ଭୁବନେଶ୍ବର : ଚିଠା ତାଲିକା ପ୍ରକାଶ ପରେ ବୁଥ୍କୁ ନେଇ ରହିଥିବା ଅଭିଯୋଗ ପ୍ରସ୍ତାବ ଦାଖଲ ଅବଧି ଶେଷ ହୋଇଛି। ଆସନ୍ତାକାଲି ଚୂଡ଼ାନ୍ତ ବୁଥ୍ ତାଲିକା ପ୍ରକାଶ ପାଇବ। ସେହିଭଳି ଚିଠା ତାଲିକା ପ୍ରକାଶ ପରେ ଭୋଟର ଲିଷ୍ଟକୁ ନେଇ ରହିଥିବା ଅଭିଯୋଗ ପ୍ରସ୍ତାବ ଗ୍ରହଣ ଚାଲିଛି। ୧୬ ତାରିଖ ପର୍ଯ୍ୟନ୍ତ ଭୋଟରମାନେ ଅଭିଯୋଗ କରିପାରିବେ। ୨୪ ତାରିଖରେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ। ତେବେ ଏହି ଦୁଇଟି ପ୍ରସଙ୍ଗରେ ଅଭିଯୋଗ ଗଦା ହେବାରେ ଲାଗିଛି। କାହାର ବୁଥ୍ ଅନ୍ୟ ୱାର୍ଡକୁ ଚାଲିଯାଇଥିବା ବେଳେ କାହାର ନାଁ ଭୋଟର୍ ତାଲିକାରୁ ଉଭାନ୍ ହୋଇଯାଇଛି। ଭୋଟର ତାଲିକାକୁ ନେଇ ଅଭିଯୋଗ ଅବଧି ଆଉ ୩ ଦିନ ବାକି ଥିବାରୁ ଅଭିଯୋଗ ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।
ଅଭିଯୋଗ ସଂଖ୍ୟା ଏତେ ବଢ଼ି ଯାଇଛି ଯେ ଅଧିକାରୀଙ୍କ ଅକଲଗୁଡୁମ୍ ହୋଇଛି। ହଜାର ହଜାର ଭୋଟର୍ କିଭଳି ଉଭାନ୍ ହୋଇଗଲେ, ଅଧିକାରୀଙ୍କ ପାଖରେ ତା’ର ଉତ୍ତର ନାହିଁ। ବାଦ୍ ପଡ଼ିଥିବା ଭୋଟର୍ଙ୍କୁ ଏତେ କମ୍ ସମୟରେ କେମିତି ପୁଣି ତାଲିକାରେ ଯୋଡ଼ିବେ, ସେ ନେଇ ଅଧିକାରୀମାନେ ମାନସମନ୍ଥନ ଚଳାଇଛନ୍ତି। ଅପରପକ୍ଷେ ବାଦ୍ ପଡ଼ିଥିବା ଭୋଟର୍ଙ୍କୁ ତାଲିକାରେ ପୁନଃ ସାମିଲ କରାନଗଲେ, କୋର୍ଟର ଶରଣ ପଶିବାକୁ ପୂର୍ବତନ କର୍ପୋରେଟର୍ମାନେ ସଜବାଜ ହେଲେଣି।
ବିଏମ୍ସିର ୬୭ ୱାର୍ଡର ୨୧୯ଟି ଜାଗାରେ ୬୯୯ଟି ବୁଥ୍ ରହିଛି। ପୂର୍ବ ସାଧାରଣ ନିର୍ବାଚନରେ ଯେଉଁମାନେ ଯେଉଁଠି ଭୋଟ୍ ଦେଇଥିଲେ, ସେଠାରେ ଭୋଟ୍ ଦେବାକୁ ଅପେକ୍ଷା କରିଥିବା ବେଳେ ପ୍ରକାଶିତ ଚିଠା ତାଲିକାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଗୋଟିଏ ୱାର୍ଡର ଭୋଟର୍ଙ୍କର ଅନ୍ୟ ୱାର୍ଡରେ ବୁଥ୍ ରହିଛି। ଏହାର ପ୍ରତିବାଦରେ ଆଜି କେତେକ ପୂର୍ବତନ କର୍ପୋରେଟର୍ଙ୍କ ସହ ୫ଶହରୁ ଊର୍ଦ୍ଧ୍ବ ଭୋଟର୍ ଏଡିଏମ୍ଙ୍କୁ ଭେଟିବା ସହ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗର ଫର୍ଦ୍ଦ ସବୁଠାରୁ ଲମ୍ବା ରହିଛି ଭୋଟର ଲିଷ୍ଟ ପ୍ରସଙ୍ଗରେ। ପୂର୍ବ ସାଧାରଣ ନିର୍ବାଚନରେ ଥିବା ଭୋଟର ଓ ଏବେ ପ୍ରକାଶ ପାଇଥିବା ଚିଠା ତାଲିକାରେ ଥିବା ଭୋଟର୍ ସଂଖ୍ୟାରେ ଆକାଶ ପାତାଳ ଫରକ୍ ରହିଛି। ଭୁବନେଶ୍ବରରେ ପ୍ରଥମଥର ପାଇଁ ଏଭଳି ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଖାଲି ବିରୋଧୀ ନୁହଁନ୍ତି, ଶାସକ ଦଳର ପୂର୍ବତନ କର୍ପୋରେଟର୍ ଓ ନେତାମାନେ ମଧ୍ୟ ପ୍ରତିବାଦର ସ୍ବର ଉଠାଇଲେଣି।
