ଭୋଟର ତାଲିକାକୁ ନେଇ ଲମ୍ବୁଛି ଅଭିଯୋଗ ଫର୍ଦ୍ଦ: ନିଜ ୱାର୍ଡକୁ ଫେରିଲେଣି ୨୦ ହଜାର ଭୋଟର

୯ ଟିମ୍‌ ଶୁଣୁଛନ୍ତି ଅଭିଯୋଗ

ଭୁବନେଶ୍ବର : ବିଏମ୍‌ସି ଅଞ୍ଚଳରେ ବୁଥ୍‌କୁ ନେଇ ରହିଥିବା ଅଭିଯୋଗ ପ୍ରସ୍ତାବ ଦାଖଲ ଅବଧି ଶେଷ ହୋଇଛି। ଆସନ୍ତାକାଲି ଚୂଡ଼ାନ୍ତ ବୁଥ୍‌ ତାଲିକା ନିର୍ବାଚନ କମିସନଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକାକୁ ନେଇ ଅଭିଯୋଗର ଫର୍ଦ୍ଦ ଲମ୍ବା ହେବାରେ ଲାଗିଛି। ଅଭିଯୋଗ ଗ୍ରହଣ ପାଇଁ ଆଉ ଦୁଇଦିନ ବାକି ଥିବାରୁ ଅଭିଯୋଗର ଫର୍ଦ୍ଦ ଆହୁରି ଲମ୍ବା ହେବା ଥୟ ହୋଇଛି। ତେବେ ଏହି ଅଭିଯୋଗଗୁଡ଼ିକର ଶୁଣାଣି କରି ସମାଧାନ କରାଯାଉଛି। ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ୯ଟି ଟିମ୍‌ ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରତ୍ୟେକ ଅଭିଯୋଗକୁ ଭୋଟର ତାଲିକା ସହ ମେଳ କରାଇ ଅଭିଯୋଗର ସମାଧାନ କରୁଛନ୍ତି। ଇତିମଧ୍ୟରେ ୱାର୍ଡରୁ ଉଭାନ୍‌ ହୋଇ ଯାଇଥିବା ଭୋଟର ମଧ୍ୟ ନିଜ ୱାର୍ଡକୁ ଫେରୁଛନ୍ତି। ଅଦ୍ୟାବଧି ବିଭିନ୍ନ ୱାର୍ଡକୁ ପ୍ରାୟ ୨୦ ହଜାର ଭୋଟର ଫେରିଥିବା ଜଣାପଡ଼ିଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ସମସ୍ତ ଯୋଗ୍ୟ ଭୋଟର ନିଜ ନିଜ ୱାର୍ଡକୁ ଫେରିଯିବା ସମ୍ଭାବନା ଥିବା ସୂଚନା ମିଳିଛି।

ଫର୍ମ ନମ୍ବର-୭ରେ ଭୋଟରମାନେ ନିଜ ୱାର୍ଡକୁ ଫେରିବା ପାଇଁ ଆବେଦନ କରୁଛନ୍ତି। ଏଥିପାଇଁ ଗଠିତ ହୋଇଥିବା ସ୍ବତନ୍ତ୍ର ଟିମ୍‌ ତଦନ୍ତ କରିବା ସହ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ଆବେଦନ ମୁତାବକ ୱାର୍ଡକୁ ଫେରାଇ ଅଣାଯାଉଛି। ଅନ୍ୟପଟେ କେତେକ ଅଯୋଗ୍ୟ ଭୋଟରଙ୍କ ଆବେଦନ ମଧ୍ୟ ଆସୁଛି। ଏକ ନିର୍ଦ୍ଦିଷ୍ଟ ୱାର୍ଡକୁ ଫେରାଇ ଆଣିବାକୁ ସେମାନେ ଆବେଦନ କରୁଛନ୍ତି। ବେଶ୍‌ କିଛି ସମୟ ଏହି ସ୍ବତନ୍ତ୍ର ଦଳ କସରତ କରିବା ପରେ ସେମାନେ ଯୋଗ୍ୟ ଭୋଟର ନୁହନ୍ତି ବୋଲି ଜଣାପଡ଼ୁଛି। ଏଭଳି ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଆବେଦନ ନାକଚ ହୋଇ ସାରିଥିବା ଜଣାପଡ଼ିଛି।

