ଭୁବନେଶ୍ବର କ୍ଲବ୍‌ ନିର୍ବାଚନ ପାଇଁ ମତଦାନ ଆରମ୍ଭ: ଆଜି ବି ହେବ ଅବଶିଷ୍ଟ ମତଦାନ

ସଭାପତି ପଦ ପାଇଁ ମୈଦାନରେ ଦୁଇ ଅବସରପ୍ରାପ୍ତ ପ୍ରଶାସକ ବିଜୟ, ଅସିତ

ଭୁବନେଶ୍ବର: ଭୁବନେଶ୍ବର କ୍ଲବ୍‌ର କର୍ମକର୍ତ୍ତା ନିର୍ବାଚନ ଲାଗି ଆଜିଠାରୁ ମତଦାନ ଆରମ୍ଭ ହୋଇଛି। ରବିବାର ମଧ୍ୟ ମତଦାନ ଜାରି ରହିବ। କ୍ଲବ୍‌ର ସଭାପତି ପଦ ପାଇଁ ୨ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ମଇଦାନରେ ରହିଛନ୍ତି। ତେଣୁ ଏହି ନିର୍ବାଚନର ଫଳାଫଳକୁ ନେଇ ବିଭିନ୍ନ ମହଲରେ ଉତ୍ସୁକତା ପ୍ରକାଶ ପାଇଛି। ଏହାସହ ଉପ-ସଭାପତି ପଦ ପାଇଁ ୫ଜଣ, ସମ୍ପାଦକ ପାଇଁ ୬ଜଣ, ଯୁଗ୍ମ ସମ୍ପାଦକ ପାଇଁ ୩ ଜଣ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ ୨୨ଜଣ ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତ ଏପ୍ରିଲ୍‌ ମାସରେ ନାମାଙ୍କନପତ୍ର ଦାଖଲ ସରିଥିଲେ ହେଁ କୋଭିଡ୍‌ ଦ୍ବିତୀୟ ଲହର ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ଧାର୍ଯ୍ୟ ତାରିଖ ଅନୁଯାୟୀ ଆଜି ମତଦାନ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ସଭାପତି ପଦ ପାଇଁ ଲଢ଼ୁଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅବସର ନେବା ପରେ ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି। ସେହିପରି ପ୍ରତିଦ୍ବନ୍ଦ୍ବୀ ବିଜୟ ପଟ୍ଟନାୟକ ତାଙ୍କ ଚାକିରି କାଳରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ପରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଇଥିଲେ। ଅବସର ପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ସମ୍ଭାଳିଥିଲେ। ଏବେ କ୍ଲବ୍‌ର ସଭାପତି ପଦ ପାଇଁ ଏହି ଦୁଇ ଅଫିସର୍‌ଙ୍କ ମଧ୍ୟରେ ଲଢ଼େଇ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ଆଇଏଏସ୍‌ ଅଧିକାରୀ ସ୍ବର୍ଗତ ପ୍ରିୟବ୍ରତ ପଟ୍ଟନାୟକ ବହୁ ବର୍ଷ ଧରି କ୍ଲବ୍‌ର ପରିଚାଳନା ଦାୟିତ୍ବରେ ରହିଥିଲେ। ଗତବର୍ଷ କର୍କଟ ରୋଗରେ ପ୍ରାଣ ହରାଇବା ପର୍ଯ୍ୟନ୍ତ ମଧ୍ୟ ସଭାପତି ଥିଲେ।

୧୯୪୯ ମସିହାରେ ସରକାରୀ ସ୍ଥପତି ଜେ ଏଲ ଭାଜ୍ ଭୁବନେଶ୍ବରରେ ଏକ କ୍ଲବ୍ ପାଇଁ ପ୍ରସ୍ତାବ ଦେଇଥିଲେ। ୧୯୪୯ରେ ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବ୍‌ର ପ୍ରଥମ ସଭାପତି ଖଲ୍ଲିକୋଟର ରାଜା ବାହାଦୁର ହୋଇଥିଲେ। ସେ ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ଏହି ପଦରେ ରହିବା ପରେ ୧୯୫୩ ମସିହାରେ ଜଷ୍ଟସ୍‌ ଏଲ. ପାଣିଗ୍ରାହୀ ଏହି ପଦ ଅଳଙ୍କୃତ କରିଥିଲେ। ପ୍ରଥମେ ୨୩ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଭୁବନେଶ୍ବର କ୍ଲବ୍‌ରେ ଏବେ ୩ହଜାରରୁ ଅଧିକ ସଦସ୍ୟ ରହିଛନ୍ତି। ୧୯୫୪ରେ କ୍ଲବ୍‌କୁ ଉଦ୍ୟାନ ମାର୍ଗକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ କ୍ଲବ୍‌ ପରିଚାଳନାରେ ସମସ୍ୟା ହେବା କାରଣରୁ ୧୯୬୫ମସିହାରେ କ୍ଲବ୍‌ ୟୁନିଟ୍‌-୬ସ୍ଥିତ ରାଜପଥ ମାର୍ଗକୁ ସ୍ଥାନାନ୍ତରିତ ହୋଇଥିଲା। ଏହି କ୍ଲବ୍‌ର ସଭାପତି ପଦରେ ବିଭିନ୍ନ ରାଜ ପରିବାରର ମୁଖ୍ୟଙ୍କଠାରୁ ଆରମ୍ଭ କରି ଡ. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟଙ୍କ ପରି ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରହି ଆସିଛନ୍ତି। କିନ୍ତୁ ୧୯୬୪ ମସିହା ପରେ କ୍ଲବ୍‌ରେ ଆଇଏଏସ୍‌ ଅଫିସରମାନଙ୍କ ଦବ୍‌ଦବା ରହି ଆସିଛି। ଏବେ କ୍ଲବରେ ନୂତନ ଗୃହ ଘାଟିକିଆଠାରେ ନିର୍ମାଣାଧୀନ ରହିଛି।

ସମ୍ବନ୍ଧିତ ଖବର