ଭୁବନେଶ୍ବର: ରାତି ପାହିଲେ ରାଜଧାନୀର ନେତା ବଛାହେବେ। ନିର୍ଣ୍ଣାୟକ ନିଷ୍ପତ୍ତି ନେବେ ରାଜଧାନୀବାସୀ। ତେବେ ଏଥର ସାଧାରଣ ନିର୍ବାଚନରେ ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇବ ନା ପୂର୍ବଭଳି ନୈରାଶ୍ୟଜନକ ରହିବ? ସବୁ ବର୍ଷ ଭଳି ବସ୍ତିବାସିନ୍ଦା ନିର୍ଣ୍ଣାୟକ ଭାବେ ଆଗରେ ରହିବେନି ତ? ଏପରି ଅନେକ ପ୍ରଶ୍ନ ଆଜି ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଉଙ୍କି ମାରିଛି। କାରଣ ପୂର୍ବରୁ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା। ଗତ ୩ଟି ସାଧାରଣ ନିର୍ବାଚନରେ ରାଜଧାନୀର ତିନିଟି ଯାକ ବିଧାନସଭା କ୍ଷେତ୍ରରେ ମତଦାତାଙ୍କ ହାର ୫୦% ଛୁଇଁପାରିନାହିଁ। ତେଣୁ ଏଥର ମତଦାନ ହାର ବଢ଼ାଇବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ବିଏମ୍‌ସି କର୍ତ୍ତୃପକ୍ଷ ସହରରେ ଏକାଧିକ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଇଛନ୍ତି।

Advertisment

୨୦୦୯ ନିର୍ବାଚନରେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ସମୁଦାୟ ୨ଲକ୍ଷ ୨୫ ହଜାର ୮୨୮ ଭୋଟର ଥିବା ବେଳେ ୭୬ହଜାର ୨୮୪ ଜଣ ମତଦାନ କରିଥିଲେ। ଅର୍ଥାତ ୩୩.୭୮% ଭୋଟ୍‌ ଦେଇଥିଲେ। ୨୦୧୪ ନିର୍ବାଚନରେ ୨ଲକ୍ଷ ୨୨ ହଜାର ୩୩୭ ଜଣ ଭୋଟର ପଂଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୩ ହଜାର ୨୮୫ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ ଏବଂ ମତଦାନହାର ୪୧.୯୬% ଥିଲା। ୨୦୧୯ରେ ୪୩.୦୨% ମତଦାନ ହୋଇଥିଲା। ଲଗାତାର ୩ଟିଯାକ ନିର୍ବାଚନରେ ଗୋଟିଏ ଚିତ୍ର ହିଁ ସାମ୍ନାକୁ ଆସିଛି ଯେ ଏଠାରେ ବସ୍ତିବାସିନ୍ଦାଙ୍କ ଭୋଟ୍‌ ହିଁ ନିର୍ଣ୍ଣାୟକ ହୋଇଛି। ସେହିପରି ୨୦୦୯ ହିସାବ ମୁତାବକ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ସମୁଦାୟ ୨ଲକ୍ଷ ୪୮ ହଜାର ୩୩୭ ଜଣ ଭୋଟର ପଂଜୀକୃତ ହୋଇଥିଲେ ଏବଂ ୮୭ହଜାର ୧୫୪ ଜଣ ମତାଧିକାର କରିଥିଲେ। ମତଦାନହାର ମାତ୍ର ୩୫.୦୯% ରହିଥିଲା। ୨୦୧୪ରେ ୨ଲକ୍ଷ ୭୧ ହଜାର ୨୦୮ ଜଣ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୧୨ହଜାର ୧୨୧ ଜଣ ଭୋଟ୍‌ ଦେଇଥିଲେ। ଭୋଟହାର ୪୧.୩% ରହିଥିଲା। ୨୦୧୯ରେ ମତଦାନ ହାର ୬.୬% ବୃଦ୍ଧି ପାଇ ୪୭.୯୦%ରେ ପହଞ୍ଚିଥିଲା। ଏଠାରେ ମଧ୍ୟ ସହରୀ ଭୋଟରଙ୍କ ଅପେକ୍ଷା ବସ୍ତି ଓ ଗ୍ରାମାଞ୍ଚଳ ଭୋଟର ଅଧିକ ମତାଧିକାର ସାବ୍ୟସ୍ତ କରିଥିଲେ।

ସେହିପରି ଭୁବନେଶ୍ବର ଏକାମ୍ରରେ ୨୦୦୯ରେ ୨ଲକ୍ଷ ୨୫ହଜାର ୭୦୭ ଜଣ ଭୋଟରଙ୍କ ମଧ୍ୟରୁ ୮୩ ହଜାର ୯୮୧ ଜଣ ଅର୍ଥାତ୍‌ ୩୭.୨୧% ମତାଧିକାର ସାବ୍ୟସ୍ତ କରିଥିଲେ। ୨୦୧୪ରେ ୨ଲକ୍ଷ ୩୮ ହଜାର ୯୪୯ ଜଣ ଭୋଟର ପଂଜୀକୃତ ହୋଇଥିବା ବେଳେ ୪୫.୯୭% ଭୋଟ ଦେଇଥିଲେ। ୨୦୧୯ରେ ମତଦାନହାର ସାମାନ୍ୟ ବୃଦ୍ଧି ପାଇ ୪୯.୬୮%ରେ ପହଞ୍ଚିଥିଲା। ଏଥର ନିର୍ବାଚନମଣ୍ଡଳୀଗୁଡ଼ିକରେ ବ୍ୟାପକ ସଚେତନତା କରାଯାଇଥିବାରୁ ମତଦାନ ହାର ବଢ଼ିବା ନେଇ ଜିଲ୍ଲା ପ୍ରଶାସନ ଆଶାବାଦୀ ରହିଛି। ତେବେ ଲୋକସଭା କ୍ଷେତ୍ରରେ ମତଦାନ ହାର ଲଗାତାର ଭାବେ ବଢ଼ୁଛି। ୨୦୧୪ରେ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ମତଦାନ ହାର ୫୮.୩୮% ଥିବା ବେଳେ ୨୦୧୯ରେ ତାହା ୫୯.୬୦%ରେ ପହଞ୍ଚିଥିଲା। ୭ଟି ବିଧାନସଭା କ୍ଷେତ୍ରକୁ ନେଇ ଲୋକସଭା ଆସନ ଗଠନ ହୋଇଥିବାରୁ ମତଦାନ ହାର ବଢ଼ୁଥିବା ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।