ଅନ୍ୟପଟେ ଗତ ସାଧାରଣ ନିର୍ବାଚନ ତୁଳନାରେ ଏଥର ଲକ୍ଷାଧିକ ଭୋଟର ଗାଏବ ହୋଇ ଯାଇଛନ୍ତି। ତାହାକୁ ନେଇ ତନାଘନା ହୋଇଛି। ଏତେ ଭୋଟର କୁଆଡ଼େ ଗଲେ? କାହିଁକି ଡିଲିଟ୍‌ କରାଗଲା? ସେନେଇ ପୂର୍ବତନ କର୍ପୋରେଟରମାନେ ଖୋଳତାଡ଼ କରିଛନ୍ତି। ଖୋଳତାଡ଼ ବେଳେ ଜଣାପଡ଼ିଛି କି ଜାନୁଆରି ୨୦୨୨ ସୁଦ୍ଧା ପ୍ରସ୍ତୁତ ହୋଇଥିବା ଭୋଟର ତାଲିକା ଆଧାରରେ ଚିଠା ତାଲିକା ପ୍ରକାଶ ପାଇଛି। ଏହା ପୂର୍ବରୁ ଭୋଟର ତାଲିକା ପ୍ରସ୍ତୁତ କରାଯାଇଥିଲା। ଭୋଟରମାନଙ୍କୁ ଏଥିପାଇଁ ଯଥେଷ୍ଟ ସୁଯୋଗ ଦିଆଯାଇଥିଲା। ସେତେବେଳେ ଆସିଥିବା ଅଭିଯୋଗ ଆଧାରରେ ସଂଶୋଧିତ ତାଲିକା ପ୍ରକାଶ କରାଯାଇଥିଲା। ହେଲେ ସେତେବେଳେ ଏହି ସମସ୍ୟାର ସମାଧାନ ନ କରାଇ ଭୋଟରମାନେ କାହିଁକି ଅପେକ୍ଷା କରିଥିଲେ? ସମ୍ପୃକ୍ତ ନେତାମାନେ କାହିଁକି ଏହି ସମସ୍ୟାକୁ ଉଚିତ୍‌ ସମୟରେ ସମାଧାନ କରିବାକୁ ଚାହିନଥିଲେ ସେ ନେଇ ପ୍ରଶ୍ନ ଉଠିଛି। ଏବେ ଆଉ ନୂଆ ଭୋଟର ଯୋଗ ହେବା ବ୍ୟବସ୍ଥା ନାହିଁ। ପୂର୍ବରୁ ବା ସାଧାରଣ ନିର୍ବାଚନରେ ବିଏମ୍‌ସି ଅଞ୍ଚଳରେ ୬ ଲକ୍ଷ ୯୦ ହଜାର ଭୋଟର ଥିବା ବେଳେ ସଂଶୋଧିତ ତାଲିକାରେ ବା ଚିଠା ତାଲିକାରେ ୭ ଲକ୍ଷ ୨୭ ହଜାର ୪୫୬ ଜଣ ଭୋଟର ରହିଛନ୍ତି। ଅର୍ଥାତ୍‌ ଭୋଟରଙ୍କ ସଂଖ୍ୟା ବଢ଼ିଛି।

ଅନ୍ୟପଟେ ଚିଠା ଭୋଟର ତାଲିକା ଅନୁଯାୟୀ ଗୋଟିଏ ୱାର୍ଡରୁ ୫ ହଜାର ଭୋଟର କମି ଯାଇଥିବା ବେଳେ ଆଉ ଗୋଟିଏ ୱାର୍ଡରେ ୫ରୁ ୭ ହଜାର ଭୋଟର ବଢ଼ି ଯାଇଥିବା ପରିଲକ୍ଷିତ ହୋଇଛି। ହଜାର ହଜାର ଭୋଟରଙ୍କର ୱାର୍ଡ କିଭଳି ପରିବର୍ତ୍ତନ ହେଲା ସେ ନେଇ ପ୍ରଶ୍ନ ଉଠିଛି। ଭୋଟର ତାଲିକା ପ୍ରସ୍ତୁତ କଲାବେଳେ ବିଏଲ୍‌ଓ(ବୁଥ୍‌‌ଲେବୁଲ ଅଫିସର)ମାନେ ତ୍ରୁଟି କରିଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ ଏବେ ଏଡିଏମ୍‌ଙ୍କ ଅଫିସ୍‌ରେ ୯ଟି ଟିମ୍‌ ଏହାକୁ ସଂଶୋଧନ କରିବାରେ ବ୍ୟସ୍ତ ରହିଛି।

ସମ୍ବନ୍ଧିତ ଖବର