ଭୁବନେଶ୍ୱର : ମହାନଗର ନିଗମ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇଛି। ତାଲିକା ମୁତାବକ, ବିଏମ୍ସି ଅଞ୍ଚଳର ୬୭ ୱାର୍ଡରେ ୭୦୫ ବୁଥ୍ ରହିଛି। ମୋଟ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୧୦ ପୁରୁଷ ଭୋଟର ରହିଥିବା ବେଳେ ୩ ଲକ୍ଷ ୩୦ ହଜାର ୮୧୫ ମହିଳା ଓ ୪୪୦ ଭୋଟର ଅନ୍ୟାନ୍ୟ ବର୍ଗର ଅଛନ୍ତି।
ଚିଠା ତାଲିକାରେ ୬୯୯ ବୁଥ୍ ରହିଥିଲା। ଭୋଟର ଥିଲେ ୭ ଲକ୍ଷ ୨୭ ହଜାର ୪୫୬। ଏବେ ଭୋଟର ସଂଖ୍ୟା ୧୬୯୧ କମି ଯାଇଛି। ବାସ୍ତବରେ ଭୋଟର ସଂଖ୍ୟାରୁ ଭୋଟର୍ଙ୍କ ସଂଖ୍ୟା କମି ନାହିଁ। ଏହି ଭୋଟର୍ମାନଙ୍କ ନାମ ଦୁଇ ଦୁଇଟି ୱାର୍ଡରେ ସାମିଲ ହୋଇଯାଇଥିଲା। ଚିଠା ତାଲିକାକୁ ନେଇ ଆପତ୍ତି ଓ ପ୍ରସ୍ତାବର ବିଚାର କଲା ବେଳେ ଏହି ତ୍ରୁଟି ସାମ୍ନାକୁ ଆସିଥିଲା। ଏଣୁ ଏହି ଭୋଟର୍ଙ୍କୁ ଗୋଟିଏ ୱାର୍ଡରେ ରଖି ଅନ୍ୟ ୱାର୍ଡ ତାଲିକାରୁ କାଟି ଦିଆଯାଇଛି ବୋଲି ବିଏମ୍ସିର ନିର୍ବାଚନ ଅଧିକାରୀ ଶ୍ରୀମନ୍ତ ମିଶ୍ର ସୂଚନା ଦେଇଛନ୍ତି। ସେହିଭଳି ଚିଠା ତାଲିକାରେ ବୁଥ୍ ସଂଖ୍ୟା ୬୯୯ ରହିଥିଲା। ଏବେ ବୁଥ୍ସଂଖ୍ୟା ୬ଟି ବଢ଼ିଛି। ଅନ୍ୟ ୱାର୍ଡରେ ସାମିଲ ହେଇ ଯାଇଥିବା ଭୋଟର ନିଜ ୱାର୍ଡକୁ ଫେରିବା ପରେ ସେଠାରେ ସଂଖ୍ୟା ବଢ଼ି ଯାଇଥିଲା। ଫଳରେ ବୁଥ୍ ଆବଶ୍ୟକତା ପଡ଼ିଥିଲା। ଏଣୁ ଏହି ୬ଟି ବୁଥ୍ ବଢ଼ିଛି ବୋଲି ସେ କହିଛନ୍ତି।
ଅପରପକ୍ଷେ ଚିଠା ତାଲିକାରେ ୱାର୍ଡ ନମ୍ବର ୮ରେ ସର୍ବାଧିକ ୨୬ ହଜାର ୨୯୮ ଭୋଟର୍ ରହିଥିଲେ। ଏବେ ଏହି ୱାର୍ଡରେ ୧୩ ହଜାର ୫୧୬ ଭୋଟର୍ ରହିଛନ୍ତି। ଅନ୍ୟ ୱାର୍ଡରୁ ଭୋଟର୍ଙ୍କ ନାମ ଏହି ୱାର୍ଡରେ ସାମିଲ ହୋଇଥିବାରୁ ସଂଖ୍ୟା ବଢ଼ି ଯାଇଥିଲା। ସେମାନଙ୍କୁ ଚିହ୍ନଟ କରି ନିଜ ନିଜ ୱାର୍ଡକୁ ଫେରାଇ ନିଆଯାଇଛି। ସେହିଭଳି ୩୩ନମ୍ବର ୱାର୍ଡରେ ସର୍ବନିମ୍ନ ୧ହଜାର ୭୮୪ ଭୋଟର୍ ଥିବା ଚିଠା ତାଲିକାରେ ଦର୍ଶାଯାଇଥିଲା। ଏହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଭୋଟର୍ଙ୍କ ନାମ କଟି ଯାଇଥିବାରୁ ନେତାମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆପତ୍ତି ଉଠାଇଥିଲେ। ଏବେ ଏହି ୱାର୍ଡରେ ଏବେ ୧୦ ହଜାର ୩୩୦ ଭୋଟର୍ ରହିଛନ୍ତି। ଅର୍ଥାତ୍ ପାଖାପାଖି ୯ହଜାର ଭୋଟର୍ ନିଜ ୱାର୍ଡକୁ ଫେରିଛନ୍ତି। ଏଭଳି ପ୍ରତ୍ୟେକ ୱାର୍ଡରେ ଭୋଟର୍ଙ୍କ ସଂଖ୍ୟାକୁ ନେଇ ରହିଥିବା ପାତରଅନ୍ତରକୁ ଏହି ଚୂଡ଼ାନ୍ତ ତାଲିକାରେ ବ୍ୟବସ୍ଥିତ କରାଯାଇଛି। ଆଜି ନିର୍ବାଚନ ଅଧିକାରୀ ତଥା ଏଡିଏମ୍ ପ୍ରଫୁଲ୍ଲ କୁମାର ସ୍ବାଇଁ ଏହି ତାଲିକା ପ୍ରକାଶ କରିଛନ୍ତି। ବିଏମ୍ସିର ମୁଖ୍ୟାଳୟ ସମେତ ବିଭିନ୍ନ ୱାର୍ଡ କାର୍ଯ୍ୟାଳୟ ଓ ପ୍ରମୁଖ ସ୍ଥାନରେ ଏହି ତାଲିକା ଉପଲବ୍ଧ କରାଯାଇଥିବା ବିଏମ୍ସି ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।