ୱାର୍ଡ ନମ୍ବର ୩୩ର ସ୍ଥିତିକୁ ବିଚାରକୁ ନେଲେ, ୨୦୧୧ ଜନଗଣନା ଅନୁଯାୟୀ ଏଠାରେ ଘର ସଂଖ୍ୟା ୨୯୯୩ ଥିବା ବେଳେ ଜନସଂଖ୍ୟା ୧୨ ହଜାର ୪୫୩ ଥିଲା। ଗତଥର ଓ ସାଧାରଣ ନିର୍ବାଚନରେ ଏଠାରେ ୧୩ ହଜାର ଭୋଟର୍ ଥିଲେ। କିନ୍ତୁ ଏଥର ୧୭୮୪ ଭୋଟର୍ ଥିବା ଚିଠା ତାଲିକାରେ ପ୍ରକାଶ ପାଇଛି। ପାଖାପାଖି ୧୨ ହଜାର ଭୋଟର୍ଙ୍କ ଚିହ୍ନବର୍ଣ୍ଣ ନାହିଁ। ତାଲିକାରେ ଏହି ସବୁ ଭୋଟରଙ୍କ ନାମ ଉପରେ ‘ଡିଲିଟେଡ୍’ ବୋଲି ଉଲ୍ଲେଖ ଅଛି। ଗତଥର ଏଠାରୁ ବିଜେପିରୁ ସୁରେଶ ଚନ୍ଦ୍ର ଜେନା କର୍ପୋରେଟର୍ ହୋଇଥିଲେ। ସେ ଅଭିଯୋଗ କରିଛନ୍ତି, ନିର୍ବାଚନ ପରଠାରୁ ଶାସକ ବିଜେଡି ଏହି ୱାର୍ଡକୁ ଟାର୍ଗେଟ୍ କରିଥିଲା। ଏଥରକ ଜାଣିଜାଣି ବିଜେପି ଭୋଟରଙ୍କୁ ଏଠାରୁ ବେଆଇନ ଭାବେ କାଟି ଦିଆଯାଇଛି। କେବଳ ବିଜେଡି ଭୋଟ୍ ଥିବା ଅଞ୍ଚଳକୁ ଭୋଟର ଲିଷ୍ଟରେ ସାମିଲ ଜିତିବାକୁ ବିଜେଡି ଷଡ଼୍ଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୋଗ କରାଯାଇଛି। ଅଭିଯୋଗ ସମାଧାନ ନ ହେଲେ ଆବଶ୍ୟକ ପଡ଼ିଲେ ମାମଲା କୋର୍ଟ ଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
୬ ନମ୍ବର୍ ୱାର୍ଡରେ ମଧ୍ୟ ଅନୁରୂପ ଅଭିଯୋଗ ରହିଛି। ଏଠାରେ ଘର ସଂଖ୍ୟା ୧୯୬୪ ରହିଥିବା ବେଳେ ଜନସଂଖ୍ୟା ୧୩ ହଜାର ୫୪୭। ପୂର୍ବ ନିର୍ବାଚନରେ ଏଠାରେ ୬ ହଜାର ପାଖାପାଖି ଭୋଟର ଥିବା ବେଳେ ଏଥର ୨୪୬୧ ଭୋଟର୍ ରହିଛନ୍ତି। ପୂର୍ବଥର ପଡ଼ୋଶୀ ୱାର୍ଡରୁ ୪ଶହ ଭୋଟର ଏହି ୱାର୍ଡରେ ସାମିଲ ହୋଇଥିଲେ। ସେମାନଙ୍କୁ କଟା ଯାଇଛି। କିନ୍ତୁ ବାକି ପାଖାପାଖି ୪ ହଜାର ଭୋଟର କୁଆଡ଼େ ଗଲେ ବୋଲି ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ପ୍ରଶ୍ନ କରିଛନ୍ତି। ସେହିଭଳି ୮ନଂରେ ବିଚିତ୍ର ସ୍ଥିତି ରହିଛି। ୨୦୧୧ରେ ଏଠାରେ ଘର ସଂଖ୍ୟା ୩୫୭୫ ଥିବା ବେଳେ ଜନସଂଖ୍ୟା ରହିଥିଲା ୧୩ ହଜାର ୫୨୯। ଏବେ ଏଠାରେ ଭୋଟରଙ୍କ ସଂଖ୍ୟା ୨୬,୨୯୮। ଏନେଇ ଏଡିଏମ୍ ପ୍ରଫୁଲ୍ଲ ସ୍ବାଇଁ କହିଛନ୍ତି, ଅଭିଯୋଗ ଆସିବାକୁ ଆହୁରି କିଛି ଦିନ ବାକି ରହିଛି। ସବୁ ଅଭିଯୋଗ ଆସିବା ପରେ ଆମେ ବିଚାର କରିବୁ।