଲି କିଛି ପୁରୁଖା ନେତା କହୁଛନ୍ତି।
ବାରଙ୍ଗ: ଖୋର୍ଦ୍ଧା ଜିଲ୍ଲା ପରିଷଦ ୩୦ ନମ୍ବର ଜୋନ୍ରେ ୩ ଟାଣୁଆ ମହିଳା ପ୍ରାର୍ଥୀ ହୋଇଛନ୍ତି। ବିଜେଡି, ବିଜେପି ଓ କଂଗ୍ରେସର ୩ ମହିଳା ପ୍ରାର୍ଥିନୀଙ୍କ ଭିତରେ ଜୋର୍ଦାର୍ ଲଢ଼େଇ ହେଉଥିବା ଚର୍ଚ୍ଚା ହେଉଛି। ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ଜୋନ୍କୁ ହାତେଇବା ପାଇଁ ୩ ପ୍ରାର୍ଥୀ କସରତ ଆରମ୍ଭ କରିଦେଇଛନ୍ତି। ବଡ଼ କଥା ହେଉଛି ଏହି ପ୍ରାର୍ଥୀମାନଙ୍କ ସ୍ବାମୀମାନେ ନିଜ ନିଜ ଦଳର କର୍ମକର୍ତ୍ତା ଥିବାରୁ ଲଢ଼େଇ ରୋଚକ ସ୍ତରରେ ପହଞ୍ଚିଛି। ଶାସକ ବିଜେଡି ଦଳରୁ ପ୍ରାର୍ଥୀ ହୋଇଛନ୍ତି ବବିତା ରାଉତ। ତାଙ୍କ ସ୍ବାମୀ ନିର୍ମଳ ରାଉତ (ମଣ୍ଟୁ) ବିଜେଡିର ଭୁବନେଶ୍ବର ସାଂଗଠନିକ ସାଧାରଣ ସମ୍ପାଦକ ଅଛନ୍ତି। ସେହିଭଳି ବିଜେପି ପ୍ରାର୍ଥୀ ସସ୍ମିତାଙ୍କ ସ୍ବାମୀ ଆଇନଜୀବୀ ଅକ୍ଷୟ କୁମାର ପତି ବିଜେପି ରାଜ୍ୟ ଲିଗାଲ୍ ସେଲ୍ ସଦସ୍ୟ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ରଶ୍ମିତାଙ୍କ ସ୍ବାମୀ ବିଶ୍ବରଞ୍ଜନ ମହାନ୍ତି(ଲିପୁ) ମଧ୍ୟ ରାଜ୍ୟ କଂଗ୍ରେସର ଜଣେ ଆଗଧାଡ଼ିର କର୍ମକର୍ତ୍ତା। ବିଜେଡି ପ୍ରାର୍ଥୀଙ୍କ ସହ ବିଧାୟକ ସୁଶାନ୍ତ ରାଉତ ନିର୍ବାଚନ ମଙ୍ଗ ସମ୍ଭାଳୁଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ ଧାରା ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଚାର କରି ଭୋଟ୍ ଭିକ୍ଷା କରୁଛନ୍ତି।
ବେଣୁପୁର ଓ ବେଣ୍ଟପୁରରେ ଜମୁଛି ପ୍ରଚାର
ବାଲିଅନ୍ତା: ସ୍ଥାନୀୟ ବେଣୁପୁର ଓ ବେଣ୍ଟପୁର ପଞ୍ଚାୟତରେ ଏବେ ରାଜନୈତିକ ପାଣିପାଗ ବେଶ୍ ସରଗରମ ଅଛି। ବେଣୁପୁରରେ ୧୨ ୱାର୍ଡ। ଏଠାରେ ସରପଞ୍ଚ ପଦ ପାଇଁ ଦୁଇ ଜଣ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୫ଜଣ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ଜେନା ପୁଣି ଥରେ ମଇଦାନକୁ ଓହ୍ଲାଇଥିବା ବେଳେ ୨୦୧୭ ନିର୍ବାଚନରେ ସରପଞ୍ଚ ହୋଇଥିବା ରଶ୍ମିତା ପାତ୍ରଙ୍କ ସ୍ବାମୀ ହୃଷିକେଶ ପାତ୍ର ନିର୍ବାଚନ ଲଢ଼ୁଛନ୍ତି। ତେଣୁ ଏଠାରେ ସିଧାସଳଖ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି। ସଚ୍ଚିଦାନନ୍ଦ ତାଙ୍କ କାର୍ଯ୍ୟକାଳର ସଫଳତା ବଖାଣି ଭୋଟ୍ ଭିକ୍ଷା କରୁଛନ୍ତି। ସେହିଭଳି ହୃଷିକେଶ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କ ସରପଞ୍ଚ କାର୍ଯ୍ୟକାଳ ସମୟର ସଫଳତାକୁ ପାଥେୟ କରିଛନ୍ତି। ଭୋଟରଙ୍କ ନିକଟରେ ଅନ୍ୟ କେହି ତୃତୀୟ ପକ୍ଷ ବା ବିକଳ୍ପ ନୂଆ ମୁହଁ ନଥିବାରୁ ଏଠାରେ ଦ୍ବିମୁଖୀ ଲଢ଼େଇ ଜୋର୍ଦାର୍ ହେଉଛି। ଦୁଇ ପୁରୁଣା ମୁହଁ ଭୋଟରଙ୍କ ନିକଟତ୍ତର ହେବାକୁ ଉଦ୍ୟମ ଚଳାଇଛନ୍ତି। ଏଠାରେ ସମିତି ସଭ୍ୟ ପଦ ଅଣସଂରକ୍ଷିତ ରହିଛି।
ସମିତି ସଭ୍ୟ ପଦ ପାଇଁ ନମିତା ପରିଡ଼ା, ଦୁର୍ଯ୍ୟୋଧନ ପରିଡ଼ା, ଶ୍ରୀକାନ୍ତ ବାରିକ, ଗଙ୍ଗାଧର ଜେନା ଓ କୃଷ୍ଣଚନ୍ଦ୍ର ଭୋଇ ନିର୍ବାଚନ ଳଢ଼ୁଛନ୍ତି। ଅଣସଂରକ୍ଷିତ ପଦ ଥିଲେ ବି ଏଠାରେ ଜଣେ ମହିଳା ଅନ୍ୟ ୪ ପୁରୁଷ ପ୍ରାର୍ଥୀଙ୍କ ସହ ନିର୍ବାଚନ ମଇଦାନରେ ଥିବାରୁ ଅଧିକ ଚର୍ଚ୍ଚା ହେଉଛି। ସେହିଭଳି ବେଣ୍ଟପୁର ପଞ୍ଚାୟତରେ ବି ପ୍ରଚାର ଜୋର୍ ଧରିଛି। ସରପଞ୍ଚ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଠାରେ ୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଘରୋଇ ଶିକ୍ଷୟିତ୍ରୀ ଭାବେ ଜଣାଶୁଣା ଶ୍ରଦ୍ଧାଞ୍ଜଳୀ ତ୍ରିପାଠୀ, ରୋଜାଲିନ୍ ମହାନ୍ତି ଓ ଗୀତାଞ୍ଜଳୀ ସାହୁ ଏହି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାଜନୀତି କ୍ଷେତ୍ରରେ ୩ ଜଣ ଯାକ ନୂଆ ମୁହଁ ହୋଇଥିବାରୁ ଏଠାରେ ବିଭିନ୍ନ ଦଳର ଛାମୁଆ ନେତାଙ୍କ ପ୍ରଚାର ଭୋଟରଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଅନୁରୂପ ଭାବେ ଏଠାରେ ସମିତି ସଭ୍ୟ ପଦ ବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଝରଣା ସ୍ବାଇଁ, କନକ ମଲ୍ଲିକ, ସ୍ବରୂପା ଦାଶ ଓ ପ୍ରମିଳା ସାମଲ ଏହି ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି।