ଭୁବନେଶ୍ବର: ନାଟ୍ୟଶାସ୍ତ୍ର ପ୍ରଣେତା ଭରତମୁନୀଙ୍କ ଅବଦାନକୁ ସ୍ମରଣ ପୂର୍ବକ ଆୟୋଜିତ ଭରତମୁନୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ନାଟ୍ୟଶାସ୍ତ୍ର ପ୍ରଣେତା ଭରତମୁନୀଙ୍କ ଅବଦାନରେ ଗାନ୍ଧର୍ବ କଳା ବିଶ୍ବମୁଖୀ ହୋଇଛି। ଏହା ଗୀତ-ବାଦ୍ୟ-ନୃତ୍ୟର ମାଧୁର୍ଯ୍ୟକୁ ପ୍ରକାଶ କରି ଆସିଛି ବୋଲି ସେ କହିଛନ୍ତି। ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଗୁରୁ ପଦ୍ମଭୂଷଣ ଭି.ପି ଧନଞ୍ଜୟନଙ୍କୁ ଏକାଦଶ ଭରତମୁନୀ ସମ୍ମାନ ପ୍ରଦାନ କରାଯାଇଥିଲା। ତେବେ ଅସୁସ୍ଥତା କାରଣରୁ ସେ ଉପସ୍ଥିତ ନ ଥିବାରୁ, ତାଙ୍କ କନ୍ୟା ରାଜ୍ୟପାଳଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଅବସର ବେଉରିଆ ସ୍ବାଗତ ଭାଷଣ ଦେଇଥିବା ବେଳେ ଟ୍ରଷ୍ଟି ପୁଷ୍ପିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ନୃତ୍ୟ କାର୍ଯ୍ୟକ୍ରମରେ ନୃତ୍ୟଶାଳା ପକ୍ଷରୁ ଅଶୋକ ଘୋଷାଲ, ବନ୍ଦିତା ଘୋଷାଲ ଓ ସାଥୀମାନେ ‘ସରସ୍ବତୀ ବନ୍ଦନା’ ଓ ନୃତ୍ୟାଭିନୟ ‘ବର୍ଷା, ବସନ୍ତ ଓ ବୈଶାଖ’ ପରିବେଷଣ କରିଥିଲେ। ରଣଜିଶ୍ ନୈୟାର ‘ଦୁର୍ଯ୍ୟୋଧନ ବଧମ’ ପରିବେଷଣ କରିଥିଲେ। ଶେଷରେ ଦିବ୍ୟାଧରନ ଧନଞ୍ଜୟନ ଭାରତନାଟ୍ୟମ ନୃତ୍ୟରେ ଦର୍ଶକଙ୍କ ମନୋରଂଜନ କରିଥିଲେ। ‘କଳିଙ୍ଗାୟନ ତୌର୍ଯ୍ୟତ୍ରିକମ’ର ବାର୍ଷିକ ମୁଖପତ୍ର ଉନ୍ମୋଚିତ ହୋଇଥିଲା। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/56d4ghsf59h4fs894h8sfhsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsf.jpg)