ଭୋଟର ପରିଚୟପତ୍ର ଓ ଆଧାର ସଂଯୋଗୀକରଣ, ଧରାଛୁଆଁ ଦେଉନାହାନ୍ତି ସହରୀ ଭୋଟର

ଭୁବନେଶ୍ବର: ସାରା ରାଜ୍ୟରେ ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ କାର୍ଯ୍ୟ ଜାରି ‌ରହିଛି। ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଘର ବୁଲି ଏହି କାର୍ଯ୍ୟ କରୁଛନ୍ତି। ମାତ୍ର ଲୋକେ ସହଯୋଗ କରୁନାହାନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ଲୋକଙ୍କ ପାଖରେ ପହଞ୍ଚିଲେ ଏଣୁତେଣୁ କଥା ଶୁଣୁଛନ୍ତି। ଅସାମାଜିକ ଲୋକେ ଖରାପ ବ୍ୟବହାର କରୁଛନ୍ତି। କିଛି ସ୍ଥାନରେ ଆଧାର କାର୍ଡ ନମ୍ବର ନ ଦେବାକୁ ଲୋକେ ରୋକଠୋକ୍‌ ମନା କରି ଦେଉଛନ୍ତି। ଯେଉଁଥିପାଇଁ ଏବେ ଭୁବନେଶ୍ବର ସହରର ତିନୋଟି ଯାକ ନିର୍ବାଚନମଣ୍ଡଳୀରେ ଆଧାର ସଂଯୋଗୀକରଣ ନୈରାଶ୍ୟଜନକ ହୋଇଛି। କେଉଁ ଅଞ୍ଚଳରେ ୧୦% ତ ଆଉ କେଉଁଠି ୨୫%ରେ ପହଞ୍ଚିଛି। ସେପଟେ ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌’ ନ୍ୟାୟରେ ଖୋର୍ଧା ଜିଲ୍ଲା ପ୍ରଶାସନ ଦୁର୍ବଳ ପ୍ରଦର୍ଶନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଏବେ ସୁଦ୍ଧା ତିନି ଜଣଙ୍କ ଦରମା ବନ୍ଦ କରାଯାଇଛି। ଆଉ କିଛି ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀର ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ମଧ୍ୟ ଭୁବନେଶ୍ବରରେ ୨ ଲକ୍ଷ ୯ ହଜାର ୮୭୬ ଭୋଟର ରହିଥିବା ବେଳେ ମାତ୍ର ୩୩ ହଜାର ୯୧୭ଜଣଙ୍କର ଆଧାର ସଂଯୋଗୀକରଣ ହୋଇଛି। ଅର୍ଥାତ୍‌ ୧୬.୧୬% ଭୋଟରଙ୍କର ଆଧାର ସଂଯୋଗୀକରଣ ହୋଇଛି। ସେହିପରି ଉତ୍ତର ଭୁବନେଶ୍ବରରେ ୨ ଲକ୍ଷ ୬୨ ହଜାର ୮୦୪ ଭୋଟଙ୍କ ମଧ୍ୟରୁ ୫୦ ହଜାର ୪୫୦(୧୯.୨%), ଏକାମ୍ର ଭୁବନେଶ୍ବରରେ ୨ ଲକ୍ଷ ୪୫ ହଜାର ୩୬୬ଜଣଙ୍କ ମଧ୍ୟରୁ ୪୯ ହଜାର ୩୯୫(୨୦.୧୩%) ଲୋକଙ୍କ ସଂଯୋଗୀକରଣ ସରିଛି।
ଜଣେ ଶିକ୍ଷକ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ କରିବାକୁ ଯିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବହୁ ଲୋକ ତଥ୍ୟ ଦେଉନାହାନ୍ତି। ଯେତେ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନେ ନାରାଜ।

ଆଧାର ନମ୍ବର ଦେଲେ କାଳେ ସେମାନଙ୍କର ସମ୍ପୂର୍ଣ୍ଣ ତଥ୍ୟ ଲିକ୍‌ ହୋଇଯିବ ସେହି ଭୟରେ ଆଉ କିଛି ଜଣ ଧରାଛୁଆଁ ଦେଉନାହାନ୍ତି। ଏମିତି କିଛି ଲୋକ ରହିଛନ୍ତି ଯେଉଁମାନଙ୍କର ଦୁଇଟି ଭୋଟର ପରିଚୟପତ୍ର। ଆଧାର ସଂଯୋଗୀକରଣ ହେବା ଦ୍ବାରା କାଳେ ସେମାନେ ଧରାପଡ଼ି‌ ଯିବେ ସେଥିପାଇଁ ଗାଳିଗୁଲଜ କରୁଛନ୍ତି। ସଂଯୋଗୀକରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଇ ନ ଥିବାରୁ ଲୋକେ ଜାଣିପାରୁନାହାନ୍ତି କି ସହଯୋଗ କରୁନାହାନ୍ତି। ମାତ୍ର ଜିଲ୍ଲା ପ୍ରଶାସନ ଆଗପଛ ବିଚାର ନ କରି କାର୍ଯ୍ୟାନୁଷ୍ଠାନ ନେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଫିଲ୍ଡରେ ସ୍ଥିତି ନ ପରଖି ମନମୁଖୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଖୋର୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତ ୧୨ ତାରିଖରେ ଅନୁଷ୍ଠିତ ସମୀକ୍ଷା ବୈଠକ ନିଷ୍ପତ୍ତି ଅନୁଯାୟୀ ଆଧାର ଲିଙ୍କ୍‌ ଲାଗି ବୁଥ୍‌ସ୍ତରୀୟ ଅଫିସର(ବିଏଲ୍‌ଓ) ଦୈନିକ ୫୦ଟି ପରିବାରକୁ ଗସ୍ତ କରିବେ। ଯେଉଁ ବିଏଲ୍‌ଓ ନୈରାଶ୍ୟଜନକ ପ୍ରଦର୍ଶନ କରିବେ ସେମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯିବ। ବ୍ଲକ ଶିକ୍ଷା‌ ଅଧିକାରୀ(ବିଇଓ)ମାନେ ଶିକ୍ଷକମାନଙ୍କୁ ସଂଯୋଗୀକରଣ ସମ୍ପର୍କରେ ଅବଗତ କରାଇବେ। ଜିଲ୍ଲା ସମାଜମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲୁଓ)ଙ୍କ ଅଧୀନରେ ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟ କରିବେ। ଉପ-ଜିଲ୍ଲାପାଳଙ୍କ ଅନୁମତିକ୍ରମେ ଡିଏସ୍‌ଡବ୍ଲୁଓ ଖରାପ ପ୍ରଦର୍ଶନ କରିଥିବା ବିଏଲ୍‌ଓଙ୍କ ଦରମା ସ୍ଥଗିତ ରଖିପାରିବେ। ଡିଇଓମାନେ ମଧ୍ୟ ଦରମା ସ୍ଥଗିତ ରଖିବା ସହ ଏସମ୍ପର୍କରେ ଇଲେକ୍ଟ୍ରୋରାଲ ରୋଲ୍‌ ଅଫିସର (ଇଆରଓ)ଙ୍କୁ ଅବଗତ କରାଇବେ। ନିୟମିତ ବ୍ୟବଧାନରେ ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର