ଆଜି ଭୋଟ୍‌ : ୭୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର : ମଙ୍ଗଳବାର ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ୍‌ ହେବ। ଏଥିରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ଭୁବନେଶ୍ବର ଲୋକସଭା ପାଇଁ ମତଦାତାମାନେ ମତଦାନ କରିବେ। ଏଥିପାଇଁ ବୁଥ୍‌ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ପୁଲିଂ ଅଧିକାରୀମାନେ ଠିକ୍ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ କରିବାକୁ ପୂରା ପ୍ରସ୍ତୁତ ହୋଇଛନ୍ତି।

ଭୁବନେଶ୍ବର ଲୋକସଭା ଆସନ ସମେତ ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ ଓ ଜୟଦେବ ନିର୍ବାଚନମଣ୍ଡଳୀର ୭୭ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା ହେବ। ଯାହା ସପକ୍ଷରେ ଅଧିକ ଭୋଟ୍‌ ପଡ଼ିବ ସେ ହିଁ ମେ ୨୩ତାରିଖରେ ବିଜୟ ମୁକୁଟ ପିନ୍ଧିବ। ତେଣୁ ପ୍ରାର୍ଥୀମାନେ ଆଜି ନିର୍ବାଚନ ପୂର୍ବରୁ କିଛି ଅଞ୍ଚଳରେ ଲୁଚାଛପା ପ୍ରଚାର କରିବା ସହ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଆଉ କିଛି ପ୍ରାର୍ଥୀ ମଙ୍ଗଳବାର ସକାଳୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ସ୍ଥାନରେ ଅଖଣ୍ଡ ଦୀପ ଜାଳିବାକୁ ନିଷ୍ପତ୍ତି ନେଇଛନ୍ତି।

ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଭୋଟିଂ ପାଇଁ ପ୍ରସ୍ତୁତି

ଆସନ୍ତାକାଲି ଭୁବନେଶ୍ବର ମଧ୍ୟର ୧୫ଜଣ, ଭୁବନେଶ୍ବର ଉତ୍ତରର ୧୬ଜଣ ଏବଂ ଏକାମ୍ର ଭୁବନେଶ୍ବରର ୧୪ଜଣ ପ୍ରାର୍ଥୀଙ୍କ ସମେତ ଜୟଦେବ ନିର୍ବାଚନମଣ୍ଡଳୀର ୧୨ଜଣ, ଜଟଣୀରେ ୭ଜଣ ଏବଂ ଭୁବନେଶ୍ବର ଲୋକସଭା ପାଇଁ ୧୫ଜଣ ପ୍ରାର୍ଥୀଙ୍କ ପାଇଁ ମତଦାତାମାନେ ମତଦାନ କରିବେ। ଏହିପରି ମୋଟ୍‌ ୭୭ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେଉଁ କେଉଁ ୬ଜଣ ବିଜୟ ମୁକୁଟ ପିନ୍ଧିବେ ସେଥିରେ ଏହି ମତଦାତାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ସେହିପରି ମତଦାନ କେନ୍ଦ୍ରଗୁଡ଼ିକରେ ଧାଡ଼ିରେ ଛିଡ଼ା ହେବାକୁ ଥିବା ଲୋକ ଯେପରି ଛାଇରେ ରହିବେ, ସମସ୍ତଙ୍କୁ ପିଇବା ପାଣି ଯୋଗାଇ ହେବ, ଭିନ୍ନକ୍ଷମମାନେ ହୁଇଲ୍‌ ଚେୟାରରେ ବୁଥ୍‌ ଭିତରକୁ ଯିବେ, କେଉଁଠି ପୁଲିଂ ଅଧିକାରୀ, ପ୍ରିଜାଇଡିଂ ଅଧିକାରୀ ବସିବେ, କିଏ ହାତରେ କାଳି ଲଗାଇବେ, କିଏ ତାଲିକା ଥିବା ନାମ ସହ ମତଦାତାଙ୍କ ନାମ ମିଳାଇବେ, କେଉଁଠି ବିଭିନ୍ନ ଦଳର ଏଜେଣ୍ଟମାନେ ବସିବେ, ଭୋଟ୍‌ ଦେବାକୁ ଥିବା ସ୍ଥାନକୁ ଚାରିଆଡ଼ୁ ଆବଦ୍ଧ କରିବା, ଆବଶ୍ୟକୀୟ ଇଭିଏମ୍‌ ମେସିନ୍‌କୁ ଯାଞ୍ଚ କରି ରଖିବା, ଏଲ୍‌ଇଡି ଲଣ୍ଠନ ରଖିବା ଭଳି କାର୍ଯ୍ୟ ସବୁ ଆଜିଠାରୁ ପୁଲିଂ ଅଧିକାରୀମ‌ାନେ ଶେଷ କରିଛନ୍ତି।

ଅପରପକ୍ଷେ ଭୁବନେଶ୍ବରରେ ଗତ କିଛି ନିର୍ବାଚନରେ ମତଦାନ ହାର ୫୦% ଟପୁ ନଥିବାରୁ ଏଥର ମତଦାନ କେତେ ପ୍ରତିଶତ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବସ୍ତି ଅଞ୍ଚଳର ଭୋଟ୍‌ ପ୍ରାର୍ଥୀଙ୍କ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଥିବାରୁ ସବୁ ପ୍ରାର୍ଥୀ ଏହି ଭୋଟ୍‌କୁ ଅଧିକ ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର